ନୂଆଦିଲ୍ଲୀ: ଗତ ମାସ ୨୬ ତାରିଖରେ ଛତିଶଗଡ଼ର ଦାନ୍ତେୱାଡ଼ାଠରେ ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ (ଡିଆରଜି) ଫୋର୍ସଙ୍କୁ ନେଇ ଯାଉଥିବା ଗାଡ଼ି ଉପରକୁ ନକ୍ସଲମାନେ ଅପ୍ରତ୍ୟାଶିତ ବିସ୍ଫୋରକ ସାମଗ୍ରୀ (ଆଇଇଡି) ମାଡ଼ କରିଥିଲେ । ଫଳରେ ଘଟଣାସ୍ଥଳରେ ୧୦ ଜଣ ଯବାନ ସହିଦ ହେବା ସହ ଜଣେ ଡ୍ରାଇଭର ମୃତ୍ୟୁବରଣ କରିଥିଲେ । ତେବେ ନକ୍ସଲଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏହି ଘଟଣା ପରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ପ୍ରତିକ୍ରିୟା ଦେଇଥିଲେ ।
ତେବେ ପାଖାପାଖି ୨ ସପ୍ତାହ ମଧ୍ୟରେ ଏହି ଘଟଣାରେ ମିଳିଛି ବଡ଼ ସଫଳତା । ଆଜି ଉକ୍ତ ଆକ୍ରମଣ ଘଟଣାରେ ୭ ଜଣ ନକ୍ସଲଙ୍କୁ ଗିରଫ କରାଯାଇଛି । ଗିରଫଙ୍କ ମଧ୍ୟରେ ୩ ଜଣ ନାବାଳକ ରହିଥିବା ଜଣାପଡ଼ିଛି । ତେଣୁ ସେମାନଙ୍କୁ ଜୁଭେନାଇଲ ହୋମକୁ ପଠାଇ ଦିଆଯାଇଥିବ ବେଳେ ଅନ୍ୟ ୪ ଜଣଙ୍କୁ ଜେଲକୁ ପଠାଯାଇଛି । ଗିରଫ ନକ୍ସଲମାନେ ନିଷିଦ୍ଧ ସିପିଆଇ ମାଓବାଦୀ ସଂଗଠନର ଦର୍ଭା ଡିଭିଜନର ମଲାଙ୍ଗିର ଏରିଆ କମିଟିର ସଦସ୍ୟ ଭାବେ ସକ୍ରିୟ ଥିଲେ ।
ସୂଚନାଯୋଗ୍ୟ ଯେ, ଗତ ମାସରେ ଦାନ୍ତେୱାଡ଼ାରେ ଘଟିଯାଇଥିବା ନକ୍ସଲଙ୍କ ଆକ୍ରମଣ ଏତେ ଭୟଙ୍କର ଥିଲା ଯେ, ସୁରକ୍ଷା କର୍ମୀଙ୍କ ଗାଡ଼ି ବହୁ ଉପରକୁ ଉଠିଯାଇଥିଲା । ଏଥିସହିତ ଘଟଣାସ୍ଥଳରେ ଏକ ବିରାଟ ଗାତ ସୃଷ୍ଟି ହୋଇଥିଲା । ନକ୍ସଲମାନେ ବିସ୍ଫୋରଣ ଘଟାଇବା ପାଇଁ ୫୦ କେଜିର ଆଇଡି ବ୍ୟବହାର କରିଥିଲେ । ଏହା ପୂର୍ବରୁ ଗତ ୨୦ ତରିଖରେ ଆତଙ୍କବାଦୀଙ୍କ ଆକ୍ରମଣରେ ୫ ଜଣ ଯବାନ ସହିଦ ହୋଇଥିଲେ । ସେହି ଆକ୍ରମଣରେ ଓଡ଼ିଆ ଯବାନ ଦେବାଶିଷ ବିଶ୍ୱାଳ ପ୍ରାଣ ହରାଇଥିଲେ ।