ନୂଆଦିଲ୍ଲୀ: ଅନେକ ସମୟରେ ଆମ ଆଖପାଖରେ ଏପରି କିଛି ଘଟଣା ଘଟିଥାଏ, ଯାହାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ହେବା ସ୍ୱାଭାବିକ । ବେଳେବେଳେ କିଛି ସରକାରୀ ସଂସ୍ଥାରୁ ମଧ୍ୟ ଏପରି କିଛି ଖବର ସାମ୍ନାକୁ ଆସିଥାଏ । ତେବେ ନିକଟରେ ଏକ ବଡ଼ ଘଟଣା ଜେଲ ଭିତରେ ଦେଖିବାକୁ ମିଳିଛି । ଜେଲର ଏକାଧିକ କଏଦୀ ଏଚଆଇଭିରେ ସଂକ୍ରମିତ ହୋଇଛନ୍ତି ।
ସୂଚନା ମୁତାବକ, ଉତ୍ତରାଖଣ୍ଡର ହଲଦ୍ୱାନି ସ୍ଥିତ ଏକ ଜେଲର କିଛି ପୁରୁଷ ଓ ମହିଳା କଏଦୀ ଏଚଆଇଭିରେ ପଜିଟିଭ୍ ହୋଇଛନ୍ତି । ସଂକ୍ରମିତ ହୋଇଥିବା ମୋଟ ୪୪ କଏଦୀଙ୍କ ମଧ୍ୟରେ ଜଣେ ମହିଳା ରହିଥିବା ଜଣାପଡ଼ିଛି । ଏହି ଘଟଣାକୁ ନେଇ ଏକ ରାଜ୍ୟରେ ହଡ଼କମ୍ପ ମଚି ଯାଇଛି । ହଲଦ୍ୱାନୀ ଜେଲରେ ଏଚଆଇଭି ପଜିଟିଭ୍ ସଂଖ୍ୟା ବୃଦ୍ଧିର କାରଣ ଡ୍ରଗସ ସେବନ ବୋଲି ଡାକ୍ତର କହିଛନ୍ତି ।
ତେବେ ଏହି ଖବର ଜଣାପଡ଼ିବା ପରେ ଜେଲ ପ୍ରଶାସନ କଏଦୀଙ୍କୁ ଯାଞ୍ଚ କରିବା ଆରମ୍ଭ କରି ଦେଇଛି । ଏଚଆଇଭି ସଂକ୍ରମିତଙ୍କ ପାଇଁ ଜେଲରେ ଆଣ୍ଟି ରେଟ୍ରୋଭିରାଲ ଥେରାପି (ଏଆରଟି) ସେଣ୍ଟର ସ୍ଥାପନ କରାଯାଇଛି । ତେବେ ଏଚଆଇଭି ପଜିଟିଭ୍ ଏକ ସଂକ୍ରାମକ ବିମାରୀ ହୋଇଥିବାରୁ ଏହି ଘଟଣା ପରେ ଜେଲ ପ୍ରଶାସନ ଉପରେ ଏବେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଜେଲ ପ୍ରଶାସନ ଏନେଇ ଆଲର୍ଟ ମୋଡ଼କୁ ଆସିଥିବା ବେଳେ ଜେଲ ସୁପରିଟେଣ୍ଡେଣ୍ଟ କିଛି ମନ୍ତବ୍ୟ ଦେବାକୁ ମନା କରିଦେଇଛନ୍ତି ।
ଡାକ୍ତରଙ୍କ ମତରେ, ଜଣେ ଏଚଆଇଭି ସଂକ୍ରମିତଙ୍କ ସହିତ ଯଦି ଜଣେ ସୁସ୍ଥ ବ୍ୟକ୍ତି ଶାରୀରିକ ସମ୍ପର୍କ ରକ୍ଷା କରନ୍ତି ତେବେ ଏଭଳି ସ୍ଥିତିରେ ସୁସ୍ଥ ବ୍ୟକ୍ତି ଏଚଆଇଭି ପଜିଟିଭ୍ ହୋଇଥାନ୍ତି । ସେଥିପାଇଁ ଏଚଆଇଭି ସଂକ୍ରମଣରୁ ବର୍ତ୍ତିବା ପାଇଁ ସମ୍ପର୍କ ସ୍ଥାପନ ପୂର୍ବରୁ କଣ୍ଡୋମ କିମ୍ବା ମେଡିସିନ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଥାଏ । ଯଦି ଜଣେ ପୁରୁଷ ଏଚଆଇଭି ସଂକ୍ରମିତ ହୋଇଥିବା ତାଙ୍କ ମହିଳା ପାର୍ଟନରଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନ କରନ୍ତି ତେବେ ଏଭଳି ସ୍ଥିତିରେ ପୁରୁଷ ସାଥୀ ଏଚଆଇଭି ପଜିଟିଭ ହୋଇଥାନ୍ତି ।
ତେଣୁ ଉତ୍ତରାଖଣ୍ଡର ହଲଦ୍ୱାନୀ ଜେଲ ଭିତରେ କ’ଣ ଚାଲିଥିଲା, ତାହା ସତ୍ୟାସତ୍ୟ ଯାଞ୍ଚ ପରେ ପଦାକୁ ଆସିବ । ଗତବର୍ଷ ପଞ୍ଜାବ ସରକାର ଜେଲ ଭିତରେ ନିଜ ପାର୍ଟନରଙ୍କ ସହିତ ରୋମାନ୍ସ ପାଇଁ ଅନୁମତି ଦେଇଥିଲେ । ଉତ୍ତରାଖଣ୍ଡ ଭଳି ଗତ ୨୦୧୮ରେ ଉତ୍ତରପ୍ରଦେଶର ଏକ ଜେଲରେ ମଧ୍ୟ କିଛି କଏଦୀ ଏଚଆଇଭି ପଜିଟିଭ୍ ହୋଇଥିଲେ ।