fbpx

ଓଡିଶାରେ ସକ୍ରିୟ ହେଉଛି ଆଉ ଏକ ପଶ୍ଚିମାଝଡ: ପ୍ରଭାବରେ ୪ ଦିନ ଭିଜିବ ସାରା ରାଜ୍ୟ

ଭୁବନେଶ୍ୱର: ଆସନ୍ତା ରବିବାର ଅର୍ଥାତ କାଲିଠୁ ସାରା ରାଜ୍ୟରେ ସକ୍ରିୟ ହେବ ଆଉ ଏକ ପଶ୍ଚିମାଝଡ । ଏହାର ପ୍ରଭାବରେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ସାରା ଓଡିଶାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଏହି ସମୟରେ ବିଜୁଳି, ଘଡଘଡି ସହ ବର୍ଷା ଏବଂ ଝଡ ପବନ ହେବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ଆଗାମୀ ୪ ଦିନ ରାଜ୍ୟରେ ପଶ୍ଚିମାଝଡର ପ୍ରଭାବ ରହିବ ଏବଂ ୨୪ ଘଣ୍ଟା ମଧ୍ୟରେ କେତେକ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ମାଲକାନାଗିରି, କୋରାପୁଟ, ରାୟଗଡା, ଗଞ୍ଜାମ, ଗଜପତି, କନ୍ଧମାଳ, କେଉଁଝର, ମୟୁରଭଞ୍ଜ ସହିତ ବାଲେଶ୍ୱର, ଭଦ୍ରକ, ଯାଜପୁର, କଳାହାଣ୍ଡି, ନୂଆପଡା ଏବଂ ନବରଙ୍ଗପୁର ଆଦି ଜିଲ୍ଲାରେ ଏହି ପଶ୍ଚିମାଝଡର ପ୍ରଭାବ ପଡିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ତେବେ କୋରାପୁଟ, ରାୟଗଡା, ଗଜପତି, ମୟୁରଭଞ୍ଜ ଜିଲ୍ଲାକୁ ଏଥି ନିମନ୍ତେ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ତେବେ ୨୬ ତାରିଖ ରବିବାରଠାରୁ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ । ଫଳରେ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷରେ ଭିଜିବ ଆଭ୍ୟନ୍ତରୀଣ ଓଡିଶା । ଏହି ସମୟରେ ପବନର ଘଣ୍ଟାପ୍ରତି ବେଗ ବୃଦ୍ଧି ପାଇ ୪୦-୫୦କି.ମି ପର୍ଯ୍ୟନ୍ତ ହୋଇପାରେ ।

ପବନ ଏବଂ ବର୍ଷାର ବେଗ ବୃଦ୍ଧି ନେଇ ପାଣିପାଗ ବିଭାଗ ମୋଟ ୧୩ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ କରିଛି । ଏହାବ୍ୟତୀତ ଉତ୍ତର ଓଡିଶାର ୮ଟି ଜିଲ୍ଲାକୁ ମଧ୍ୟ ୟେଲୋ ଜୋନର ଅନ୍ତର୍ଭୁକ୍ତ କରାଯାଇଛି । ସେହିପରି ଆସନ୍ତା ୨୭ ତାରିଖ ପାଇଁ ୧୨ଟି ଜିଲ୍ଲାକୁ ସତର୍କ ସୂଚନା ଦେବା ସହ ୟେଲୋ ଆଲର୍ଟ ଦିଆଯାଇଛି । ତେବେ ୨୯ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ଏବଂ ୩୦ ତାରିଖରୁ ପୁଣି ଏକ ପଶ୍ଚିମାଝଡ ଆସିବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।

Get real time updates directly on you device, subscribe now.