fbpx

ସରନେମ ଶୁଣିଲେ ଲାଗିବ ସେ ଜଣେ ବଙ୍ଗାଳୀ, କିନ୍ତୁ ସେ ନୁହନ୍ତି; ଜାଣନ୍ତୁ ପଶ୍ଚିମବଙ୍ଗର ନୂତନ ରାଜ୍ୟପାଳଙ୍କ ବିଷୟରେ

ନୂଆଦିଲ୍ଲୀ: ସରନେମ ଶୁଣିଲେ ଲାଗିବ ସେ ଜଣେ ବଙ୍ଗାଳୀ ବ୍ୟକ୍ତି। କିନ୍ତୁ ବାସ୍ତବରେ ସେ ଜଣେ କେରଳର କୋଟ୍ଟାୟମ ବାସିନ୍ଦା। ଆଉ  ସେ ହେଉଛନ୍ତି ପଶ୍ଚିମବଙ୍ଗର ନୂତନ ରାଜ୍ୟପାଳ ସି ଭି ଆନନ୍ଦ ବୋଷ।ସେ ଜଣେ କେରଳି ହୋଇଥିଲେ ହେଁ ତାଙ୍କ ଟାଇଟଲ୍‌ ବୋଷ କେମିତି ହେଲା ତାର ରୋଚକ କାହାଣୀ କହିଛନ୍ତି। ସେ କୋଲକାତାରେ ଦୀର୍ଘ ସମୟ ଧରି ବ୍ୟାଙ୍କ ଅଫିସର ଭାବେ କାମ କରିଛନ୍ତି।

ବୋଷ ଏମିତି ଜଣେ ବ୍ୟକ୍ତି ଯିଏ ଜଣେ ଆଇଏଏସ ଅଧିକାରୀ, ବିଟ୍ସ ପିଲାନୀ ୟୁନିଭର୍ସିଟିରୁ ଦର୍ଶନଶାସ୍ତ୍ରରେ ପିଏଚଡି, ୪୫ ପୁସ୍ତକର ରଚୟିତା ଏବଂ ୩୫୦ ପୁସ୍ତକର ପ୍ରକାଶକ, ଆବାସ ବିଶେଷଜ୍ଞ, ବିଶ୍ଵ ବିଦ୍ୟାଳୟର ପୂର୍ବତନ କୁଳପତି, କେରଳର ପୂର୍ବତନ ମୁଖ୍ୟ ସଚିବ ଆଦି ପଦରେ କାମ କରିବାର ଢେର ଅଭିଜ୍ଞତା ରହିଛି। ସେ ମେଘାଳୟ ସରକାରଙ୍କ ପରାମର୍ଶଦାତା ଭାବେ ବି କାମ କରିଛନ୍ତି।

ଏହି ସବୁ ପରେ ବି ବୋଷଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ମ୍ୟାନ୍ ଅଫ ଆଇଡିଆ’ କୁହାଯାଏ। କାରଣ ୨୦୨୨ରେ ସ୍ଵଳ୍ପ ମୂଲ୍ୟରେ ଜନତାଙ୍କୁ ବାସଭବନ ଯୋଗାଇ ଦେବାରେ ଭାରତ ସରକାରଙ୍କ ଯୋଜନାର ସଫଳ ରୂପାୟନ ପଛରେ ବୋଷଙ୍କ ହାତ ରହିଛି। ବୋଷ ସେହି କାର୍ଯ୍ୟକାରୀ ସମୂହର ଅଂଶ ଥିଲେ, ଯେଉଁମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଇଁ ବିକାଶମୂଳକ ଏଜେଣ୍ଡା ପ୍ରସ୍ତୁତ କରୁଥିଲେ। ଆଉ ସେ ହିଁ କେନ୍ଦ୍ର ସରକାରଙ୍କୁ ଅଳ୍ପ ଖର୍ଚ୍ଚରେ କେମିତି ବାସହୀନ ଲୋକଙ୍କୁ ବାସଗୃହ ଯୋଗାଇ ଦିଆଯିବ ତାର ଉପାୟ ଏବଂ ଯୋଜନାର ପ୍ରସ୍ତାବ ଦେଇଥିଲେ।

ଆନନ୍ଦ ବୋଷ କାହିଁକି ?

ବୋଷ ଆରମ୍ଭରୁ କେବେ ବି ରାଜନୀତି ପ୍ରତି ରୁଚି ରଖୁନଥିବା ବ୍ୟକ୍ତି ଥିଲେ। ତାଙ୍କର ଧ୍ୟାନ ସର୍ବଦା ବିକାଶମୂଳକ ଏବଂ ପ୍ରଶାସନିକ ମାମଲା ଉପରେ ରହୁଥିଲା। ମାତ୍ର ସେ ଏମିତି ପ୍ରମୁଖ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ସ୍ଵତନ୍ତ୍ର ଭାବେ ବିଜେପିର କେନ୍ଦ୍ରୀୟ ନେତୃତ୍ଵଙ୍କ ସହ ଅନାୟସରେ ସିଧାସଳଖ ଆଲୋଚନା କରି ପାରୁଥିଲେ।

