BJP ପ୍ରତିଷ୍ଠା ଦିବସ: ଜନସଂଘରୁ ଭାଜପା ୭୨ ବର୍ଷର ଯାତ୍ରା, ୩ ସାଂସଦରୁ ୩୦୩, ଇତିହାସ ପୃଷ୍ଠାରୁ ଜାଣନ୍ତୁ ରାଜନୀତିର କାହାଣୀ

ନୂଆଦିଲ୍ଲୀ: ଆଜି ବିଜେପିର ୪୩ତମ ପ୍ରତିଷ୍ଠା ଦିବସ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରିବେ । ଭାଜପା ଆଜି ବିଶ୍ୱର ସର୍ବବୃହତ ରାଜନୈତିକ ଦଳର ମାନ୍ୟତା ଲାଭ କରିଛି । ଜନସଂଘରୁ ଭାଜପା ପର୍ଯ୍ୟନ୍ତ ଦୀର୍ଘ ୭୨ ବର୍ଷର ଇତିହାସ ପୃଷ୍ଠାରେ ରାଜନୀତିର ଅନେକ ଅକୁହା କାହାଣୀ ଲୁଚି ରହିଛି । ୧୯୫୧ ମସିହା ଅକ୍ଟୋବର ୨୧ ତାରିଖରେ ଦିଲ୍ଲୀରେ ଜନସଂଘର ସ୍ଥାପନା ହୋଇଥିବା ବେଳେ ୧୯୮୦ ଏପ୍ରିଲ ୬ରେ ବିଜେପି ଗଠନ ହୋଇଥିଲା ।

ଡ. ଶ୍ୟାମାମ ପ୍ରସାଦ ମୁଖାର୍ଜୀ ପ୍ରଥମେ ଜନସଂଘ ପ୍ରତିଷ୍ଠା କଥା ଉଠାଇଥିଲେ । ସ୍ୱାଧୀନତା ପରେ ପଣ୍ଡିତ ଜବାହରଲାଲ ନେହରୁଙ୍କ ନେତୃତ୍ୱରେ କଂଗ୍ରେସରେ ଶ୍ୟାମ ପ୍ରାସାଦ ସାମିଲ ଥିଲେ । ମାତ୍ର ୧୯୫୦ ଏପ୍ରିଲ ୧୯ରେ ସେ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇ କଂଗ୍ରେସର ବିକଳ୍ପ ସୃଷ୍ଟି ପାଇଁ ନିଷ୍ପତ୍ତି ନେଇଥିଲେ । ୧୯୫୧ ଅକ୍ଟୋବର ୨୧ରେ ଭାରତୀୟ ଜନସଂଘ ପ୍ରତିଷ୍ଠା ସହ ଦିଲ୍ଲୀରେ ଏକ ଛୋଟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ସେ ସମୟରେ ଜନସଂଘର ଚିହ୍ନ ‘ଦୀପ ରହିଥିବା ବେଳେ ପତାକା ଗେରୁଆ ରଙ୍ଗର ରହିଥିଲା ।

୧୯୫୨ ଲୋକସଭା ନିର୍ବାଚନରେ ଭାରତୀୟ ଜନସଂଘ ୯୪ଟି ସିଟରେ ଲଢ଼ିଥିଲା, ମାତ୍ର ୩ଟି ଆସନ ପାଇବାକୁ ସକ୍ଷମ ହୋଇଥିଲା । ସେଥିମଧ୍ୟରୁ ୨ଟି ପଶ୍ଚିମବଙ୍ଗରୁ ଓ ଗୋଟିଏ ରାଜସ୍ଥାନରୁ ଜିତିଥିଲା । ପରବର୍ତ୍ତୀ ସମୟରେ ଜନସଂଘ ୧୯୫୭ରେ ୪ଟି, ୬୨ରେ ୧୪ଟି, ୬୭ରେ ୩୫ଟି, ୭୧ରେ ୨୨ଟି ଆସନ ପାଇଥିଲା । ୧୯୫୩ ମେ ୧୧ରେ ଶ୍ୟାମା ପ୍ରସାଦଙ୍କୁ ଗିରଫ କରାଯାଇଥିଲା ଓ ଏହାର ୪୦ ଦିନ ପରେ ଜୁନ ୨୩ରେ ତାଙ୍କର ମୃତ୍ୟୁ ଘଟିଥିଲା ।

