fbpx

ଓଡ଼ିଶାରେ ଖୋଲିବ NIAର ଏକ ଶାଖା: ଆତଙ୍କବାଦ ଓ ମାଓବାଦ ଉପରେ ଲାଗିବ ରୋକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟବାସୀଙ୍କ ପାଇଁ ଏକ ଖୁସି ଖବର । ଆଗକୁ ରାଜ୍ୟରେ ଆତଙ୍କବାଦୀ ଓ ମାଓବାଦୀଙ୍କ ଆକ୍ରମଣ ଉପରେ ଲାଗିବ ରୋକ୍ । ରାଜ୍ୟରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ)ର ଏକ ବ୍ରାଞ୍ଚ ଖୋଲିବାକୁ ଯାଉଛି । ଏହି ଶାଖାର ପରିସୀମା ଓଡ଼ିଶା ସମେତ କିଛି ପଡ଼ୋଶୀ ରାଜ୍ୟରେ ରହିବ । ରାଜ୍ୟରେ ଶାଖା ଖୋଲିବା ନେଇ ପୂର୍ବରୁ ଏନଆଇଏ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିବା ବେଳେ ଖୁବଶୀଘ୍ର ଏନେଇ ନିଷ୍ପତ୍ତି ନିଆଯିବ ।

ତେବେ ଏକ ସୂତ୍ର ମୁତାବକ, ରାଜ୍ୟରେ ଶାଖା ଖୋଲିବା ପାଇଁ ଏହି କେନ୍ଦ୍ରୀୟ ସଂସ୍ଥା ତରଫରୁ ପ୍ରସ୍ତୁତି ଆରମ୍ଭ ହୋଇଛିି । ଏନେଇ ନିକଟରେ ଏନଆଇଏର ଏକ ଟିମ୍ ରାଜଧାନୀ ଭୁବନେଶ୍ୱର ଗସ୍ତ କରି ରାଜ୍ୟ ଗୃହ ବିଭାଗ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ । ଏଥିସହିତ ବେଆଇନ କାର୍ଯ୍ୟକଳାପ ଓ ମାଓବାଦୀ ସମସ୍ୟା ଉପରେ ମଧ୍ୟ ଆଲୋକପାତ କରାଯାଇଥିଲା । ତେବେ ଓଡ଼ିଶାରେ ଶାଖା ଖୋଲିବା ବିଭିନ୍ନ ଦୃଷ୍ଟିକୋଣରୁ ଜରୁରୀ । ଆଗକୁ ଆଉ ଏକ ବୈଠକ ବସିବ ବୋଲି ଜଣାପଡ଼ିଛି ।

ଏନଆଇଏର ଜଣେ ବରିଷ୍ଠ ଅଧିକାରୀଙ୍କ ମୁତାବକ, ମାଓବାଦୀଙ୍କୁ ସକ୍ରିୟ କରିବା ପାଇଁ ଆତଙ୍କବାଦୀ ସଂଗଠନ ଲକ୍ଷ୍ୟ ରଖିଛନ୍ତି । ତେଣୁ ରାଜ୍ୟରେ ଶାଖା ଖୋଲିଲେ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣରେ ଲାଗିବ ରୋକ । ଏନେଇ ସୂଚନା ମିଳିବା ପରେ କେନ୍ଦ୍ରୀୟ ସଂସ୍ଥାର ଅଧିକାରୀମାନେ ରାଜ୍ୟକୁ ବାରମ୍ବାର ଆସି ତଦନ୍ତ କରୁଥିବା ଜଣାପଡ଼ିଛି । ଏହି ଶାଖା କୋଲକାତାରେ ରହିଥିବାରୁ ତଦନ୍ତ କ୍ଷେତ୍ରରେ ତାହା ବାଧା ସୃଷ୍ଟି କରୁଛି । କେବଳ ଆତଙ୍କବାଦ କି ମାଓବାଦ ନୁହେଁ, ଅନେକ ସମୟରେ ଶତ୍ରୁଦେଶକୁ ତଥ୍ୟ ପ୍ରଦାନ କରୁଥିବା ନେଇ ଅନେକ ସନ୍ଦିଗ୍ଧ ଓଡ଼ିଶାରୁ ଠାବ ହେଉଥିବା ଦେଖାଯାଉଛି ।

ବିଭିନ୍ନ ଅପରାଧିକ ମାମଲାର ସନ୍ଦିଗ୍ଧମାନେ ଓଡ଼ିଶାରେ ସୁରକ୍ଷିତ ଭାବେ ରହୁଥିବାର ଦେଖାଯାଉଛି । ରାଜ୍ୟର ଭୁବନେଶ୍ୱର, କଟକ, ରାଉରକେଲା ପରି ବିଭିନ୍ନ ସହରରେ ଆତଙ୍କବାଦୀମାନେ ସକ୍ରିୟ ରହିଥିବା ପ୍ରମାଣ ମିଳିଛି । ଗତ ୨୦୧୫ରେ ଅଲକାଏଦା ଆତଙ୍କୀ ସଂଗଠନ ସହ ସମ୍ପୃକ୍ତି ଅଭିଯୋଗରେ କଟକରୁ ସନ୍ଦିଗ୍ଧ ଅବଦୁଲ ରେହମାନକୁ ଏନଆଇଏ ଉଠାଇ ନେଇଥିଲା । ସେହିପରି ଆମେରିକାରେ ବ୍ୟାନ ହୋଇଥିବା ବନ୍ଧୁକ ବିଷୟରେ ତଥ୍ୟ ସଂଗ୍ରହ କରୁଥିବା ଅଭିଯୋଗରେ ଜଣେ ଛାତ୍ରଙ୍କୁ ଓଡ଼ିଶାରେ ପଚରାଉଚରା କରିଥିଲା ଏନଆଇଏ ।

ତିନିବର୍ଷ ପୂର୍ବେ ବାଲେଶ୍ୱରର ଚାନ୍ଦିପୁର ସ୍ଥିତ ପ୍ରତିରକ୍ଷା ଗବେଷଣା ବିକାଶ କେନ୍ଦ୍ର (ଡିଆରଡିଓ)ର ତଥ୍ୟ ପାକିସ୍ତାନର ଆତଙ୍କବାଦୀ ସଂଗଠନକୁ ଗୁପ୍ତ ଭାବେ ପଠାଉଥିବା ନେଇ ଜଣେ ଫଟୋଗ୍ରାଫର ଧରାପଡ଼ିଥିଲେ । ଏଭଳି ଅନେକ ସମ୍ବେଦନଶୀଳ ଘଟଣାର ଉଦାହରଣ ରହିଛି । ଓଡ଼ିଶା ସତେଯେପରି ଅନେକ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ଚରାଭୂଇଁ ପାଲଟି ଯାଇଛି । ତେବେ ଏସବୁ କଳାଧନ୍ଦା ଉପରେ ଏବେ ଡୋରି ବନ୍ଧା ହେବ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.