fbpx

ଶ୍ରୀମନ୍ଦିରରେ ଆଜି ଅନୁଷ୍ଠିତ ହେବ ଶ୍ରୀଜୀଉଙ୍କ ବନକ ଲାଗି ନୀତି: ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ପୁରୀ: ଫାଲଗୁନ କୃଷ୍ଣ ତୃତୀୟ ତିଥିରେ ଆଜି ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଦ୍ୱିତୀୟ ଭୋଗମଣ୍ଡପ ନୀତି ଶେଷ ହେବା ପରେ ଦତ୍ତମହାପାତ୍ର ସେବକମାନେ ରତ୍ନ ସିଂହାସନ ଉପରକୁ ଯାଇ ପ୍ରାକୃତିକ ରଙ୍ଗରେ ଶ୍ରୀଜୀଉଙ୍କର ମୁଖ ଶୃଙ୍ଗାର କରିବେ । ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ପ୍ରାୟ ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ବନକ ଲାଗି ଶେଷ ହେବା ପରେ ମହାସ୍ନାନ କରାଯାଇ ପୁଣି ଦର୍ଶନ ଆରମ୍ଭ ହେବ ।

ତେବେ ବନକଲାଗି ନୀତି ଚାଲିଥିବା ସମୟରେ ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିରକୁ ଯାଇ ପାର୍ଶ୍ଵ ଦେବଦେବୀଙ୍କୁ ଦର୍ଶନ କରିବା ସହିତ ଆନନ୍ଦ ବଜାରରୁ ମହାପ୍ରସାଦ କିଣିପାରିବେ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂତ୍ରରୁ ସୂଚନା ମିଳିଛି ।

ପରମ୍ପରା ଅନୁଯାୟୀ, ଶ୍ରୀଜୀଉଙ୍କ ଦ୍ୱିତୀୟ ଭୋଗମଣ୍ଡପ ଶେଷ ପରେ ପହୁଡ଼ ଆଳତି କରାଯିବ । ଏହାପରେ ଭିତରୁ ଜୟ ବିଜୟ ଦ୍ୱାର ବନ୍ଦ କରାଯିବ । ଗର୍ଭଗୃହ ମଧ୍ୟରେ ଦତ୍ତ ମହାପାତ୍ର ସେବାୟତମାନେ ଶ୍ରୀଜୀଉଙ୍କ ଏହି ଗୁପ୍ତ ନୀତି ସମାପନ କରିବେ । ଶ୍ରୀଜୀଉଙ୍କ ଶ୍ରୀମୁଖ ଶୃଙ୍ଗାର ନୀତିରେ ପ୍ରାକୃତିକ ରଙ୍ଗ ହିଙ୍ଗୁଳ, ହରିତାଳ, ପ୍ରିୟଙ୍ଗୁ, କସ୍ତୁରୀ, କଳା, ଧଳା ଓ ନାଲି ରଙ୍ଗର ବ୍ୟବହାର କରାଯାଇଥାଏ । ବନକ ଲାଗି ନୀତି ସମାପନ ପରେ ଶ୍ରୀବିଗ୍ରହମାନଙ୍କ ମହାସ୍ନାନ ନୀତି ଅନୁଷ୍ଠିତ ହେବ । ଏହାପରେ ଭକ୍ତମାନେ ଶ୍ରୀଜୀଉଙ୍କୁ ଦର୍ଶନ କରିପାରିବେ ।

Get real time updates directly on you device, subscribe now.