IPL ପୂର୍ବରୁ ସେନା କ୍ୟାମ୍ପରେ ପହଞ୍ଚିଲେ ଧୋନୀ: ଖୋଲା ଜିପ୍‌ରେ ବୁଲିଲେ, କିନ୍ତୁ ଏୟାରପୋର୍ଟରେ ଘଟିଲା କିଛି ଏପରି

ନୂଆଦିଲ୍ଲୀ: ଭାରତୀୟ ଦଳର ପୁର୍ବତ୍ତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ନିଜର ଖେଳ ବ୍ୟତିତ ତାଙ୍କର ଅନ୍ୟାନ୍ୟ କାର୍ଯ୍ୟକୁ ନେଇ ମଧ୍ୟ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଧୋନୀଙ୍କ ଠାରୁ ଯାହା ଆଶା କରାଯାଇଥାଏ, ସେ ତାଠାରୁ କିଛି ଭିନ୍ନ କରିଥାନ୍ତି। ଶୁକ୍ରବାର ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଦିନିକିଆ ସିରିଜର ତୃତୀୟ ମ୍ୟାଚ୍ ଚେନ୍ନାଇରେ ଖେଳାଯାଉଥିଲା। ଭାରତ ଏବଂ ଅଷ୍ଟ୍ରେଲିଆ ମ୍ୟାଚ୍‌ର କିଛି ସମୟ ପୁର୍ବରୁ CSK ର ଖେଳାଳୀମାନେ ଏଠାରେ ଅଭ୍ୟାସ କରୁଥିଲେ। ତେଣୁ ଧୋନୀଙ୍କର ପ୍ରଶଂସକମାନେ ଆଶା କରୁଥିଲେ ଯେ, ମ୍ୟାଚ୍ ସମୟରେ ଧୋନୀ ସେଠାରେ ନଜର ଆସିବେ। କିନ୍ତୁ ମ୍ୟାଚ୍ ଦିନ ଧୋନୀ ଚେନ୍ନାଇ ଛାଡ଼ି ଜୋଧପୁରରେ ପହଞ୍ଚିଥିଲେ।

ମହେନ୍ଦ୍ର ସିଂ ଧୋନି ତାଙ୍କର ଦ୍ୱିତୀୟ ଦାୟିତ୍ୱ ପୂରଣ କରିବାକୁ ଏଠାକୁ ଆସିଥିଲେ । ଜଣେ କ୍ରିକେଟରଙ୍କ ବ୍ୟତୀତ ଧୋନି ଜଣେ ସେନା ଅଧିକାରୀ ମଧ୍ୟ ଅଟନ୍ତି । ତାଙ୍କୁ ୨୦୧୧ ରେ ଟେରିଟୋରିଆଲ୍ ଆର୍ମି ଦ୍ୱାରା ଲେଫ୍ଟନାଣ୍ଟ କର୍ଣ୍ଣେଲ ମାନ୍ୟତା ପ୍ରଦାନ କରାଯାଇଥିଲା । ଧୋନି ଆଇପିଏଲ ପୂର୍ବରୁ ଯୋଧପୁରର ଆର୍ମି କ୍ୟାଣ୍ଟରେ ପହଞ୍ଚିଥିଲେ ଯେଉଁଠାରେ ସେ ସୈନିକମାନଙ୍କ ସହ ସମୟ ବିତାଇଥିଲେ ।

ତେବେ ଧୋନୀ ଜୋଧପୁରରେ ପହଞ୍ଚିବା ପରେ ତାଙ୍କୁ ନେଇ ଯିବା ଲାଗି ସେଠାରେ କେହି ଉପସ୍ଥିତ ନଥିଲେ । ତେଣୂ ଧୋନୀଙ୍କୁ ଏୟାରପୋର୍ଟରେ କିଛି ସମୟ ଅପେକ୍ଷା କରିବାକୁ ପଡ଼ିଥିଲା । ଯେତେବେଳେ ସାମ୍ବାଦିକମାନେ ଧୋନୀଙ୍କ ସହିତ କଥା ହେବାକୁ ଲାଗିଲେ, ସେ ସମୟରେ ଲୋକେ ଜାଣୀଲେ କି ସେଠାରେ ଧୋନୀ ଉପସ୍ଥିତ ଅଛନ୍ତି । ଏହାପରେ ଲୋକମାନେ ତାଙ୍କ ସହିତ ସେଲ୍‌ଫି ନେବାକୁ ଭିଡ଼ ଯମାଇଥିଲେ । ପରେ ସେନା ଗାଡ଼ି ପହଞ୍ଚି ତାଙ୍କୁ ସେଠାରୁ ନେଇ ଯାଇଥିଲା ।

ସେବେଠାରୁ ଧୋନିଙ୍କ ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କିଛି ଚିତ୍ରରେ ଧୋନିଙ୍କୁ ସେନା ୟୁନିଫର୍ମରେ ଦେଖିବାକୁ ମିଳିଥିଲା । ଏହା ବ୍ୟତୀତ ଏକ ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଧୋନି ଖୋଲା ଜିପ୍ ରେ ବସି କ୍ୟାଣ୍ଟକୁ ବୁଲୁଛନ୍ତି।