ସମୟ କ୍ରମେ ୨୦୧୯ରେ ସେ ବିଜେପିରେ ଆନୁଷ୍ଠାନିକ ଭାବେ ଯୋଗ ଦେଇଥିଲେ। କିନ୍ତୁ ସେ ନିଜ କ୍ୟାରିୟରରେ ରାଜ୍ୟ ଏବଂ କେନ୍ଦ୍ର ସରକାରରେ ଅନେକ ଗୁରୁତ୍ଵପୂର୍ଣ୍ଣ ପଦରେ କାମ କରିଥିଲେ। ସୂତ୍ର ଅନୁଯାୟୀ କରୋନା ଲକଡାଉନ ସମୟରେ ପ୍ରବାସୀ ଶ୍ରମିକଙ୍କ ଥଇଥାନ ଏବଂ ସମସ୍ୟାର ସମାଧାନ ପାଇଁ ଶ୍ରମ ମନ୍ତ୍ରଣାଳୟ ସିଭି ଆନନ୍ଦ ବୋଷଙ୍କ ପରାମର୍ଶ ଲୋଡିଥିଲେ। ଏପରିକି ତାଙ୍କୁ କେନ୍ଦ୍ର ସରକାରଙ୍କ କର୍ଣ୍ଣ କୁହାଯାଏ। କେବଳ ଏତିକି ନୁହେଁ ଯେବେ ସେ ରାଜ୍ୟ ବିଷୟରେ କିଛି ତଥ୍ୟ ଦିଅନ୍ତି ତେବେ ବିଜେପି ହାଇକମାଣ୍ଡ ଏହା ଉପରେ ଧ୍ୟାନ ଦେବାକୁ ବାଧ୍ୟ ହୋଇଥାନ୍ତି।

ପରିବର୍ତ୍ତନ ଆସିବ

ପଶ୍ଚିମବଙ୍ଗ ବିଜେପି ଆଶା ରଖିଛି ଯେ, ଜଗଦୀପ ଧନଖଡ ରାଜ୍ୟପାଳ ଥିବା ସମୟରେ ଯେମିତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପ୍ରତି  କୋଠର ଆଭିମୁଖ୍ୟ ଆପଣେଉଥିଲେ ଠିକ୍ ସେହି ପରି ବୋଷ ମଧ୍ୟ କରିବେ। ଧନଖଡ ବର୍ତ୍ତମାନ ଭାରତର ଉପ ରାଷ୍ଟ୍ରପତି। ଧନଖଡ ଏବଂ ମମତାଙ୍କ ମଧ୍ୟରେ ତିକ୍ତତା ଏବଂ ମତଭେଦ ବିଷୟରେ କିଏ ଅବା ନଜାଣେ। ରାଜ୍ୟପାଳ ଭାବେ ତାଙ୍କର ଶେଷ ଦିନ ପର୍ଯ୍ୟନ୍ତ ମମତାଙ୍କ ସହ ଧନଖଡଙ୍କ ବିବାଦ ଲାଗି ରହିଥିଲା। ବିଶେଷ କରି ରାଜ୍ୟର ଆଇନ ଶୃଙ୍ଖଳାକୁ ନେଇ ମୁହାଁମୁହିଁ ହେଉଥିଲେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ଏବଂ ରାଜ୍ୟପାଳ ଧନଖଡ।

ଧନଖଡଙ୍କ ଇସ୍ତଫା ପରେ ଏବଂ ଉପ ରାଷ୍ଟ୍ରପତି କାର୍ଯ୍ୟଭାର ସମ୍ଭାଳିବା ପରେ ଏଲଏ ଗଣେଶନଙ୍କୁ ପଶ୍ଚିମବଙ୍ଗର ଅନ୍ତରୀଣ ରାଜ୍ୟପାଳ ଭାବେ ଦାୟିତ୍ଵ ଦିଆଯାଇଛି। ଆଉ ଧନଖଡଙ୍କ ବୀପରିତ ଗଣେଶନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ସୁସମ୍ପର୍କ ରଖିଛନ୍ତି।

ତେବେ ପଞ୍ଚାୟତ ନିର୍ବାଚନ ନିକଟତର ହେବା କ୍ଷଣି କେନ୍ଦ୍ର ସରକାର ଏଲଏ ବୋଷଙ୍କୁ ଅନ୍ତରୀଣ ରାଜ୍ୟପାଳ ଗଣେଶନଙ୍କ ସ୍ଥାନରେ ପଶ୍ଚିମବଙ୍ଗର ସ୍ଥାୟୀ ରାଜ୍ୟପାଳ ଭାବେ ନିଯୁକ୍ତ କରିଛି। ବୋଷଙ୍କ ବିଜେପି ସହ ମଧୁର ସଂପର୍କ ରହିଛି ଏବଂ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅତି ଘନିଷ୍ଠ। ଏବେ ପଶ୍ଚିମବଙ୍ଗ ରାଜ୍ୟ ବିଜେପି ଏହା ଉପରେ ନଜର ରଖିଛନ୍ତି ଯେ, ବୋଷ ପୂର୍ବତନ ରାଜ୍ୟପାଳ ଜଗଦୀପ ଧନଖଡଙ୍କ ପଥକୁ ଅନୁସରଣ କରିବେ ନା ଏଲଏ ଗଣେଶନଙ୍କ ପରି ମମତା ବାନାର୍ଜୀ ସରକାରଙ୍କ ସହ ଉତ୍ତମ ସମନ୍ଵୟ ରଖି କାମ କରିବେ।

Get real time updates directly on you device, subscribe now.