fbpx

ଓଡ଼ିଶାକୁ ନୂଆ ପରିଚୟ ଦେବ ମାଣ୍ଡିଆ: ରାଜ୍ୟର ୧୪ଟି ଜିଲ୍ଲାର ୭୨ଟି ବ୍ଲକରେ କାର୍ଯ୍ୟ କରିବ ମିଲେଟ୍ ମିଶନ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମାଣ୍ଡିଆ ଶସ୍ୟର ବ୍ୟବହାର ଓ ଉପକାରିତାକୁ ବିଶ୍ୱ ସ୍ତରରେ ପହଞ୍ଚାଇବା ନେଇ ରାଜ୍ୟ ସରକାର ପ୍ରୟାସ ଆରମ୍ଭ କରିଛନ୍ତି । ଏଥିପାଇଁ ରାଜ୍ୟ ସରକାର ମାର୍ଗଶିର ମାସ ପ୍ରଥମ ଗୁରୁବାରକୁ ମାଣ୍ଡିଆ ଦିବସ ଭାବେ ପାଳନ କରିଛନ୍ତି । ତେବେ ଆଗାମୀ ଦିଗରେ ରାଜ୍ୟର ୧୪ଟି ଜିଲ୍ଲାର ୭୨ଟି ବ୍ଲକରେ ଏହି କାର୍ଯ୍ୟ ତ୍ୱରାନ୍ୱିତ ହେବ ବୋଲି କହିଛନ୍ତି କୃଷି ସଚିବ ଅରବିନ୍ଦ ପାଢ଼ି ।

ଏହି ଅବସରରେ ଶ୍ରୀ ପାଢ଼ି କହିଥିଲେ, ମାଣ୍ଡିଆ ଚାଷରେ କମ୍ ଅର୍ଥ ବିନିଯୋଗ ହେବ । ଏଥିରୁ ଚାଷୀମାନେ ଅଧିକ ଲାଭ ପାଇପାରିବେ । ମାଣ୍ଡିଆ ଦ୍ୱାରା ଜଳବାୟୁ ପରିବର୍ତ୍ତନ, ମଧୁମେହ, ମେଦବହୁଳତାର ସରଳ ଉପଚାର କରାଯାଇ ପାରିବ । କିଛି ସ୍କୁଲର ଖାଦ୍ୟ ମେନ୍ୟୁରେ ପ୍ରତି ସପ୍ତାହରେ ମାଣ୍ଡିଆ ଖାଦ୍ୟ ଦିଆଯାଉଛି । ନିକଟରେ ସାଇ ଇଣ୍ଟରନ୍ୟାସନାଲ ସ୍କୁଲରେ ମିଲେଟ୍ ଦିବସ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ପାଢ଼ି ନିଜ ବକ୍ତବ୍ୟରେ ଏହା କହିଥିଲେ ।

ସୂଚନାଯୋଗ୍ୟ ଯେ, ସ୍ୱାସ୍ଥ୍ୟ ଓ ପରିବେଶ ପାଇଁ ହିତକର ଓ ପୁଷ୍ଟିକର ଶସ୍ୟର ବ୍ୟବହାର ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଥିଲେ । ତେଣୁ ‘ମିଲେଟ ଦିବସ’ ପାଳନ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରସ୍ତାବ ଦିଆଯାଇଥିଲା । ମୁଖ୍ୟମନ୍ତ୍ରୀ ଏହି ପ୍ରସ୍ତାବକୁ ଅନୁମୋଦନ କରିବା ପରେ ରାଜ୍ୟରେ ମାଣ୍ଡିଆ ଦିବସ ପାଳନ କରାଯାଇଥିଲା । ଆଗକୁ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ (ଏସଏଚଜି)ଙ୍କ ଦ୍ୱାରା ପରିଚାଳିତ ହେଉଥିବା ମିଲେଟ କାଫେ, ମିଲେଟ ଟିଫିନ ସେଣ୍ଟର ଜରିଆରେ ମିଲେଟର ପ୍ରଚାର ପ୍ରସାର କରାଯିବ । ମିଲେଟ ମିଶନରେ ରାଜ୍ୟ ସରକାର ପାଞ୍ଚ ବର୍ଷରେ ୨୮୦୦ କୋଟି ଟଙ୍କ ଖର୍ଚ୍ଚ କରିବେ । ପ୍ରତିବର୍ଷ ନଭେମ୍ବର ମାସ ୧୦ ତାରିଖକୁ ମାଣ୍ଡିଆ ଦିବସ ଭାବେ ପାଳନ ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ।

Get real time updates directly on you device, subscribe now.