ଲଣ୍ଡନ: ଭାରତର ଦ୍ଵିତୀୟ ବଡ଼ ଧନୀ ବ୍ୟକ୍ତି ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ମୁଖ୍ୟ ମୁକେଶ ଆମ୍ବାନି ବିଶ୍ଵ ପ୍ରସିଦ୍ଧ ଇଂଲିସ ଫୁଟ୍ବଲ୍ କ୍ଲବ୍ ଲିଭରପୁଲ୍ ଅଧିଗ୍ରହଣ ଦୌଡ଼ରେ ସାମିଲ
ହୋଇଛନ୍ତି। ଏହି କ୍ଲବ୍କୁ ବିକ୍ରି କରିବା ଲାଗି ଏହାର ବର୍ତ୍ତମାନର ମାଲିକ ଫେନୱେ ସ୍ପୋର୍ଟ ଗ୍ରୁପ୍ (ଏଫ୍ଏସ୍ଜି) ନିଷ୍ପତ୍ତି ନେଇଛି। ଏଥିପାଇଁ ଏହା ବିଶ୍ବସ୍ତରୀୟ ଆର୍ଥିକ ସଂସ୍ଥା ଗୋଲ୍ଡମାନ ସଚସ ଏବଂ ମୋର୍ଗାନ ଷ୍ଟେନ୍ଲିକୁ ଦାୟିତ୍ବ ଦେଇଛି।
ସୂଚନାମୁତାବକ ୨୦୧୦ ଏହି କମ୍ପାନି ଲିଭରପୁଲ୍କୁ କିଣିଥିଲା। ଲିଭର୍ଫୁଲ୍କୁ ୪୦୦ କୋଟି ବ୍ରିଟିସ୍ ପାଉଣ୍ଡରେ ବିକ୍ରି କରିବାକୁ କଂପାନି ନିଷ୍ପତ୍ତି ନେଇଛି। କ୍ରୀଡ଼ା କ୍ଷେତ୍ରର ଟିମ୍ କିଣିବା ମୁକେଶଙ୍କ ପାଇଁ କିଛି ନୂଆ କଥା ନୁହେଁ। ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) ର ମୁମ୍ବାଇ ଇଣ୍ଡିଆନ୍ସ ଦଳ ତାଙ୍କ ପତ୍ନୀ ନୀତା ଅମ୍ବାନିଙ୍କ ଅଧୀନରେ ପରିଚାଳିତ ହେଉଛି। ନିକଟରେ ଏହି ସଂସ୍ଥା ଦକ୍ଷିଣ ଆଫ୍ରିକା ଏବଂ ୟୁଏଇର ଟି୨୦ କ୍ରିକେଟ୍ ଲିଗ୍ରେ ଦୁଇଟି ଟିମ୍ କିଣିଥିଲା ।
ତେବେ ମୁକେଶ ଅମ୍ବାନୀ ଲିଭରପୁଲ କିଣିବାକୁ ଆଗ୍ରହ ଦେଖାଇବା ଏହା ପ୍ରଥମ ଘଟଣା ନୁହେଁ।୨୦୧୦ମସିହାରେ, ସାହାରା ଗ୍ରୁପର ଚେୟାରମ୍ୟାନ୍ ସୁବ୍ରୋତ ରୟଙ୍କ ସହ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିଭରପୁଲରେ ୫୧ ପ୍ରତିଶତ ଅଂଶଧନ ପାଇଁ ଟେଣ୍ଡର କରିବାକୁ ଚାହୁଁଥିଲା। ତେବେ ଏହି ଗୁଜବକୁ ତତ୍କାଳୀନ ଲିଭରପୁଲର ମୁଖ୍ୟ କାର୍ଯ୍ୟନିର୍ବାହୀ କ୍ରିଷ୍ଟେନ ପର୍ସ୍ଲୋ ପ୍ରତ୍ୟାଖ୍ୟାନ କରିଥିଲେ।