fbpx

ଇଫୁ ମଲ୍ଲିକଙ୍କୁ ମିଳିଲା ଆର୍ଥିକ ସହାୟତା: ପାଠପଢ଼ାର ସମସ୍ତ ଖର୍ଚ୍ଚ ବହନ କରିବେ ଓଡ଼ିଶା ସରକାର

ଭୁବନେଶ୍ୱର: ଡାକ୍ତର ହେବାକୁ ସ୍ୱପ୍ନ ଦେଖୁଥିବା କନ୍ଧମାଳର ଆଦିବାସୀ ଛାତ୍ର ଇଫୁ ମଲ୍ଲିକଙ୍କୁ ମିଳିଲା ଆର୍ଥିକ ସହାୟତା । ରାଜ୍ୟ ଏସସି/ଏସଟି ବିକାଶ ପକ୍ଷରୁ ଏହି ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି । ମିଳିଥିବା ସୂଚନା ଅନୁସାରେ, ନାମଲେଖା ପାଇଁ ୬୨,୯୫୦ ଟଙ୍କାର ସହାୟତା ପ୍ରଦାନ କରାଯିବ । ଏହା ସହ ପାଠପଢ଼ାର ସମସ୍ତ ଖର୍ଚ୍ଚ ବହନ କରିବେ ଓଡ଼ିଶା ସରକାର । ତେବେ ନିଟ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି କନ୍ଧମାଳର ଇଫୁ ମଲ୍ଲିକ । ଡାକ୍ତରୀ ପାଠ ପଢ଼ିବାକୁ ତାଙ୍କପାଇଁ ଅର୍ଥ ସାଜିଥିଲା ବାଧକ । ଖବର ପ୍ରସାରିତ ହେବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ସହାୟତା ରାଶି ଘୋଷଣା କରାଯାଇଛି । ଇଫୁଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାଙ୍କ ଡାକ୍ତରୀ ପାଠପଢ଼ାର ଖର୍ଚ୍ଚ ପାଇଁ ମୁଖ୍ୟମନ୍ତ୍ରୀ ଦେଇଛନ୍ତି ସହାୟତା ଓ ସହଯୋଗର ପାଣ୍ଠି । ମୁଖ୍ୟମନ୍ତ୍ରୀଙ୍କ ସହାୟତା ଓ ସହଯୋଗ ମିଳିବା ପରେ ଇଫୁ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛନ୍ତି କୃତଜ୍ଞତାର କୋଟି ପ୍ରଣାମ ।

ତେବେ କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ମିଡ଼ିଆକିଆ ପଞ୍ଚାୟତରେ ବାଗରା ମିଲା ଗ୍ରାମର ଦିନ ମଜୁରିଆର ପୁଅ ଇଫୁ ମଲ୍ଲିକ ପିଲାବେଳୁ ଡାକ୍ତର ହେବାର ସ୍ୱପ୍ନ ଦେଖିଥିଲେ ଡାକ୍ତର ହୋଇ ଗରିବ ଲୋକଙ୍କ ସେବା କରିବେ ବୋଲି ଭାବିଥିଲେ ।ପରିବାରରେ ବୃଦ୍ଧ ବାପାମା’, ବଡ଼ ଭାଇ ଓ ସାନ ଭଉଣୀ ଅଛନ୍ତି। ହେଲେ କେହି ମଧ୍ୟ ରୋଜଗାରିଆ ନୁହନ୍ତି। ପିଲାଟି ବେଳୁ ଅଭାବ ଅନଟନରେ ବଢ଼ିଥିବା ଇଫୁଙ୍କର ପାଠପଢ଼ା ପ୍ରତି ପ୍ରବଳ ଆଗ୍ରହ ରହିଛି। ବିନା କୌଣସି ସାହାଯ୍ୟ ସହଯୋଗରେ ସେ ମାଟ୍ରିକ ଓ ଯୁକ୍ତ ୨ ପରୀକ୍ଷାରେ ବେଶ୍ ଭଲ ନମ୍ବର ରଖି କୃତକାର୍ଯ୍ୟ ହୋଇଥିଲେ।ଚଳିତ ବର୍ଷ ନିଟ‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଇଫୁ କୋରାପୁଟ ସ୍ଥିତ ସହିଦ ଲକ୍ଷଣ ନାୟକ ମେଡିକାଲ କଲେଜରେ ନାମ ଲେଖାଇଛନ୍ତି।

ମେଡିକାଲ କଲେଜରେ ନାମ ସିନା ଲେଖାଇ ଦେଇଛନ୍ତି, ହେଲେ ଆଗକୁ କିପରି ଗୋଟିଏ ପରେ ଗୋଟିଏ ପାହାଚ ଚଢ଼ି ନିଜ ସ୍ୱପ୍ନକୁ ହାସଲ କରିବେ ଏବେ ସେ ଚିନ୍ତା ଘାରିଥିଲା। କାରଣ ଆସନ୍ତା ୫ ବର୍ଷ ପାଇଁ ନିଜର କଲେଜ ଫି, ହଷ୍ଟେଲ ଫି ତଥା ପାଠପଢ଼ା ଖର୍ଚ୍ଚ କେଉଁଠୁ ଯୋଗାଡ଼ କରିବେ ସେ ନେଇ ଶାନ୍ତିରେ ରହି ପାରୁ ନଥିଲେ ଇଫୁ । ଅର୍ଥ ଯୋଗାଡ଼ କରିବାକୁ କେତେବେଳେ ପର ବିଲରେ ମଜୁରୀ ଲାଗୁଛନ୍ତି ତ କେତେବେଳେ ଜିନିଷ ବୋହି ଆଣୁଛନ୍ତି। ଏମିତି କାମଧନ୍ଦା କରି ସେ ନିଜ ପାଠପଢ଼ା ପାଇଁ କିଛି ପଇସା ଯୋଗାଡ଼ କରିପାରିବେ ବୋଲି ଆଶା ରଖିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହଯୋଗ ପରେ ଇଫୁଙ୍କ ସ୍ବପ୍ନ ଏବେ ସାକାର ହେବ ।

Get real time updates directly on you device, subscribe now.