fbpx

ସ୍କୁଲ ଛୁଟିରେ ପିଲାଙ୍କ ପାଇଁ ଆସାଇନମେଣ୍ଟ: ଘରେ ରହି ଏହି କାମ କରିବେ ଛାତ୍ରଛାତ୍ରୀ

ଭୁବନେଶ୍ୱର: ସାରା ରାଜ୍ୟରେ ଅସହ୍ୟ ତାତି ଯୋଗୁଁ ସ୍କୁଲ ଛୁଟି ଘୋଷଣା କରାଯାଇଛି । ସ୍କୁଲ ପିଲାମାନଙ୍କୁ ଚଳିତବର୍ଷ ଆଗୁଆ ଗ୍ରୀଷ୍ମକାଳୀନ ଛୁଟି ମିଳିଛି । କିନ୍ତୁ ଏହି ଛୁଟିରେ ପାଠରୁ ପିଲାମାନେ ଦୂରେଇ ନ ଯିବା ପାଇଁ ଶିକ୍ଷା ପରିଷଦ ପକ୍ଷରୁ ନୂଆ ଏସଓପି ଜାରି ହୋଇଛି । ଗ୍ରୀଷ୍ମକାଳୀନ ଛୁଟିରେ ପିଲାମାନେ ଗରେ ରହି କ’ଣ କରିବେ ତାହାର ଏକ ସିଟ୍ କରି ଜିଲ୍ଲାସ୍ତରକୁ ପଠାଇଛି ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ । ଛୁଟି ସମୟରେ ମଧ୍ୟ ଛାତ୍ରଛାତ୍ରୀମାନଙ୍କ ପାଠପଢାରେ ଲିପ୍ତ ରଖିବା ପାଇଁ ଆସାଇନମେଣ୍ଟ ସିଟ୍ ପ୍ରସ୍ତୁତ କରାଯାଇଛି ।

ସୂଚନା ଅନୁସାରେ, ପ୍ରଥମରୁ ଦଶମ ଶ୍ରେଣୀର ଚାତ୍ରଛାତ୍ରୀମାନଙ୍କ ପାଇଁ ‘ଅବସରକାଳୀନ ଗୃହକାର୍ଯ୍ୟ’ ଉପରେ ଏସଓପି ଜାରି କରାଯାଇଛି । ପ୍ରଥମରୁ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ହୋମୱାର୍କ ଦିଆଯାଇଥିବା ବେଳେ ଅଷ୍ଟମରୁ ଦଶକ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ଆସାଇନମେଣ୍ଟ ପ୍ରସ୍ତୁତ କରିଛି ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ । ଏହି ଆସାଇନମେଣ୍ଟ ସିଟକୁ ପ୍ରତ୍ୟେକ ଜିଲ୍ଲାସ୍ତରକୁ ପଠାଇ ଦିଆଯାଇଛି । ଏଥିରେ କୁହାଯାଇଛି ଯେ, ଛୁଟି ସମୟରେ ନିଜ ନୋଟବୁକରେ ହୋମୱାର୍କ କରିବେ ଛାତ୍ରଛାତ୍ରୀ । ତେବେ ସ୍କୁଲ ଖୋଲିବା ପରେ ଏହାକୁ ଦେଖି ଶିକ୍ଷକମାନେ ମୂଲ୍ୟାୟନ କରିବେ । ତେବେ ଏଥିପାଇଁ ପ୍ରତ୍ୟେକ ଜିଲ୍ଲାରେ ଗୋଟିଏ ଲେଖାଏଁ ହେଲ୍ପଡେସ୍କ ପ୍ରତିଷ୍ଠା ହେବ । କିନ୍ତୁ କେବଳ ଗଞ୍ଜାମ, ମୟୁରଭଞ୍ଜ ଏବଂ ସୁନ୍ଦରଗଡ ଜିଲ୍ଲାରେ ରହିବ ଦୁଇଟି ହେଲ୍ପଡେସ୍କ । ଏଥିରେ ମୋଟ ୪ ଜଣ ଶିକ୍ଷକ ଦୁଇଟି ସିଫ୍ଟରେ ଉପସ୍ତିତ ରହିବେ । ଜିଲ୍ଲା ହେଲ୍ପଡେସ୍କ ପକ୍ଷରୁ ରାଜ୍ୟ ସରକାରଙ୍କୁ ପ୍ରତ୍ୟେକ ସପ୍ତାହର କାର୍ଯ୍ୟାବଳୀ ସମ୍ପର୍କରେ ରିପୋର୍ଟ ଦିଆଯିବ ।

ସେପଟେ ଶିକ୍ଷକମାନଙ୍କୁ ଗ୍ରୀଷ୍ମକାଳୀନ ଛୁଟି ସମୟରେ ରୋଷ୍ଟର ଡ୍ୟୁଟି କରିବା ପାଇଁ ନିର୍ଦ୍ଦେଶକୁ ବିରୋଧ ମୁଣ୍ଡ ଟେକିଛି । ପେନସନ ଯୋଜନାଭୁକ୍ତ ମାଧ୍ୟମିକ ଶିକ୍ଷକ ସଂଘ ସରକାରଙ୍କର ଏହି ନୀତିକୁ ବିରୋଧ କରିଛି । ଛୁଟି ଦିନଗୁଡିକରେ ଶିକ୍ଷକ-ଶିକ୍ଷୟତ୍ରୀଙ୍କୁ ବିଭିନ୍ନ ବାହାନା କରି କାଟି ଦିଆଯାଉଥିବା ଅଭିଯୋଗ କରିଛନ୍ତି ସଂଘର ସଭାପତି ପ୍ରଦୀପ୍ତ କୁମାର ପ୍ରଧାନ । ତେଣୁ ଏଥିରୁ ପରିହତ ହୋଇ ଶିକ୍ଷକମାନଙ୍କ ପାଇଁ ଏକ ସ୍ପଷ୍ଟ ଏବଂ ପରିବର୍ତ୍ତିତ ଛୁଟି ତାଲିକା ଘୋଷଣା କରିବାକୁ ଦାବି ହୋଇଛି ।

Get real time updates directly on you device, subscribe now.