ଭାରତୀୟ ବାୟୁ ସୀମାରେ ୧୦ ମିନିଟ୍ ପର୍ଯ୍ୟନ୍ତ ଘୁରି ବୁଲିଲା ପାକିସ୍ତାନୀ ଏୟାରଲାଇନ୍ସ ବିମାନ, ସତର୍କ ହୋଇଉଠିଲା ସେନା

ନୂଆଦିଲ୍ଲୀ: ଭାରତ ବାୟୁ ସୀମାରେ ଅଚାନକ ୧୨୦ କିଲୋମିଟର ପର୍ଯ୍ୟନ୍ତ ପଶି ଆସିଲା ପାକିସ୍ତାନୀ ବିମାନ। ଆଉ ପ୍ରାୟ ୧୦ ମିନିଟ୍ ପର୍ଯ୍ୟନ୍ତ ଘୁରି ବୁଲିଲା ଭାରତୀୟ ସୀମାରେ। ୪ ମେ ରାତି ୮ଟା ୧୧ ମିନିଟ୍ ସମୟରେ ପାକିସ୍ତାନୀ ବିମାନଟି ହଠାତ୍ ପଞ୍ଜାବର ବାଦାନା ଥାନା ଅଂଚଳରେ ଭାରତୀୟ ସୀମାକୁ ପ୍ରବେଶ କରି ଆସିଥିଲା । ଏପରି ପାକିସ୍ତାନୀ ବିମାନ ପଶି ଆସିବା ପରେ ସତର୍କ ହୋଇ ଉଠିଥିଲା ଭାରତୀୟ ସେନା ।

ମିଡିଆ ରିପୋର୍ଟ ଅନୁଯାୟୀ, ପାକିସ୍ତାନର ଲାହୋର ଏୟାରପୋର୍ଟରେ ଭିଷଣ ବର୍ଷା କାରଣରୁ ବିମାନ ଲ୍ୟାଣ୍ଡିଂ କରି ପାରି ନଥିଲା । ଯେଉଁ କାରଣରୁ ଏହି ବିମାନ ଭୁଲ୍‌ରେ ଭାରତୀୟ ସୀମାରେ ପ୍ରବେଶ କରିଯାଇଥିଲା । ପାକିସ୍ତାନୀ ମିଡିଆ ରିପୋର୍ଟ ଅନୁଯାୟୀ ପିକେ-୨୪୮ ନାମକ ବିମାନ ମେ ୪ ତାରିଖରେ ଯେତେବେଳେ ଲାହୋର ବିମାନ ବନ୍ଦରରେ ପହଞ୍ଚିଥିଲା ସେ ସମୟରେ ସେଠାରେ ପ୍ରବଳ ବର୍ଷା ହେଉଥିଲା । ଏହାପରେ ବିମାନର ପାଇଲଟ ବିମାନକୁ ଅନ୍ୟ କୌଣସି ସ୍ଥାନରେ ଲ୍ୟାଣ୍ଡିଂ କରିବାକୁ ନିଷ୍ପତି ନେଇଥିଲେ ।

ଏହାପରେ ପାଇଲଟ ବିମାନଟି ଆଲାମା ଇକବାଲ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ଏଠାରେ ସଫଳ ହୋଇନଥିଲେ। ଏହା ପରେ ପାଇଲଟ ବାଧ୍ୟ ହୋଇ ଭାରତୀୟ ସୀମାରେ ପ୍ରବେଶ ପ୍ରବେଶ କରିଥିଲେ। ଦି ନ୍ୟୁଜ୍ ରିପୋର୍ଟ ଅନୁଯାୟୀ, ଏଟିସିର ନିର୍ଦ୍ଦେଶ ଅନୁଯାୟୀ ପାଇଲଟ୍ ଆକାଶରେ ବୁଲିବା ଆରମ୍ଭ କରିଥିଲେ କିନ୍ତୁ ପ୍ରବଳ ବର୍ଷା ଏବଂ କମ୍ ଉଚ୍ଚତା ମଧ୍ୟରେ ବିମାନଟି ରାସ୍ତା ଭୁଲି ଯାଇଥିଲା। ଫଳସ୍ୱରୂପ, ବିମାନଟି ପଞ୍ଜାବର ବାଦାନା ପୋଲିସ ଷ୍ଟେସନ ନିକଟରେ ରାତି ୮.୧୧ ରେ ଭାରତୀୟ ସୀମାରେ ପ୍ରବେଶ କରିଥିଲା। ବାଦାନା ଅମୃତସର ଠାରୁ ୩୭ କିଲୋମିଟର ଦୂରରେ ଅବସ୍ଥିତ। ରିପୋର୍ଟ ଅନୁଯାୟୀ, ପାଇଲଟମାନେ ବିମାନକୁ ଭାରତୀୟ ବାୟୁସ୍ଥାନରେ ୨୦,୦୦୦ ଫୁଟ ଉଚ୍ଚରେ ଉଡିଥିଲା।

ତେବେ ଭାରତୀୟ ସୀମା ଅଞ୍ଚଳରେ ପ୍ରାୟ ଦଶ ମିନିଟ୍ ଉଡ଼ିବା ପରେ ପାକିସ୍ତାନୀ ବିମାନ ୮.୨୨ ମିନିଟରେ ନିଜ ସୀମା ଅଞ୍ଚଳକୁ ଫେରିଯାଇଥିଲା। ସେହି ସମୟରେ ବିମାନଟି ୨୩,୦୦୦ ଫୁଟ ଉଚ୍ଚରେ ଥିଲା ଏବଂ ଘଣ୍ଟା ପ୍ରତି ୩୨୦ କିଲୋମିଟର ବେଗରେ ଉଡୁଥିଲା।