୧୯୫୧-୫୨ରେ ଶ୍ୟାମା ପ୍ରସାଦ ଜନସଂଘର ଅଧ୍ୟକ୍ଷ ରହିଥିବା ବେଳେ ପରବର୍ତ୍ତୀ ସମୟରେ ଦଳକୁ ନୂଆ ଅଧ୍ୟକ୍ଷ ମିଳିଥିଲେ । ଏହାପରେ ୧୯୬୯-୭୨ ପର୍ଯ୍ୟନ୍ତ ଅଟଳ ବିହାରୀ ବାଜପେୟୀ ଓ ୧୯୭୩-୭୭ ପର୍ଯ୍ୟନ୍ତ ଲାଲକୃଷ୍ଟ ଆଡ଼ଭାନୀ ଏହି ଦାୟିତ୍ୱରେ ରହିଥିଲେ । ୧୯୭୫ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ସମୟରେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଜାରି କରାଯ।।ଇଥିଲା । ଏହାକୁ ଜନସଂଘ ଖୋଲାଖୋଲି ବିରୋଧ କରିଥିଲା । ଫଳରେ ଜନସଂଘର ବହୁ ବଡ଼ ବଡ଼ ନେତାଙ୍କୁ ଜେଲରେ ରହିବାକୁ ପଡ଼ିଥିଲା । ୧୯୭୭ରେ ଇନ୍ଦିରା ଜରୁରୀକାଳୀନ ପରିସ୍ଥିତି ସମାପ୍ତ ଘୋଷଣା କରିବା ପରେ ପରେ ସାଧାରଣ ନିର୍ବାଚନ ଆରମ୍ଭ ହୋଇଯାଇଥିଲା ।

ବିପକ୍ଷ ଦଳମାନେ ପାରସ୍ପରିକ ମତଭେଦ ଭୁଲି ଇନ୍ଦିରା ଓ କଂଗ୍ରେସକୁ ପରାସ୍ତ କରିବା ପାଇଁ ଜନତା ପାର୍ଟି ଗଠନ କରିଥିଲେ । ଜନସଂଘ ଜନତା ପାର୍ଟିରେ ବିଲୟ ହୋଇଯାଇଥିଲା । ସଂଯୁକ୍ତ ସୋସାଲିଷ୍ଟ ପାର୍ଟି, ଭାରତୀୟ ଲୋକଦଳ, କଂଗ୍ରେସ (ଓ), ଜନସଂଘ ମିଶି ଜନତା ପାର୍ଟି ଗଠନ କରାଯାଇଥିଲା । ୧୯୭୭ ନିର୍ବାଚନରେ ଜନସଂଘର ନେତାଙ୍କୁ ଅଦ୍ଭୂତପୂର୍ବ ସଫଳତା ମିଳିଥିଲା । ମୋରାରଜୀ ଦେଶାଈଙ୍କ ନେତୃତ୍ୱରେ ଦେଶରେ ଜନତା ପାର୍ଟି ସରକାର ଗଠନ କରିଥିଲା । ଏହି ସରକାରରେ ଅଟଳ ବୈଦେଶିକ ମନ୍ତ୍ରୀ ଓ ଆଡଭାନୀ ସୂଚନା ଓ ପ୍ରସାରଣ ମନ୍ତ୍ରୀ ରହିଥିଲେ । ଏହାପରେ ୧୯୭୯ରେ ଜନତା ପାର୍ଟି ସରକାରର ପତ୍ତନ ଘଟିଥିଲା । ଲୋକଦଳ ନେତା ଚୌଧରୀ ଚରଣ ସିଂହ କଂଗ୍ରେସ ସମର୍ଥନରେ ପ୍ରଧାନମନ୍ତ୍ରୀ ହୋଇଥିଲେ ।

