ଭୁବନେଶ୍ୱର:ଆସନ୍ତା ୨୩ତାରିଖରେ ଲୋକସେବାଭବନ ପରିସରରେ ‘ମିଲେଟ୍ ଶକ୍ତି କାଫେ’ ଖୋଲିବ । ଏହି ମିଲେଟ କାଫେକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ବିଭିନ୍ନ ଖାଦ୍ୟକୁ ଅଧ୍ଵକରୁ ଅଧ୍ୟକ ବ୍ୟାପକ କରିବାପାଇଁ ଓଡ଼ିଶା ମିଲେଟ୍ ମିଶନ ତରଫରୁ ବ୍ୟାପକ ପଦକ୍ଷେପ ନିଆଯାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ସୁନ୍ଦରଗଡ଼, କେନ୍ଦୁଝର, ପୁରୀ ଗୋଲଡେନ ବିଚ୍ ଏବଂ କଟକ ବାରବାଟୀ ପ୍ୟାଲେସଠାରେ ମିଲେଟ୍ ଶକ୍ତି କାଫେ ଖୋଲାଯାଇଛି । ଏହାର ଚାହିଦାକୁ ଦୃଷ୍ଟିରେ ରଖ୍ ଏବେ ଭୁବନେଶ୍ଵରର ଲୋକସେବା ଭବନ ପରିସରରେ ଆଉ ଏକ ମିଲେଟ୍ ଶକ୍ତି କାଫେ ସ୍ଥାନ ପାଇବ। ଯେଉଁଠାରେ ପୁଷ୍ଟିଶସ୍ୟ ଭିତ୍ତିକ ଖାଦ୍ୟ ଉପଲବ୍ଧ ହେବ ।
ସୂଚନାମୁତାବକ ଭାରତର ବିଭିନ୍ନ ପ୍ରାନ୍ତରେ ଚାଷ ହେଉଥିବା ଯଅ, ବାଜରା, ମାଣ୍ଡିଆ, ସମା, କାଙ୍ଗନି, ଚୀନା, କୋଡୋନ, କୁଟକି ଓ କୁଟ୍ଟୁ ଭଳି ଶ୍ରୀ ଅନ୍ନର ଶହ ଶହ ବର୍ଷ ଧରି ଏସବୁ ଫସଲ ଆମ ଦେଶର ଜୀବନଶୈଳୀ ସହିତ ଜଡ଼ିତ ହୋଇ ରହିଆସିଛି । ମିଲେଟ ଉତ୍ପାଦନ ପାଇଁ କମ୍ ପାଣି ଆବଶ୍ୟକ ପଡ଼ୁଥିବାରୁ ଜଳକ୍ଳିଷ୍ଟ ଅଞ୍ଚଳ ପାଇଁ ଏହା ଏକ ଅନୁକୂଳ ଫସଲ । ଆହୁରି ମିଲେଟକୁ ବିନା ରାସାୟନିକରେ ପ୍ରାକୃତିକ ପଦ୍ଧତିରେ ଚାଷ କରାଯାଇପାରେ ଏବଂ ଏହା ଉଭୟ ମଣିଷ ଓ ମାଟିର ସ୍ୱାସ୍ଥ୍ୟକୁ ସୁରକ୍ଷିତ ରଖେ । ମିଲେଟରେ ପ୍ରଚୁର ପରିମାଣ ପୋଷକ ତତ୍ତ୍ୱ, ବିଶେଷ ସ୍ୱାଦ, ଅଧିକ ଫାଇବର ଉପାଦାନ ମହଜୁଦ ରହିଛି ଏବଂ ଏହା ଶରୀର ଓ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଜନକ। ଏହା ଜୀବନଶୈଳୀ ସଂକ୍ରାନ୍ତ ରୋଗ ନିରାକରଣରେ ସହାୟକ ହୋଇଥାଏ। ଦେଶକୁ ମିଲେଟର ଗ୍ଲୋବାଲ୍ ହବ୍ ରେ ପରିଣତ କରିବା ପାଇଁ ଆମ ରାଜ୍ୟ ଓଡିଶା ମଧ୍ୟ ବେଶ ଆଗବର। ତେଣୁ ରାଜ୍ୟରେ କିଭଳି ଏହାର ବ୍ୟବହାର ବୃଦ୍ଧି ପାଇବ ତାହାକୁ ନେଇ ବେଶ ତତ୍ପର ଅଛନ୍ତି ଆମ ସରକାର ।