ନୂଆଦିଲ୍ଲୀ:ଭାରତରେ ଏଭଳି ବହୁ ସ୍ଥାନ ରହିଛି ଯାହା ତାର କିଛି ବିଶେଷ ଉପାଦାନ ହେଉ କିମ୍ବା ଖାଦ୍ୟ ସାମଗ୍ରୀ ହେଉ ଅବା କିଛି ସ୍ୱତନ୍ତ୍ର ହସ୍ତତନ୍ତ ପାଇଁ ଖୁବ ପ୍ରସିଦ୍ଧ ହୋଇଥାଏ । ସେଥିପାଇଁ କିଛି କିଛି ସ୍ଥାନକୁ ସେହି ନାମରେ ମଧ୍ୟ ମନେ ରଖାଯାଏ। ଦେଖୁ ନାହାନ୍ତି ଯେପରି ଦାର୍ଜିଲିଙ୍ଗ ଚାହା, ବନାରସୀ ପାଟ,ମଧ୍ୟପ୍ରଦେଶର କଡକନାଥ ,ଓଡିଶାର ରସଗୋଲା ଆହୁରି କେତେ କଣ । ତେବେ ଏହି ସବୁ ନାମ କେବଳ ଏମିତି ମିଳିନଥାଏ । ଏଥିପାଇଁ ତାଙ୍କୁ ଭାରତ ସରକାରଙ୍କ ତରଫରୁ ଜିଆଇ ଟ୍ୟାଗ ମଧ୍ୟ ଦିଆଯାଇଥାଏ । ଜିଆଇ ଟ୍ୟାଗ ମାନେ ‘ଭୌଗଳିତ ସଙ୍କେତ’ । ଯାହା କୌଣସି ଉପାଦାନର ବିଶେଷତା ଆଉ ଗୁଣବର୍ତ୍ତାକୁ ଦର୍ଶାଇ ଥାଏ ।
ତେବେ ଏହି ଜିଆଇ ଟ୍ୟାଗ(GI) ମିଳିଲେ କଣ କଣ ସୁବିଧା ହୋଇଥାଏ ଆସନ୍ତୁ ଜାଣିବା : ନିକଟରେ ଆସାମର ଗାମୋସାକୁ ଜିଆଇ ଟ୍ୟାଗ ମିଳିଛି । ଏଥିପାଇଁ ୫ବର୍ଷ ପୂର୍ବରୁ ସେମାନେ ଆବେଦନ କରିଥିଲେ । ତେବେ ସରକାର ଏହାକୁ ଜିଆଇ ମାନ୍ୟତା ପ୍ରଦାନ କରିଛି । ଏହା ମିଳିବା ପରେ ଏହାର ଏକ ସ୍ୱତନ୍ତ୍ର ପରିଚୟ ମିଳିବା ସହିତ ଏହା ଦେଶ ବା ଦେଶ ବାହାରର ବିଭିନ୍ନ ପ୍ରାନ୍ତରେ ସୁନାମ ଅର୍ଜନ କରେ । ତେବେ ଏହି ଭଳି ଆଉ କେହି ତିଆରି କରି ତାକୁ ବଜାରରେ ବିକ୍ରି କରବାକୁ ଚାହିଁଲେ ସେ ଆଉ କରି ପାରିବେ ନାହିଁ । ଜିଆଇ ଟ୍ୟାଗ ସହିତ ତାଙ୍କୁ ଏକ ଲୋଗ ମଧ୍ୟ ପ୍ରଦାନ କରାଯାଇଥାଏ । ଯାହାକୁ କେବଳ ସେମାନେ ହିଁ ନିଜ ଉପାଦାନ ଉପରେ ବ୍ୟବହାର କରିପାରିବେ । ଯାହା ଦ୍ୱାରା ତାଙ୍କ ଦ୍ରବ୍ୟ ଅନ୍ୟ ଠାରୁ ଭିନ୍ନ ହେବା ସହିତ ଏହାକୁ ସହଜରେ ବାରି ହେବ ।
