fbpx

DPSର ମାନ୍ୟତା ରଦ୍ଦ: ଫିସ୍ ବୃଦ୍ଧି ପଡ଼ିଲା ମହଙ୍ଗା, କେଜ୍ରିୱାଲ ସରକାରଙ୍କ କଠୋର କାର୍ଯ୍ୟାନୁଷ୍ଠାନ, ଛାତ୍ର ଓ ଶିକ୍ଷକମାନେ ଏବେ କରିବେ କ’ଣ

ନୂଆଦିଲ୍ଲୀ: ଦିଲ୍ଲୀ ପବ୍ଲିକ ସ୍କୁଲ (ଡିପିଏସ) ଉପରେ ଏକ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଫିସ୍ ବୃଦ୍ଧି କାରଣକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସରକାର ଡିପିଏସ ରୋହିଣୀର ମାନ୍ୟତା ରଦ୍ଦ କରିଥିବା ଜଣାପଡ଼ିଛି । ଏଥିସହିତ ୨୦୨୩-୨୪ ଶିକ୍ଷାବର୍ଷରେ ଏହି ସ୍କୁଲରେ ଛାତ୍ରଛାତ୍ରୀଙ୍କ ପ୍ରବେଶ ଉପରେ ରୋକ ଲାଗୁ କରାଯାଇଛି । ତେବେ ୨୦୨୩-୨୩ରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ଉପରେ ଏହାର କୌଣସି ପ୍ରଭାପ ପଡ଼ିବ ନାହିଁ ବୋଲି ଜଣାପଡ଼ିଛି । ଏନେଇ ଦିଲ୍ଲୀ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି ।

ଦେଶର ସର୍ବବୃହତ ପ୍ରାଇଭେଟ ସ୍କୁଲ କୁହାଯାଉଥିବା ଡିପିଏସର ଏକ ସ୍କୁଲର ମାନ୍ୟତା ରଦ୍ଦକୁ ନେଇ ଏବେ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ଉପରେ ଭାଳେଣି ପଡ଼ିଛି । ଦିଲ୍ଲୀ ସରକାରଙ୍କ ପକ୍ଷରୁ ଡିପିଏସ ରୋହିଣୀ ବିରୋଧରେ ଏହି ଆକ୍ସନ ନିଆଯାଇଛି । ଏହି ସ୍କୁଲ ଦ୍ୱାରା ମନମୁଖୀ ଭାବେ ଫିସ୍ ବୃଦ୍ଧି କରାଯାଇଥିଲା । ଏପରିକି ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ନିୟମକୁ ଏହି ସ୍କୁଲ ଉଲ୍ଲଂଘନ କରିଥିଲା । ଫଳସ୍ୱରୂପ ଶେଷରେ ସରକାରଙ୍କ ପକ୍ଷରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ଘରୋଇ ସ୍କୁଲର ଫିସକୁ ନେଇ ଦିଲ୍ଲୀ ସରକାରଙ୍କ କିଛି ନିୟମ ରହିଛି । ଯଦି କୌଣସି ସ୍କୁଲ ଦିଲ୍ଲୀ ଡେଭଲପମେଣ୍ଟ ଅଥରିଟି ଅର୍ଥାତ ଡିଡିଏଙ୍କ ଜମି ଉପରେ ନିର୍ମାଣ ହୋଇଥିବ, ତେବେ ଫିସ୍ ବଢ଼ାଇବା ପୂର୍ବରୁ ଶିକ୍ଷା ବିଭାଗଠାରୁ ଅନୁମତି ନେବାକୁ ପଡ଼ିବ । ଏହି ସର୍ତ୍ତ ଆଧାରରେ ସ୍କୁଲଗୁଡ଼ିକୁ ଜମି ପ୍ରଦାନ କରାଯାଇଥାଏ । ଗତ ୨୦୧୬ରେ ଦିଲ୍ଲୀ ହାଇକୋର୍ଟ ଏନେଇ ନିଷ୍ପତ୍ତି ଶୁଣାଇଥିଲେ । ତେବେ ଡିପିଏସ ରୋହିଣୀର ମାନ୍ୟତା ଅସ୍ଥାୟୀ ଭାବେ ରଦ୍ଦ କରାଯାଇଛି । ଯଦି ସ୍କୁଲ ପକ୍ଷରୁ ସମସ୍ତ ଭୁଲକୁ ସୁଧାରି ନିଆଯାଏ, ତେବେ ତା’ର ମାନ୍ୟତା ରଦ୍ଦ ପ୍ରତ୍ୟାହାର କରିନିଆଯିବ ।

Get real time updates directly on you device, subscribe now.