fbpx

NEP 2020: ଯୁକ୍ତଦୁଇ ପରେ ଛାତ୍ରଛାତ୍ରୀ B.Edରେ ଆଡମିଶନ କରିପାରିବେ, ଦେଶର ୫୭ଟି ବିଶ୍ୱବିଦ୍ୟାଳୟରେ ମିଳିବ ଏହି ସୁବିଧା

ନୂଆଦିଲ୍ଲୀ: ଦେଶକୁ ଶିକ୍ଷା କ୍ଷେତ୍ରରେ ଦ୍ରୁତ ବିକାଶ କରାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଲକ୍ଷ୍ୟ ରହିଛି । ସେଥିପାଇଁ ଶିକ୍ଷାନୀତି ୨୦୨୦ (ଏନଇପି) ଅନୁସାରେ ଦେଶରେ ବିଶ୍ୱବିଦ୍ୟାଳୟ, କଲେଜ ଓ ସ୍କୁଲ ସ୍ତରରେ ଶିକ୍ଷାକୁ ନେଇ ନୂଆ ନୂଆ ପଦକ୍ଷେପ ଗ୍ରହଣ କରାଯାଉଛି । ତେବେ ଏଭଳି ସ୍ଥିତିରେ ଶିକ୍ଷକତାକୁ ନେଇ କ୍ୟାରିୟର କରିବାକୁ ଇଚ୍ଛୁକ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏକ ବଡ଼ ଖବର ଆସିଛି ।

ସୂଚନା ମୁତାବକ, ନୂଆ ଶିକ୍ଷା ନୀତି ୨୦୨୦ ଆଧାରରେ ଛାତ୍ରଛାତ୍ରୀମାନେ ୪ ବର୍ଷର ବି.ଏଡ ପାଠ୍ୟକ୍ରମରେ ଆଡମିଶନ କରିପାରିବେ । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ଦ୍ୱାରା ଶିକ୍ଷକ ଶିକ୍ଷା ପାଇଁ ଜାତୀୟ ପରିଷଦ (ଏନସିଇଟି) ପରୀକ୍ଷା ମାଧ୍ୟମରେ ଏହି ନାମଲେଖା ଆରମ୍ଭ ହେବ । ପାଇଲଟ୍ ପ୍ରୋଜେକ୍ଟ ଭାବେ ଦେଶର ୫୭ଟି ବିଶ୍ୱବିଦ୍ୟାଳୟରେ ଏହି ବି.ଏଡ୍ ଡିଗ୍ରୀ ପ୍ରୋଗ୍ରାମ ଆରମ୍ଭ କରାଯିବ । ଏନସିଇଟି ପକ୍ଷରୁ ୪ ବର୍ଷିଆ ବି.ଏଡ କୋର୍ସ ବାବଦରେ ସୂଚନା ଦିଆଯାଇଛି ।

ଏହି କୋର୍ସ ସ୍କୁଲ ଢାଞ୍ଚାର ୪ଟି ପର୍ଯ୍ୟାୟ ଫାଉଣ୍ଡେସନାଲ, ପ୍ରିପରେଟରୀ, ମିଡିଲ ଓ ସେକେଣ୍ଡାରୀ ପାଇଁ ଶିକ୍ଷକଙ୍କୁ ପ୍ରସ୍ତୁତ କରାଯିବ । ଚଳିତ ୨୦୨୩-୨୪ ଶିକ୍ଷାବର୍ଷରୁ ସେଣ୍ଟ୍ରାଲ ଓ ଷ୍ଟେଟ ୟୁନିଭରସିଟିରେ ଏହି କୋର୍ସ ଆରମ୍ଭ ହେବ । ପିଲାମାନେ ବିଏ-ବି.ଏଡ, ବି.କମ-ବି.ଏଡ ଓ ବି.ଏସସି- ବି.ଏଡ୍ ପ୍ରୋଗ୍ରାମରେ ନାମ ଲେଖାଇ ପାରିବେ । ଏହି ୪ ବର୍ଷିଆ ବି.ଏଡ୍ ପ୍ରୋଗ୍ରାମ ଶିକ୍ଷକଙ୍କର ଶିକ୍ଷାରେ ଏକ ନୂଆ ଯୁଗର ଶୁଭାରମ୍ଭ କରିବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ । ଏଥିସହିତ ଯୁବକଙ୍କ ଭବିଷ୍ୟତ ଗଠନ ଓ ଦେଶକୁ ଆତ୍ମନିର୍ଭରଶୀଳ କରାଇବା ଦିଗରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ମଧ୍ୟ କେନ୍ଦ୍ରମନ୍ତ୍ରୀ କହିଥିଲେ ।

Get real time updates directly on you device, subscribe now.