ଭାରତ ୱାର୍ଲ୍ଡ ଟ୍ରେଡ ଅର୍ଗାନାଇଜେସନ (WTO)ର ସଦସ୍ୟ ହେବାପରେ ଜିଆଇ ଟ୍ୟାଗ ଅଧିନିୟମ ୧୯୯୯ ମସିହାରେ ପ୍ରଣୟନ କରିଥିଲା । ଯାହା ୨୦୦୩ ମସିହା ସେପ୍ଟେମ୍ବର ୧୫ରେ ଲାଗୁ ହେଲା । ଏହା ସୁନିଶ୍ଚିନ୍ତ କଲା ଯେ ପ୍ରାଧୀକୃତ ଉପଭୋକ୍ତା ବ୍ୟତୀତ ଆଉ କେହି ଭୌଗଳିକ ଉତ୍ପାଦ ବଣ୍ଟନ କରିପାରିବେ ନାହିଁ । ଏଥିପାଇଁ ଦେଶ ଅନ୍ୟ ଦେଶ ମାନଙ୍କ ସହିତ ଟ୍ରିପ ନାମକ ଏକ ଚୁକ୍ତି ସ୍ୱାକ୍ଷର କରିଛି । ଯାହା ଫଳରେ ଆର୍ନ୍ତଦେଶ ମଧ୍ୟରେ ଯେପରି ଏହି ଭଳି ନକଲି ଦ୍ରବ୍ୟର ଉତ୍ପତି ହେବ ନାହିଁ ତାହା ପ୍ରତି ଧ୍ୟାନ ଦିଆଯିବ ।
କାହାକୁ ମିଳି ପାରିବ ଜିଆଇ ଟ୍ୟାଗ: ଭୌଗଳିକ ସଙ୍କେତ କେବଳ ଏହି ୪ଟି ଦ୍ରବ୍ୟକୁ ମିଳିପାରି ବୋଲି ସୂଚନା ଦିଆଯାଇଛି । ଏଥିରେ କୃଷିଜାତ ଦ୍ରବ୍ୟ,ଉତ୍ପାଦିତ ସାମଗ୍ରୀ,ଖାଦ୍ୟ ସାମଗ୍ରୀ ଏବଂ ହସ୍ତତନ୍ତ ଦ୍ରବ୍ୟକୁ ଏହି ଟ୍ୟାଗ ମିଳିପାରିବ ।
କିପରି ଆଉ କିଏ କରିପାରିବେ ଆବେଦନ: ଆବେଦନକାରୀ ବ୍ୟକ୍ତି ଗୋଟିଏ ଆସୋସିଏସନ ସହିତ ଜଡିତ ଥିବା ଆବଶ୍ୟକ।କିମ୍ବା କୌଣସି ଉତ୍ପାଦକ ସଙ୍ଗଠନ ଦ୍ୱାରା ସ୍ୱୀକୃତିପ୍ରାପ୍ତ ବ୍ୟକ୍ତି ହିଁ ଏହା ପାଇଁ ଆବେଦନ କରିପାରିବେ । ସହଜ ଉପାୟରେ କହିବାକୁ ଗଲେ ସେ ଜଣେ ଇଲୋକ୍ଟରାଲ ବଡି ହୋଇଥିବା ଆବଶ୍ୟକ ।
ତେବେ ଆପଣ ଯେଉଁ ସାମଗ୍ରୀ ପାଇଁ ଜିଆଇ ଟ୍ୟାଗ ଆବେଦନ କରିବାକୁ ଚାହୁଁଛନ୍ତି ତାହା ବିଶେଷତ୍ୱ ଏବଂ ତାହାର ଗୁଣବତ୍ତା,ପ୍ରତିଷ୍ଠା ଅନ୍ୟ କେଉଁ ସ୍ଥାନର ଯେପରି ନହୋଇ ଥିବ ତାହା ଆପଣଙ୍କୁ ଧ୍ୟାନ ଦେବାକୁ ପଡିବ । ଉଦାହରଣ ଯେତେବେଳେ ରସଗୋଲାକୁ ନେଇ ପଶ୍ଚିମବଙ୍ଗ ଆଉ ଓଡିଶା ଭିତରେ ବିବାଦ ହେଲା ଯେ ରସଗୋଲା ହେଉଛି ଆମର