ସମସ୍ତେ ନିଜ ଜୀବନରେ ଥରେ ନା କାହିଁକି, କୋର୍ଟ କଚେରୀ ଯାଇଥିବେ ନିଶ୍ଚିତ । ଯେବେ ଆପଣ କୋର୍ଟ ଯାଆନ୍ତି, ସେଠାରେ କଳା କୋଟ ଓ ଧଳା ସାର୍ଟ ପିନ୍ଧିଥିବା ଓକିଲଙ୍କୁ ଦେଖନ୍ତି । କିନ୍ତୁ ଓକିଲମାନେ କାହିଁ କଳା କୋଟ୍ ଓ ଧଳା ସାର୍ଟ ପିନ୍ଧନ୍ତି ବୋଲି ଆପଣ ଜାଣିଛନ୍ତି କି ?ଅନେକ ଦେଶରେ ଓକିଲମାନଙ୍କ ପାଇଁ ଏହି ରଙ୍ଗର ଡ୍ରେସ୍ କୋର୍ଡ ସ୍ଥିର କରାଯାଇଛି ।
ଦୁନିଆରେ ଯେବେଠାରୁ ଓକିଲାତି ଆରମ୍ଭ ହୋଇଛି, ସେବେଠାରୁ ବିଚାରପତିମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ଡ୍ରେସ କୋଡ୍ ପ୍ରସ୍ତୁତ କରାଯାଇଥିଲା । ସେହି ସମୟରେ ବିଚାରପତିମାନେ ୱିଗ୍ ଲଗାଉଥିଲେ । ଏହା ସହ ଛାତ୍ର, ପ୍ଲିଡର, ବେଞ୍ଚର ଓ ବାରିଷ୍ଟର ଓକିଲଙ୍କ ଏହି ୪ଟି ଶ୍ରେଣୀରେ ବଣ୍ଟାଯାଇଥିଲା । ଏହା ୧୩୨୭ ବର୍ଷ ଥିଲା, ଯାହା ଓକିଲାତିର ଆରମ୍ଭ ସହିତ ଯୋଡ଼ି ଦେଖାଯାଇଥିଲା ।
ବିଚାରପତିଙ୍କଠାରୁ ଓକିଲମାନଙ୍କ ପରିଚୟକୁ ଅଲଗା କରିବା ପାଇଁ୧୬୩୭ ମସିହାରେ, ଓକିଲମାନଙ୍କର ଡ୍ରେସ୍ କୋଡ୍ ପ୍ରସ୍ତାବ ଦିଆଯାଇଥିଲା । ସେହି ସମୟରୁ ଓକିଲମାନେ ଲମ୍ବା ଗାଉନ୍ ପିନ୍ଧିବା ଆରମ୍ଭ କରିଥିଲେ । ଏହି ପୋଷାକ ହେତୁ ସାଧାରଣ ଲୋକମାନେ ବିଚାରପତି ଏବଂ ଓକିଲଙ୍କ ମଧ୍ୟରେ ପାର୍ଥକ୍ୟ କରିବାରେ ସକ୍ଷମ ହୋଇଥିଲେ ।
ଏହି କଳା ପୋଷାକ ସହିତ ଜଡିତ ଅନ୍ୟ ଏକ କାହାଣୀ ଅତ୍ୟନ୍ତ ପ୍ରସିଦ୍ଧ ରହିଛି । ୧୬୯୪ ମସିହାରେ ବ୍ରିଟେନର ରାଣୀ ମେରିଙ୍କ ମୃତ୍ୟୁ ପରେ ମହାରାଜା ସମସ୍ତ ବିଚାରପତି ଏବଂ ଆଇନଜୀବୀଙ୍କୁ କଳା ଗାଉନରେ ଶୋକ କରିବାକୁ ନିର୍ଦ୍ଦେଶ ଦେଇଥିଲେ, ଯାହା ପରେ ସମସ୍ତ ବିଚାରପତି ଏବଂ ଆଇନଜୀବୀ କଳା ଗାଉନ୍ ବ୍ୟବହାର କରିବା ଆରମ୍ଭ କରିଥିଲେ । କାରଣ ମହାରାଜାଙ୍କ ଏହି ଆଦେଶ କେବେହେଲେ ସମାପ୍ତ କରାଯାଇ ନଥିଲା ।
ସମୟ ବଦଳିବା ସହିତ କଳା କୋଟ ଓକିଲମାନଙ୍କ କାର୍ଯ୍ୟର ଏକ ଅଂଶ ହୋଇଗଲା । ପରେ ଆକ୍ଟ ୧୯୬୧ ମାଧ୍ୟମରେ କାର୍ଯ୍ୟ ସମୟରେ ଧଳା ବ୍ୟାଣ୍ଡ ଟାଇ ଏବଂ ବ୍ଲାକ୍ କୋଟ୍ ଆଇନଜୀବୀମାନଙ୍କ ପାଇଁ ଆଇନଗତ କରାଯାଇଥିଲା, ଅର୍ଥାତ୍ ଏହି ପୋଷାକ ଓକିଲମାନଙ୍କ ପାଇଁ ଆବଶ୍ୟକ କରାଯାଇଥିଲା ।