fbpx

ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆଙ୍କ ପରଲୋକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆ ଆଉ ନାହାନ୍ତି । ଅବସରଙ୍କ ପରଲୋକ ଘଟିଥିବା ନେଇ ତାଙ୍କ ପତ୍ନୀ ତୃପ୍ତି ସୂଚନା ଦେଇଛନ୍ତି । ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡ଼ିଛି । ହୃଦଘାତ କାରଣରୁ ଗତକାଲି ବିଳମ୍ବିତ ରାତ୍ରିରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ତାଙ୍କୁ ମୃତ୍ୟୁ ବେଳକୁ ୮୦ ବର୍ଷ ବୟସ ହୋଇଥିଲା ।

ଗତକାଲି ରାତିରେ ଅବସର ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ଏହାପରେ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ବିଳମ୍ବିତ ରାତିରେ ତାଙ୍କର ସେଠାରେ ମୃତ୍ୟୁ ଘଟିଥିଲା । ଅବସର ଭୁବନେଶ୍ୱରର ସହିଦ ନଗରରେ ରହୁଥିଲେ । ତାଙ୍କର ଦୁଇ ଝିଅ ବାହାରେ ରହୁଥିବା ବେଳେ ସେ ଓଡ଼ିଶା ଫେରିବା ପରେ ଅବସରଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି ଜଣାପଡ଼ିଛି । ଅବସରଙ୍କ ମୃତ୍ୟୁ ଖବର ପାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ଗଣେଶୀ ଲାଲଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ଶୋକପ୍ରକାଶ କରିଛନ୍ତି ।

ଶ୍ରୀ ବେଉରିଆ ଆମେରିକା, ଜାପାନ, ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ), ଶ୍ରୀଲଙ୍କା ଓ ରୁଷ ପରି ଅନେକ ଦେଶରେ ଭାରତର ରାଷ୍ଟ୍ରଦୂତ ଭାବେ କାର୍ଯ୍ୟ କରିଥିଲେ । ସେ ଜଣେ ବିଶିଷ୍ଟ କୂଟନୀତିଜ୍ଞ ସହିତ ଜଣେ ଲେଖକ ଓ ସ୍ତମ୍ଭକାର ଭାବେ ଜନମାନସରେ ପରିଚିତ ଥିଲେ । ସେ ଓଡ଼ିଆ ଷ୍ଟଡିଜ ଓ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ । ଏଥିସହିତ ସେ ଜି-୭୭ ସମ୍ମିଳନୀରେ ଭାରତ ପକ୍ଷରୁ ପ୍ରତିନିଧି ମେମ୍ବର ଭାବେ ଯୋଗଦେଇଥିଲେ ।

Get real time updates directly on you device, subscribe now.