ନୂଆଦିଲ୍ଲୀ: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କ ଧର୍ମପତ୍ନୀ ତଥା ପଟିଆଲା ସାଂସଦ ପରନୀତ କୌରଙ୍କୁ କଂଗ୍ରେସରୁ ସସପେଣ୍ଡ କରାଯାଇଛି । ତେବେ ପରନୀତଙ୍କୁ ନିଜ ପକ୍ଷ ରଖିବା ପାଇଁ ୩ ଦିନ ସମୟ ଦିଆଯାଇଛି । ପରନୀତଙ୍କ ପତି ଅମରିନ୍ଦର ପୂର୍ବରୁ ବିଜେପିରେ ସାମିଲ ହୋଇଥିଲେ । ତେବେ ଏହି କାର୍ଯ୍ୟାନୁଷ୍ଠାନ ପରେ ପରନୀତ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ।
ସୂଚନା ମୁତାବକ, ପରନୀତଙ୍କ ବିରୋଧରେ ଦଳ ବିରୋଧୀ ଅଭିଯୋଗ କରିଥିଲେ ଦଳର ରାଜ୍ୟ ମୁଖ୍ୟ । ତେବେ ପରନୀତ ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ରହିଥିବା ନେଇ ଅଭିଯୋଗ ଆସିବା ପରେ ତାଙ୍କୁ ସସପେଣ୍ଡ କରାଯାଇଥିବା ଏଆଇସିସି ଜେନେରାଲ ସେକ୍ରେଟାରୀ ତାରିକ ଅନୱାର ସୂଚନା ଦେଇଛନ୍ତି । ପରନୀତ ବର୍ତ୍ତମାନ ପଟିଆଲାର ସାଂସଦ ରହିଥିବା ବେଳେ ତାଙ୍କର ସ୍ୱାମୀ ଅମରିନ୍ଦର ଏବେ ବିଜେପିରେ ଅଛନ୍ତି । ତେବେ ପରନୀତ କଂଗ୍ରେସ ବିରୋଧୀ କାର୍ଯ୍ୟ କରି ବିଜେପିକୁ ସାହାଯ୍ୟ କରୁଥିବା ଅଭିଯୋଗ ଆସିଥିଲା ।
ଗତ ୨୦୨୧ ମସିହା ନଭେମ୍ବର ମାସରେ ଦଳ ପକ୍ଷରୁ ପରନୀତଙ୍କୁ ଏକ ନୋଟିସ ଜାରି କରାଯାଇଥିଲା । ସେ ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ଥିବା ନେଇ ଦଳ ପକ୍ଷରୁ ତାଙ୍କଠାରୁ ସ୍ପଷ୍ଟିକରଣ ମଗାଯାଇଥିଲା । ତେବେ ପରନୀତଙ୍କ ସସପେଣ୍ଡ ପରେ ୨୦୨୪ ସଂସଦୀୟ ନିର୍ବାଚନ ପୂର୍ବରୁ ଅନ୍ୟ ନେତାଙ୍କୁ ଏହା ଏକ ସନ୍ଦେଶ ଦେବ ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି ।