ନୂଆଦିଲ୍ଲୀ : ଭାରତୀୟ ପୁରୁଷ ହକି ଦଳର ନୂଆ କୋଚ ଦକ୍ଷିଣ ଆଫ୍ରିକାର କ୍ରେଗ ଫୁଲଟନ ନିଯୁକ୍ତ ହୋଇଛନ୍ତି । ଫୁଲଟନ, ପୂର୍ବରୁ ଥିବା ଗ୍ରାହାମ ରିଡଙ୍କ ସ୍ଥାନ ନେଇଛନ୍ତି । ଗ୍ରାହାମ ରିଡ୍ ଭୁବନେଶ୍ୱର ଓ ରାଉରକେଲାରେ ଖେଳାଯାଇଥିବା ହକି ବିଶ୍ଵକପରେ ନିରାଶାଜନକ ପ୍ରଦର୍ଶନ ପରେ ଭାରତୀୟ ହକି ଦଳର କୋଚ୍ ପଦରୁ ଇସ୍ତଫା ଦେଇଥିଲେ। ନୂଆ କୋଚ୍ କ୍ରେଗ ଫୁଲଟନ ଟୋକିଓ ଅଲିମ୍ପିକ୍ସ ହକିରେ ଚାମ୍ପିଅନ ହୋଇଥିବା ବେଲଜିୟମ ଦଳର ସହାୟକ କୋଚ ଥିଲେ। ଏଫ ଆଇଏଚ ହକି ପ୍ରୋ ଲିଗ୍ ରେ ଘରୋଇ ମ୍ୟାଚ ପୂର୍ବରୁ ହକି ଇଣ୍ଡିଆ ପକ୍ଷରୁ କ୍ରେଗ ଫୁଲଟନଙ୍କୁ ଭାରତୀୟ ଦଳର କୋଚ୍ ଭାବେ ଘୋଷଣା କରାଯାଇଛି।
ହକି କୋଚିଂରେ ୪୮ ବର୍ଷୀୟ ଫୁଲଟନଙ୍କ ୨୫ ବର୍ଷର ଅଭିଜ୍ଞତା ରହିଛି। ସେ ୨୦୧୪ରୁ ୨୦୧୮ ଯାଏଁ ଆୟର୍ଲାଣ୍ଡ ପୁରୁଷ ହକି ଟିମ୍ ର ମୁଖ୍ୟ କୋଚ ରହିଥିଲେ । ତାଙ୍କ ପ୍ରଶିକ୍ଷଣରେ ଆୟର୍ଲାଣ୍ଡ ୨୦୧୬ ରିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଥିଲା । ୨୦୧୫ରେ ତାଙ୍କୁ ଏଫଆଇଏଚ ସର୍ବଶ୍ରେଷ୍ଠ କୋଚ୍ ଭାବେ ଘୋଷଣା କରାଯାଇଥିଲା। ଖେଳାଳି ଭାବେ ଫୁଲଟନ ଦକ୍ଷିଣ ଆଫ୍ରିକା ପକ୍ଷରୁ ୧୯୫ଟି ଆନ୍ତର୍ଜାତିକ ମ୍ୟାଚ ଖେଳିଛନ୍ତି। ସେ ୧୯୯୬ ଓ ୨୦୦୪ ଅଲିମ୍ପିକ୍ସ ଖେଳିଥିଲେ । ଏହାବ୍ୟତୀତ ଦକ୍ଷିଣ ଆଫ୍ରିକା ପାଇଁ ସେ ବିଶ୍ୱକପ ଓ ରାଜ୍ୟଗୋଷ୍ଠୀ କ୍ରୀଡାରେ ମଧ୍ୟ ଖେଳିଛନ୍ତି। ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ ଭାରତୀୟ ପୁରୁଷ ହକି ଦଳର ନୂଆ କୋଚ ଭାବେ ଫୁଲଟନଙ୍କ ନିଯୁକ୍ତିକୁ ସ୍ୱାଗତ କରିଛନ୍ତି।
“ଭାରତୀୟ ପୁରୁଷ ହକି ଦଳ ପାଇଁ ମୁଖ୍ୟ ପ୍ରଶିକ୍ଷକ ଭୂମିକାରେ ନିଯୁକ୍ତ ହେବା ଏକ ଗୌରବର ବିଷୟ। ଭାରତର କ୍ରୀଡ଼ାର ଏକ ଗଭୀର ଇତିହାସ ଏବଂ ଉତ୍ତରାଧିକାରୀ ରହିଛି ଏବଂ ବର୍ତ୍ତମାନର ଦଳ ସହିତ ଏହାକୁ ଆଗକୁ ନେବା ପାଇଁ ମୁଁ ଉତ୍ସାହିତ ଅଛି ବୋଲି ଫୁଲଟନ୍ କହିଛନ୍ତି, ଯାହାଙ୍କର ଭାଇ ଗ୍ରାଣ୍ଟ ଏବଂ ପତ୍ନୀ ନାଟାଲୀ ମଧ୍ୟ ଦକ୍ଷିଣ ଆଫ୍ରିକା ଆନ୍ତର୍ଜାତୀୟ ଥିଲେ।”