fbpx

ଓଡ଼ିଶା ଆସିବେ ପ୍ରିୟଙ୍କା: ରାଜ୍ୟ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଉତ୍ସାହ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୨୦୨୪ ବିଧାନସଭା ଓ ଲୋକସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜ୍ୟର ସମସ୍ତ ରାଜନୈତିକ ଦଳ ସେହି ମାତ୍ରାରେ ଚଳଚଞ୍ଚଳ ହୋଇ ଉଠୁଛନ୍ତି । ନିକଟରେ ଧାମନଗର ଓ ପଦ୍ମପୁର ଉପନିର୍ବାଚନରେ ବିଜେଡି, ବିଜେପି ଓ କଂଗ୍ରେସ ନିଜ ନିଜର ସମସ୍ତ କଳକୌଶଳ ପ୍ରୟୋଗ କରିଦେଇଥିଲେ । ତେବେ ପଲ୍ଲୀଠାରୁ ଆରମ୍ଭ କରି ଦିଲ୍ଲୀ ପର୍ଯ୍ୟନ୍ତ କଂଗ୍ରେସର ସ୍ଥିତିରେ କୌଣସି ଉନ୍ନତି ପରିଲକ୍ଷିତ ହେଉନଥିବା ଦେଖାଯାଉଛି ।

ଆଜି ରାଜ୍ୟ କଂଗ୍ରେସ ଭବନରେ ନବନିଯୁକ୍ତି ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ‘ହାତ୍ ସେ ହାତ୍ ଯୋଡ଼ୋ’ ବୈଠକ ବସିଥିଲା । ଆଗାମୀ ନିର୍ବାଚନରେ ଦଳକୁ ତୃଣମୂଳ ସ୍ତରରୁ କିପରି ମଜବୁତ କରାଯିବ ସେନେଇ ବୈଠକରେ ଆଲୋଚନା ହୋଇଥିବା ଜଣାପଡ଼ିଛି । କଂଗ୍ରେସ ନିଜର ଅତୀତର ତ୍ରୁଟିକୁ ସୁଧାରି କିପରି ଲୋକଙ୍କ ଆସ୍ଥାଭାଜନ ହୋଇ ପାରିବ ସେନେଇ ଦଳ ଖସଡ଼ା ପ୍ରସ୍ତୁତ କରୁଥିବା ଦଳୀୟ ମହଲରୁ ଜଣାପଡ଼ିଛି ।

ତେବେ ଏହା ମଧ୍ୟରେ ରାଜ୍ୟ କଂଗ୍ରେସ ପାଇଁ ଏକ ବଡ଼ ଖବର ଆସିଛି । ସର୍ବଭାରତୀୟ କଂଗ୍ରେସ କମିଟିର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ଓଡ଼ିଶା ଆସିବେ । ଆସନ୍ତା ଫେବୃଆରୀ ମାସ ୧୮ ତାରିଖରେ ସେ ଓଡ଼ିଶା ଗସ୍ତରେ ଆସିବେ ବୋଲି ଦଳ ପକ୍ଷରୁ କୁହାଯାଇଛି । ଆସନ୍ତା ୨୬ ତାରିଖରୁ ଦଳ ‘ହାତ୍ ସେ ହାତ୍ ଯୋଡ଼ୋ’ ଯାତ୍ରା ଆରମ୍ଭ କରିବ । ଆଜିର ବୈଠକରେ ଦଳର ରାଜ୍ୟ ପ୍ରଭାରୀ ଚେଲା କୁମାର, ପିସିସି ସଭାପତି, ସମସ୍ତ ବିଧାୟକ, ଜିଲ୍ଲା ସଭାପତି, ବରିଷ୍ଠ କଂଗ୍ରେସ ନେତା ଯୋଗ ଦେଇଥିଲେ ।

Get real time updates directly on you device, subscribe now.