ବାଲେଶ୍ୱରରେ ଚାଞ୍ଚଲ୍ୟ! ନାଲି ପଥର ଗୁଣ୍ଡ ସାଜୁଛି କାଳ, ଅକାଳରେ ଚାଲିଗଲାଣି ୨୫ ଜଣଙ୍କ ଜୀବନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିନକୁ ଦିନ ପରିବେଶ ଦୂଷିତ ହୋଇ ଚାଲିଥିବା ବେଳେ ମଣିଷର ଖାଦ୍ୟପେୟ ଓ ଜୀବନ ଧାରଣର ଧାରା ମଧ୍ୟ ବଦଳିବାରେ ଲାଗିଛି । ପରିଣାମସ୍ୱରୂପ ଦିନକୁ ଦିନ ମଣିଷ ଆଗରେ ନୂଆ ନୂଆ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି । ଏପରି ସ୍ଥଳେ ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ନୂଆ ନୂଆ ରୋଗରେ ସଂକ୍ରମିତ ହେବା ସହ ଅକାଳରେ ମୃତ୍ୟୁବରଣ କରୁଛନ୍ତି ।

ତେବେ ଏହା ମଧ୍ୟରେ ବାଲେଶ୍ୱର ଜିଲ୍ଲାରୁ ଆସିଛି ଏକ ବଡ଼ ଖବର । ନାଲି ପଥର ଗୁଣ୍ଡ କାରଣରୁ ସୋର ବ୍ଲକରେ ୨୫ ଜଣ ପ୍ରସ୍ତର ଶିଳ୍ପୀଙ୍କ ଜୀବନ ହାନୀ ହୋଇଛି । ଏହି ପଥର ଗୁଣ୍ଡ ଦ୍ୱାରା ଶିଳ୍ପୀମାନେ ସଲକସ ନାମକ ଏକ ରୋଗରେ ସଂକ୍ରମିତ ହୋଇ ଅକାଳରେ ପ୍ରାଣ ହରାଉଛନ୍ତି । ତେବେ ନିକଟରେ ସୋର ବ୍ଲକରେ ଜଣେ ୪୦ ବର୍ଷୀୟ ଯୁବକଙ୍କ ମୃତ୍ୟୁ ଘଟିଛି । ଉକ୍ତ ଯୁବକ ଜଣଙ୍କ ପଥର ଶିଳ୍ପ ସମ୍ପର୍କରେ ଟ୍ରେନିଂ ନେବା ପରେ ବିଭିନ୍ନ ପ୍ରକାରର କାରୁକାର୍ଯ୍ୟ ତଥା ମୂର୍ତ୍ତି ନିର୍ମାଣ କାର୍ଯ୍ୟ କରୁଥିଲେ ।

ତେବେ ରାଜସ୍ଥାନରେ ନାଲି ପଥର କାମ କରିବା ସମୟରେ ସେ ଫୁସଫୁସ ରୋଗରେ ଆକ୍ରାନ୍ତ ହୋଇଥିଲେ । ଏହାପରେ ଗତ ୩ ବର୍ଷ ହେଲା ତାଙ୍କର ଚିକିତ୍ସା କରାଯାଉଥିଲା ଓ ଶେଷରେ ତାଙ୍କର ମୃତ୍ୟୁ ଘଟିଥିଲା । ତେବେ ଏହି ରୋଗରେ ଗତ ଫେବୃଆରୀ ମାସରେ ଜଣେ ଓ ଜାନୁଆରୀ ମାସରେ ଆଉ ଜଣେ ବ୍ୟକ୍ତି ପ୍ରାଣ ହରାଇଥିଲେ । ଗତ ୨୦୧୯ରୁ ୨୦୨୨ ମଧ୍ୟରେ ୨୨ ଜଣଙ୍କର ମୃତ୍ୟୁ ଘଟିଥିଲା । ତେଣୁ ମୋଟ ମୃତ୍ୟୁସଂଖ୍ୟା ଏବେ ୨୫ରେ ପହଞ୍ଚି ଯାଇଛି । ବର୍ତ୍ତମାନ ଜିଲ୍ଲାରେ ୧୦୦ ଜଣ ପଥର କାରିଗର ସଲକସ ରୋଗରେ ସଂକ୍ରମିତ ହୋଇ ଚିକିତ୍ସାଧୀନ ରହିଥିବା ଜଣାପଡ଼ିଛି ।