୧୯୮୦ ନିର୍ବାଚନରେ ଜନତା ପାର୍ଟିକୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଳା । ଏହାପରେ ଦଳରୁ ସମାଜବାଦୀ ଓ ଜନସଂଘ ସହ ଜଡ଼ିତ ନେତାମାନେ ଅଲଗା ହୋଇଯାଇଥିଲେ । ୧୯୮୦ ଏପ୍ରିଲ ୬ରେ ଦିଲ୍ଲୀର ଫିରୋଜଶାହ କୋଟାଲା ଗ୍ରାଉଣ୍ଡରେ ବାଜପେୟୀ, ଆଡଭାନୀଙ୍କ ସହିତ ଅନ୍ୟ ନେତାମାନେ ଭାରତୀୟ ଜନତା ପାର୍ଟି ନାମରେ ନୂଆ ରାଜନୈତିକ ଦଳ ଘୋଷଣା କରିଥିଲେ । ବିଜେପିର ନିର୍ବାଚନୀ ଚିହ୍ନ ‘ପଦ୍ମ’ ରଖାଯାଇଥିବା ବେଳେ ଅଟଳ ବିଜେପିର ପ୍ରଥମ ଅଧ୍ୟକ୍ଷ ହୋଇଥିଲେ । ୧୯୮୪ ଲୋକସଭା ନିର୍ବାଚନରେ ବିଜେପିକୁ ଭଲ ସଫଳତା ମିଳିନଥିଲା । ନିଜେ ବାଜପେୟୀ ପରାଜୟ ବରଣ କରିଥିବା ବେଳେ ଆଡଭାନୀ ଲଢ଼ିନଥିଲେ । ୧୯୮୬ରେ ଆଡଭାନୀ ଅଧ୍ୟକ୍ଷ ଦାୟିତ୍ୱ ନେଇଥିଲେ ଓ ୧୯୮୯ରେ ଦଳର ୨ଟି ସିଟ୍ ବଢ଼ି ସାଂସଦ ସଂଖ୍ୟା ୮୫ରେ ପହଞ୍ଚିଥିଲା । ୧୯୯୧ରେ ଦଳର ସାଂସଦଙ୍କ ସଂଖ୍ୟା ୧୨୦ରେ ପହଞ୍ଚି ଯାଇଥିଲା । ୧୯୯୬, ୧୯୯୮ ଓ ୧୯୯୯ ଲୋକସଭା ନିର୍ବାଚନରେ ବିଜେପି ସବୁଠାରୁ ବଡ଼ ପାର୍ଟି ଭାବେ ଉଭା ହୋଇଥିଲା । ୨୦୦୪ ସାଧାରଣ ନିର୍ବାଚନରେ ବିଜେପିକୁ ପରାଜୟ ଦେଖିବାକୁ ପଡ଼ିଥିଲା । ଏହାପରେ ୨୦୧୪ ଠାରୁ ବିଜେପି ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କ୍ଷମତା ବଜାୟ ରଖିବା ସହ ଦୁନିଆର ସର୍ବବୃହତ ରାଜନୈତିକ ଦଳର ମାନ୍ୟତା ହାସଲ କରିଛି । ୨୦୧୪ ନିର୍ବାଚନରେ ଦଳ ୨୮୨ଟି ସିଟ୍ ହାସଲ କରିଥିବା ବେଳେ ୨୦୧୯ରେ ୩୦୩ ସିଟ୍ ଅକ୍ତିଆର କରି ରେକର୍ଡ କରିଥିଲା ।