fbpx

୧୦ ମିନିଟରେ ୪୬ ଗାଡ଼ି ମୁହାମୁହିଁ: ଚାଲିଗଲା ୧୬ ଜଣଙ୍କର ଜୀବନ, ୬୬ ଜଣଙ୍କ ଅବସ୍ଥା ଶୋଚନୀୟ

ନୂଆଦିଲ୍ଲୀ: ଆଜିକାଲିର ରାସ୍ତାରେ ଯାତାୟତ କରିବା କୌଣସି ଯମଦଣ୍ଡଠାରୁ କମ୍ ନୁହେଁ । ଟିକିଏ ଅସାବଧାନ ହେଲେ ଦୁର୍ଘଟଣାରେ ପ୍ରାଣ ହରାଇବା ଓ ଆହତ ହେବା ଅବଶ୍ୟମ୍ଭାବୀ । ତେବେ ଏପରି ଏକ ଭୟଙ୍କର ରାସ୍ତା ଦୁର୍ଘଟଣାରେ ୪୬ଟି ଗାଡ଼ି ପରସ୍ପର ସହ ଟକ୍କର ମାରିଛନ୍ତି । ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ୧୬ ଜଣଙ୍କର ମୃତ୍ୟୁ ଘଟିବା ସହ ୬୬ ଜଣଙ୍କ ଅବସ୍ଥା ଶୋଚନୀୟ ରହିଛି ।

ସୂଚନା ମୁତାବକ, ମଧ୍ୟ ଚୀନର ହୁନାନ ପ୍ରାନ୍ତରେ ଏଭଳି ଏକ ଭୟଙ୍କର ଘଟଣା ଦେଖିବାକୁ ମିଳିଛି । ଏହି ଦୁର୍ଘଟଣାରେ ମାତ୍ର ୧୦ ମିନିଟ ମଧ୍ୟରେ ଏକସଙ୍ଗେ ପରସ୍ପର ସହ ୪୬ଟି ଯାନ ଧକ୍କା ହୋଇଥିଲେ । ଫଳରେ ଘଟଣାସ୍ଥଳରେ ୧୬ ଜଣଙ୍କ ଜୀବନ ଚାଲିଯିବା ସହ ୬୬ ଜଣଙ୍କ ଅବସ୍ଥା ଶୋଚନୀୟ ରହିଥିଲା । ଏ ବାବଦରେ ସରକାରୀ ମିଡ଼ିଆ ୱେବସାଇଟ୍ ସିଜିଟିଏନ ପକ୍ଷରୁ ସୂଚନା ଦିଆଯାଇଛି ।

ପୋଲିସ ଅନୁଯାୟୀ, ଆହତଙ୍କୁ ଚିକିତ୍ସା ନିମନ୍ତେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ୮ ଜଣ ମରଣ ସହ ସଂଘର୍ଷ କରୁଥିବା ବେଳେ ଆଉ କେତେକଙ୍କ ଅବସ୍ଥା ସ୍ଥିର ରହିଛି । ଘଟଣା ବିଷୟରେ ଅନୁଧ୍ୟାନ କରିବା ପାଇଁ ଏକ ପରିଚାଳନା ଟିମକୁ ଘଟଣାସ୍ଥଳକୁ ପଠାଯାଇଛି । ଏଥିସହିତ ଜରୁରୀକାଳୀନ ସ୍ଥିତିରେ ସ୍ଥାନୀୟ ସରକାରଙ୍କୁ ମାର୍ଗଦର୍ଶନ ପ୍ରଦାନ କରିବା ପାଇଁ ଆପାତକାଳୀନ ପ୍ରବନ୍ଧନ ମନ୍ତ୍ରଣାଳୟ ପକ୍ଷରୁ ଏକ ଟିମ୍ ମଧ୍ୟ ଯାତ୍ରା କରିଛନ୍ତି । ଏହି ଟିମରେ କିଛି ଚିକିତ୍ସା ବିଶେଷଜ୍ଞ ସାମିଲ ରହିଛନ୍ତି ।

Get real time updates directly on you device, subscribe now.