fbpx

ପାକିସ୍ତାନକୁ ଲାଗିଲା ବଡ଼ ଝଟକା: ପାକ୍ କ୍ରିକେଟ ଟିମକୁ ବିଶ୍ୱକପ୍ ପାଇଁ ଭିସା ଦେଲାନି ଭାରତ

ନୂଆଦିଲ୍ଲୀ: ଚଳିତ ଡିସେମ୍ବର ମାସ ୫ରୁ ୧୭ ତାରିଖ ପର୍ଯ୍ୟନ୍ତ ଭାରତରେ ଦୃଷ୍ଟିହୀନ ଟି-୨୦ ବିଶ୍ୱକପ ଆୟୋଜିତ ହେବ । ତେବେ ଏହି ବିଶ୍ୱକପରେ ପାକିସ୍ତାନ ଭାଗ ନେଇ ପାରିବ ନାହିଁ । ପାକିସ୍ତାନକୁ ଜବରଦସ୍ତ ଝଟକା ଦେଇଛି ଭାରତ । ଭାରତ ପକ୍ଷରୁ ପାକିସ୍ତାନର ଭିସାକୁ ବାତିଲ କରିଦିଆଯାଇଛି । ବ୍ଲାଇଣ୍ଡ କ୍ରିକେଟ ଫେଡେରେସନ ଅଫ୍ ଇଣ୍ଡିଆ (ସିଏବିଆଇ) ପକ୍ଷରୁ ଏ ବାବଦରେ ସୂଚନା ଦିଆଯାଇଛି ।

ସିଏବିଆଇର ଅଧ୍ୟକ୍ଷ ଜିକେ ମହନ୍ତେଶ କହିଛନ୍ତି, ପାକିସ୍ତାନର ଭିସା ଖାରଜ ହୋଇଯାଇଛି । ପାକିସ୍ତାନ ବିଶ୍ୱକପରେ ଅଂଶଗ୍ରହଣ କରିପାରିବ ନାହିଁ । ଆମେମାନେ ଏ ବାବଦରେ ବହୁତ ପ୍ରୟାସ କରିଥିଲୁ ମାତ୍ର ତାହା ସଫଳ ହୋଇ ନଥିଲା । ସବୁକିଛି ସରକାରଙ୍କ ଉପରେ ନ୍ୟସ୍ତ ଥିଲା, ଆମ ହାତରେ କିଛି ନଥିଲା । ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ପ୍ରଥମ ମ୍ୟାଚରେ ଶାନଦାର ପ୍ରଦର୍ଶନ କରି ନେପାଳକୁ ୨୭୪ ରନରେ ପରାସ୍ତ କରିଛି । ଶିଡ୍ୟୁଲ ମୁତାବକ, ଡିସେମ୍ବର ୭ରେ ଭାରତ-ପାକ୍ ମୁକାବିଲା ହେବାର ଥିଲା, ମାତ୍ର ତାହା ଏବେ ସମ୍ଭବ ହୋଇପାରିବ ନାହିଁ ।

ଅନ୍ୟପଟେ ଏହି ପ୍ରସଙ୍ଗରେ ପାକିସ୍ତାନ ବ୍ଲାଇଣ୍ଡ କ୍ରିକେଟ କାଉନସିଲ (ପିବିସିସି) ପକ୍ଷରୁ ବୟାନ ସାମ୍ନାକୁ ଆସିଛି । ଏହି ଦୁର୍ଭାଗ୍ୟପୂର୍ଣ୍ଣ ଘଟଣାରେ ପାକିସ୍ତାନ ଟିମକୁ ଛାଡ଼ି ଦିଆଯାଇଛି । ଗତ ୨୦୧୨ ଓ ୨୦୨୭ରେ ପାକିସ୍ତାନ ଉପବିଜେତା ରହିଥିଲା । ଏଥିସହିତ ୨୦୨୧ ଓ ୨୦୨୨ରେ ହୋଇଥିବା ତ୍ରିକୋଣୀୟ ସିରଜରେ ଟି-୨୦ ବିଶ୍ୱ ଚାମ୍ପିୟନ ଭାରତକୁ କ୍ରମାଗତ ପାଞ୍ଚଥର ହରାଇଥିଲା । ତେଣୁ ପାକିସ୍ତାନ ଚଳିତ ବିଶ୍ୱକପ ଜିତିବାର ଅନ୍ୟତମ ଦାବିଦାର ଥିଲା । ଭାରତ-ପାକ୍ ପୁଣି ଥରେ ମୁହାଁମୁହିଁ ହେବାର ସୁଯୋଗ ରହିଥିଲା । ମାତ୍ର ରାଜନୈତିକ ଆଧାରରେ ବିଦେଶ ମନ୍ତ୍ରଣାଳୟ ପାକିସ୍ତାନ ଦୃଷ୍ଟିହୀନ କ୍ରିକେଟ ଟିମକୁ ଭିସା ପ୍ରଦାନ କରିନାହିଁ ।

Get real time updates directly on you device, subscribe now.