fbpx

ହୁସିଆରି ଦେଖାନ୍ତୁ ନାହିଁ, ମୋରବି ଦୁର୍ଘଟଣାକୁ ନେଇ ଗୁଜରାଟ ସରକାରଙ୍କୁ ହାଇକୋର୍ଟଙ୍କ ଭର୍ତ୍ସନା

ଅହମ୍ମଦାବାଦ: ମୋରବି ଝୁଲା ପୋଲ ମାମଲାରେ ଗୁଜରାଟ ସରକାରଙ୍କୁ କଡା ଶବ୍ଦରେ ଭର୍ତ୍ସନା କରିଛନ୍ତି ଉଚ୍ଚ ନ୍ୟାୟାଳୟ। ଅଦାଲତ ଦାଖଲ ଜନସ୍ଵାର୍ଥ ମାମଲାରେ ମଙ୍ଗଳବାର ଶୁଣାଣି କରିଛନ୍ତି। ଟେଣ୍ଡର ପ୍ରକ୍ରିୟାରେ ହୋଇଥିବା ଅନିୟମିତତାକୁ ନେଇ ରାଜ୍ୟ ସରକାର ଏବଂ ମୋରବି ନଗର ନିଗମକୁ ତାଗିଦ୍ କରିଛନ୍ତି ଉଚ୍ଚ ନ୍ୟାୟାଳୟ। ମାମଲାରେ ହୁସିଆରି ଦେଖାଇବା ଦରକାର ନୁହେଁ ବୋଲି କୋର୍ଟ କହିଛନ୍ତି।

ମୁଖ୍ୟ ବିଚାରପତି ଅରବିନ୍ଦ କୁମାରଙ୍କ ନେତୃତ୍ଵାଧୀନ ପୀଠ ପ୍ରଶ୍ନ କରିଛନ୍ତି ଯେ, ୨୦୧୬ ଜୁନ ୧୫ରେ କଣ୍ଟ୍ରାକ୍ଟର ଅବଧି ପୂରା ହେବା ପରେ ମଧ୍ୟ ନୂତନ ଟେଣ୍ଡର କଣ ପାଇଁ ଜାରି କରାଗଲା ନାହିଁ ? ବିନା ଟେଣ୍ଡରରେ ଜଣେ ବ୍ୟକ୍ତିଙ୍କ ପ୍ରତି ରାଜ୍ୟ ସରକାର କେତେ ଉଦରତା ଦେଖାଉଛନ୍ତି। ଏହାର କାରଣ ଜଣାଇବା ଉଚିତ୍। ଏପରିକି ନଗର ନିଗମର ଅଧିକାରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ କଣ ପାଇଁ ନିଆଯାଇ ନାହିଁ ସେ ନେଇ ପ୍ରଶ୍ନ କରିଛନ୍ତି ଉଚ୍ଚ ନ୍ୟାୟାଳୟ।

ନ୍ୟାୟାଳୟ ଜାଣିବାକୁ ଚାହିଁଛନ୍ତି ଯେ, ଦୁର୍ଘଟଣାରେ ପ୍ରାଣ ହରାଇଥିବା ସେହି ମୃତକଙ୍କ ପରିବାରର ସଦସ୍ୟଙ୍କୁ କଣ ସରକାରୀ ଚାକିରି ଦିଆଯାଇ ପାରିବ, ଯିଏ ପରିବାରର ଏକ ମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ। ଆଉ ମୋରବି ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଛି। ଅନ୍ୟପକ୍ଷେ ମୃତକଙ୍କ ପରିବାର ସଦସ୍ୟଙ୍କକୁ କ୍ଷତିପୂରଣ ଦିଆଯାଇଛି କି ନାହିଁ ଏହା ଉପରେ ସ୍ପଷ୍ଟ କରାଯିବା ଦରକାର ବୋଲି ମାନବାଧିକାର ଆୟୋଗଙ୍କ ଓକିଲ ଅଦାଲତରେ କହିଛନ୍ତି।

ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୨୪ରେ କରିବାକୁ ଉଚ୍ଚ ନ୍ୟାୟାଳୟ ତାରିଖ ଧାର୍ଯ୍ୟ କରିଛନ୍ତି। ପୀଠ ପ୍ରଶ୍ନ କରିଛନ୍ତି, ପ୍ରଥମ ଚୁକ୍ତିନାମା ସରିବା ପରେ କେଉଁ ଆଧାରରେ ଠିକାଦାରଙ୍କୁ ପୋଲର ସଞ୍ଚାଳନ ପାଇଁ ଅନୁମତି ଦିଆଯାଇଥିଲା। ପରବର୍ତ୍ତୀ ଶୁଣାଣିରେ ରାଜ୍ୟ ସରକାର ଜଉମୁଦ ଲଫାପାରେ ଏହାର ଉତ୍ତର ରଖିବେ ବୋଲି ଉଚ୍ଚ ନ୍ୟାୟାଳୟ କହିଛନ୍ତି।

ସୂଚନାଯୋଗ୍ୟ, ଅକ୍ଟୋବର ୩୦ରେ ମଚ୍ଛୁ ନଦୀରେ ବ୍ରିଟିଶ ଅମଳରେ ନିର୍ମିତ ମୋରବି ଝୁଲାପୋଲ ଛିଣ୍ଡିଯିବାରୁ ମହିଳା ଏବଂ ଶିଶୁ ସମେତ ୧୩୫ ଜଣଙ୍କ ମୃତ୍ୟୁ ଘଟିଥିଲା। ସେତୁର ମରାମତି ପାଇଁ ସାତ ମାସ ଏହାକୁ ବନ୍ଦ କରାଯାଇଥିଲା। କିନ୍ତୁ ଦୀପାବଳି ସମୟରେ ସେତୁକୁ ପୁଣି ଥରେ ଖୋଲା ଯାଇଥିଲା। ହେଲେ ଏହାର ପାଞ୍ଚ ଦିନ ପରେ ଏହି ଦୁଃଖଦାୟକ ଘଟଣା ଘଟି ଯାଇଛି। ଘଟଣାରେ ସେତୁର ସଞ୍ଚାଳନ ଦାୟିତ୍ଵରେ ଥିବା ଓରେଭା କମ୍ପାନିର ୪ ଜଣଙ୍କ ସହିତ ମୋଟ୍ ନଅ ଜଣଙ୍କୁ ଗିରଫ କରାଯାଇଛି। ସ୍ଵତନ୍ତ୍ର ତଦନ୍ତକାରୀ ଦଳ(ଏସଆଇଟି) ଏହାର ତଦନ୍ତ କରୁଛି।

Get real time updates directly on you device, subscribe now.