ତେବେ ଏହି ଘଟଣାରେ ଉଭୟ ପକ୍ଷକୁ ରସଗୋଲାର ଉତ୍ପତି ସର୍ମ୍ପକୀତ ତଥ୍ୟ ଉପସ୍ଥାପନା କରବାକୁ ପଡିଲା । ଏବଂ ଏହି ତଥ୍ୟ ଆଧାରରେ ଉଭୟ ସ୍ଥାନର ରସଗୋଲାକୁ ଜିଆଇ ଟ୍ୟାଗ ମିଳିଲା । ଠିକ ସେହିଭଳି ଆପଣଙ୍କୁ ସମସ୍ତ ତଥ୍ୟ ଦେବାକୁ ହେବ । ଏହାର ଯାଞ୍ଚ ପରେ ହିଁ ଜିଆଇ ଟ୍ୟାଗ ମିଳି ପାରିବ । ଏହା ସହିତ ଆପଣଙ୍କୁ ଏକ ଲୋଗୋ ମିଳିବ ଯାହାକୁ ଆପଣ ଉତ୍ପାଦିତ ସାମଗ୍ରୀରେ ବ୍ୟବହାର କରି ପାରିବେ । ତେବେ ଏକ ମହତ୍ତ୍ୱପୂର୍ଣ୍ଣ ସୂଚନା ହେଉଛି ଯେ ଏହି ଟ୍ୟାଗ ୧୦ ବର୍ଷ ପର୍ଯ୍ୟନ୍ତ ରହିଥାଏ । ଏହାପରେ ଆପଣଙ୍କୁ ପୁଣି ଥରେ ରିନ୍ୟୁ କରିବାକୁ ପଡିଥାଏ ।
ସର୍ବପ୍ରଥମେ ଦାର୍ଜିଲିଙ୍ଗ ଚାହାକୁ ଜିଆଇ ଟ୍ୟାଗ ମିଳିଥିଲା । ଏହା ମିନିଷ୍ଟ୍ରି ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଅଧିନରେ ଆସୁଥିବା ଡିପାଟମେଣ୍ଟ ଫର ପ୍ରମୋସନ ଅଫ ଇଣ୍ଡଷ୍ଟ୍ରି ଆଣ୍ଡ ଇଣ୍ଡରନାଲ ଟ୍ରେଡ ଏହି ଟ୍ୟାଗ ପ୍ରଦାନ କରିଥାଏ । ୨୦୨୨ ସୁଦ୍ଧା ୪୩୨ ଦ୍ରବ୍ୟ ଉପରେ ଜିଆଇ ଟ୍ୟାଗ ପ୍ରଦାନ କରାଯାଇଛି ।ଏହି ଜିଆଇ ଟ୍ୟାଗ ପାଇଥିବା ଶୀର୍ଷ ରାଜ୍ୟ ଗୁଡିକ ହେଉଛି କର୍ଣ୍ଣାଟକ,ତାମିଲନାଡୁ,ଉତ୍ତରପ୍ରଦେଶ,କେରଳ ।
ଜିଆଇ ଟ୍ୟାଗ ମିଳିବା ଦ୍ୱାରା କେଉଁ ଲାଭ ହୋଇଥାଏ: ଦ୍ରବ୍ୟକୁ ଏକ ପରିଚୟ ମିଳିଥାଏ ।
ଏହାର ନକଲି କାରୋବାର ବନ୍ଦ ହୋଇଥାଏ ।
ଏହାକୁ ନିର୍ମାଣ କରିବା ପାଇଁ ଯେଉଁମାନେ କଷ୍ଟ କରିଥାଆନ୍ତି ତାଙ୍କୁ ତାଙ୍କର ପାରିଶ୍ରମ ମିଳେ ।
ପରିଚୟ ମିଳିବା ଦ୍ୱାରା ପର୍ଯ୍ୟଟକଙ୍କ ଆଗମନ ମଧ୍ୟ ହୁଏ ।
ବାଣିଜ୍ୟ ବୃଦ୍ଧି ହୁଏ । ଏହା ସହିତ ସାମଗ୍ରୀର ପ୍ରଚାର ପ୍ରସାର ମଧ୍ୟ ହୋଇଥାଏ ।