ଆସନ୍ତା ୧୬ ତାରିଖରେ ଓଡ଼ିଶାରେ ପହଞ୍ଚିବ ବିଜୁଙ୍କ ଡାକୋଟା! ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକଙ୍କ ସୂଚନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରିୟ ବିମାନ ଡାକୋଟା ଖୁବଶୀଘ୍ର ଓଡ଼ିଶା ଫେରିବ । ପୂର୍ବରୁ ଏନେଇ ରାଜ୍ୟ ସରକାରଙ୍କ ତରଫରୁ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଏବେ ବହୁ ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି । ତେବେ ଆସନ୍ତା ୧୪ ତାରିଖରେ ଡାକୋଟା କଲିକତାରୁ ସଡ଼କ ପଥରେ ଆସିବ । ଏହାପରେ ଆସନ୍ତା ୧୬ ତାରିଖରେ ବିମାନ ଓଡ଼ିଶାରେ ପହଞ୍ଚିବ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ ।

ସୂଚନାଯୋଗ୍ୟ ଯେ, କଲିକତାଠାରେ ଦୀର୍ଘବର୍ଷ ଧରି ରହିଥିବା ଡାକୋଟାକୁ ଏକ ସ୍ୱତନ୍ତ୍ର ବିମାନ ଯୋଗେ ରାଜ୍ୟକୁ ଅଣାଯିବ । ଐତିହାସିକ ଡାକୋଟା ରାଜ୍ୟକୁ ଫେରିବା ପରେ ରାଜ୍ୟବାସୀ ବିଜୁଙ୍କ ଅନେକ ଗୌରବମୟ ଇତିହାସ ସମ୍ପର୍କରେ ଅବଗତ ହୋଇ ପାରିବେ । ଡାକୋଟାକୁ ଏକ ସ୍ୱତନ୍ତ୍ର ଯାନରେ ଅଣାଯାଇ ରାଜଧାନୀ ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ସଂରକ୍ଷିତ କରି ରଖାଯିବ । ପାଖାପାଖି ୭୪ ଫୁଟ ଓ ୯୫ ଫୁଟର ଡେଣା ବିଶିଷ୍ଟ ଡାକୋଟାକୁ ରଖିବା ପାଇଁ ଭାରତୀୟ ବିମାନବନ୍ଦର ପ୍ରାଧିକରଣ (ଏଏଆଇ)ଙ୍କ ତରଫରୁ ରାଜ୍ୟ ସରକାରଙ୍କୁ ୧୧ ଏକର ଜମି ଯୋଗାଇ ଦିଆଯିବ ବୋଲି ପୂର୍ବରୁ କୁହାଯାଇଥିଲା ।

ତେବେ ଡାକୋଟା ଓଡ଼ିଶା ଫେରିବା ନେଇ ଗତ ଜୁଲାଇ ମାସରେ ରାଜ୍ୟ ସରକାରଙ୍କ ପରିବହନ ବିଭାଗ ପକ୍ଷରୁ ଟେଣ୍ଡର ଡକାଯାଇଥିଲା । ଡାକୋଟା (ଡିସି-୩) ବିମାନକୁ ଖୋଲି ତା’ର ଯନ୍ତ୍ରପାତିକୁ ଅଲଗା କରି ଭୁବନେଶ୍ୱର ଅଣାଯିବ । ଯେଉଁ ସଂସ୍ଥା ଟେଣ୍ଡର ନେବ ସେ ଏହି ସମସ୍ତ କାର୍ଯ୍ୟ କରିବ । ଡାକୋଟା ଭୁବନେଶ୍ୱରରେ ପହଞ୍ଚିବା ପରେ ପୁଣି ତା’ର ସମସ୍ତ ଅଂଶକୁ ଯୋଡ଼ାଯିବ । ଆବଶ୍ୟକ ପଡ଼ିଲେ ନୂଆ ପାର୍ଟସ ଲଗାଯିବ ବୋଲି କୁହାଯାଇଥିଲା । ଗତ ୧୯୪୭ ମସିହା ଜୁଲାଇ ୨୧ରେ ଓଡ଼ିଶାର ବୀରପୁତ୍ର ବିଜୁ ଡାକୋଟା ଉଡ଼ାଇ ଇଣ୍ଡୋନେସିଆର ତତ୍କାଳୀନ ପ୍ରଧାନମନ୍ତ୍ରୀ ଓ ଉପରାଷ୍ଟ୍ରପତିଙ୍କୁ ଉଦ୍ଧାର କରି ଭାରତ ଆଣିଥିଲେ ।

Get real time updates directly on you device, subscribe now.