fbpx

ତାଳଚେର ସାର କାରଖାନା ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କଲେ ଦୁଇ କେନ୍ଦ୍ରମନ୍ତ୍ରୀ, ୨୦୨୪ ସୁଦ୍ଧା ହେବ କାର୍ଯ୍ୟକ୍ଷମ

ଭୁବନେଶ୍ୱର: ଭାରତର କୃଷି କ୍ଷେତ୍ରର ଉନ୍ନତି ପାଇଁ ସାର ଆବଶ୍ୟକ ଏବଂ ଦେଶ ଆମଦାନୀ ତଥା ସାରର ଘରୋଇ ଉତ୍ପାଦନ ଉପରେ ର୍ନିଭରଶୀଳ । ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ ଭାରତ ମଧ୍ୟ ଏହି କ୍ଷେତ୍ରରେ ଆତ୍ମନିର୍ଭର ହେବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛି । ଭାରତରେ ପାଞ୍ଚଟି ନୂତନ ସାର କାରଖାନା ପ୍ରତିଷ୍ଠା ସହିତ ଘରୋଇ ୟୁରିଆ ଉତ୍ପାଦନରେ ଏକ ବୃହତ୍ ଅଭିବୃଦ୍ଧି ହେବ। ଏହି ଚାରୋଟି କାରଖାନା ପୂର୍ବରୁ କାର୍ଯ୍ୟକ୍ଷମ ଥିବାବେଳେ ତାଳଚେର ହେଉଛି ଏକ କୋଇଲା ଗ୍ୟାସିଫିକେସନ୍ ଭିତ୍ତିକ କାରଖାନା ଯାହା ଅକ୍ଟୋବର ୨୦୨୪ ସୁଦ୍ଧା କାର୍ଯ୍ୟକ୍ଷମ ହେବ।

କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଏଫସିଆଇଏଲ ତାଳଚେର ପ୍ରକଳ୍ପର ଅଗ୍ରଗତିର ସମୀକ୍ଷା କରିବା ସମୟରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ରସାୟନ ଓ ସାର ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟ ଏହା କହିଛନ୍ତି । ଏଫସିଆଇଏଲ୍‍ ତାଳଚେରର ପୁନରୁଦ୍ଧାର କାର୍ଯ୍ୟ ଗେଲ ଇଣ୍ଡିଆ ଲିମିଟେଡ (ଗେଲ୍‍) ଦ୍ୱାରା ପ୍ରୋତ୍ସାହିତ କମ୍ପାନୀ ତାଳଚେର ଫର୍ଟିଲାଇଜର୍ସ ଲିମିଟେଡ (ଟିଏଫ୍‍ଏଲ୍‍), ରାଷ୍ଟ୍ରୀୟ କେମିକାଲ୍ସ ଆଣ୍ଡ ଫର୍ଟିଲାଇଜର୍ସ ଲିମିଟେଡ (ଆରସିଏଫ୍‍), କୋଲ ଇଣ୍ଡିଆ ଲମିଟେଡ (ସିଆଇଏଲ) ଏବଂ ଫର୍ଟିଲାଇଜର୍ସ କର୍ପୋରେସନ ଅଫ୍‍ ଇଣ୍ଡିଆ ଲିମିଟେଡ (ଏଫସିଆଇଏଲ୍‍) ଦ୍ୱାରା କରାଯାଉଛି ।

ଏହି ଅବସରରେ ଡକ୍ଟର ମାଣ୍ଡଭିୟ କହିଛନ୍ତି ଯେ ଦେଶକୁ ଆତ୍ମନିର୍ଭର କରିବାପାଇଁ ସରକାର ସମସ୍ତ ପ୍ରକାର ପଦକ୍ଷେପ ନେଉଛନ୍ତି । ସାର ହେଉଛି ଏହି କ୍ଷେତ୍ର ମଧ୍ୟରୁ ଗୋଟିଏ । ଆମର ସାର କାରଖାନାରେ କୋଇଲା ଗ୍ୟାସିଫିକେସନ୍ ଭଳି ନୂତନ ବୈଷୟିକ ଜ୍ଞାନକୌଶଳ ବ୍ୟବହାର କରି ଏବଂ କୋଇଲା ପରି ଆମର ସମ୍ପଦ (ସମ୍ବଳ) ବ୍ୟବହାର କରି ଭାରତ ୟୁରିଆ କ୍ଷେତ୍ରରେ ଆତ୍ମର୍ନିଭରଶୀଳତା ଆଡକୁ ଗତି କରୁଛି । ଏହି ଦୃଷ୍ଟିକୋଣରୁ ଭାରତ ସରକାର ତାଳଚେର ୟୁନିଟର ଅଗ୍ରଗତିର ସମୀକ୍ଷା କରୁଛନ୍ତି ଯାହା ଭାରତର ସର୍ବବୃହତ ତଥା ପ୍ରଥମ କୋଇଲା ଗ୍ୟାସିଫିକେସନ୍ ଭିତ୍ତିକ ୟୁରିଆ କାରଖାନା ହେବ ।

 

Get real time updates directly on you device, subscribe now.