fbpx

ପଦ୍ମପୁର ଉପନିର୍ବାଚନ ଫଳାଫଳ: ସରିଲା ପ୍ରଥମ ରାଉଣ୍ଡ ଗଣତି ପ୍ରକ୍ରିୟା, କାହାକୁ ମିଳିଲା କେତେ ଭୋଟ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାରା ରାଜ୍ୟବାସୀଙ୍କ ନଜର ଏବେ ପଦ୍ମପୁର ଉପନିର୍ବାଚନର ଫଳାଫଳ ଉପରେ । ନିକଟରେ ଶେଷ ହୋଇଥିବା ଧାମନଗର ଉପନିର୍ବାଚନରେ ଶାସକ ବିଜେଡିକୁ ବିରୋଧୀ ବିଜେପି ମାତ୍ ଦେଇଥିବାରୁ ପଦ୍ମପୁରର ଗୁରୁତ୍ୱ ବଢ଼ିଯାଇଛି । ବିଜେଡି ପ୍ରାର୍ଥୀ ବର୍ଷା ବରିହା ସିଂ, ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ଓ କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ ଆଜି ।

ତେବେ ଆଜି ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଛି । ମୋଟ ୨୩ଟି ରାଉଣ୍ଡରେ ଭୋଟ କାଉଣ୍ଟିଂ ସରିବା ପରେ ଫଳାଫଳ ସାମ୍ନାକୁ ଆସିବ । ବିଜେଡି ପ୍ରାର୍ଥୀ ବର୍ଷାଙ୍କୁ ୫୫୦୧ଟି ଭୋଟ ମିଳିଛି । ସେହିପରି ବିଜେପି ପ୍ରାର୍ଥୀ ପ୍ରଦୀପଙ୍କୁ ୩୭୮୯ ଓ କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣଙ୍କୁ ୨୦୬ଟି ଭୋଟ ମିଳିଛି । ଆଜି ସକାଳର ପ୍ରଥମ ରାଉଣ୍ଡ ଗଣତି ଅନୁଯାୟୀ ବିଜେଡି ଆଗରେ ରହିଛି । ଆଗକୁ କିଏ ଲିଡିଂ ନେବ ତା’ ଉପରେ ଜନତାଙ୍କ ନଜର ରହିବ ।

ନିକଟରେ ଧାମନଗର ଉପନିର୍ବାଚନରେ ବିଜେଡି ପରାଜୟର ସ୍ୱାଦ ଚାଖିଥିବାରୁ ଚଳିତ ଉପନିର୍ବାଚନ ଦଳର ସୁପ୍ରିମୋଙ୍କ ପାଇଁ ସମ୍ମାନର ପ୍ରଶ୍ନ ହୋଇଛି । ତେଣୁ ପଦ୍ମପୁର ଦଖଲ କରି ବିଜେଡି ପୁଣି ଥରେ ତା’ର ଅତୀତର ଶକ୍ତିକୁ ଫେରି ପାଇବା ପ୍ରୟାସରେ ରହିଛି । ଅନ୍ୟପକ୍ଷରେ ବିଜେପି ମଧ୍ୟ ଏକାଧିକ କେନ୍ଦ୍ରମନ୍ତ୍ରୀଙ୍କୁ ଏହି ନିର୍ବାଚନରେ ପ୍ରଚାରରେ ସାମିଲ କରିଥିଲା । ଧାମନଗର ଉପନିର୍ବାଚନରେ ଜିତିବା ପରେ ଦଳର କର୍ମୀଙ୍କର ମନୋବଳ ବହୁମାତ୍ରାରେ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ସେହିପରି କଂଗ୍ରେସ ମଧ୍ୟ ନୂତନ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ନିଜର ଦମ୍ ଦେଖାଇବା ପ୍ରୟାସରେ ରହିଛି ।

Get real time updates directly on you device, subscribe now.