fbpx

ସୁପ୍ରିମକୋର୍ଟରୁ ମିଳିଲା ବଡ଼ ଧରଣର ଆଶ୍ୱସ୍ତି: ଜେଲରୁ ମୁକୁଳିଲେ ଇମ୍ରାନ

ଇସଲାମାବାଦ: ଅଦାଲତ ହେଉଛି ଜନସାଧାରଣଙ୍କ ଆସ୍ଥା ଓ ଭରସାର ପ୍ରତୀକ । ପୋଲିସ ଯଦି ଅଭିଯୁକ୍ତଙ୍କୁ କୋର୍ଟ ପରିସରରୁ ଉଠାଇ ନିଏ, ତେବେ ଏହା ବେଆଇନ ଓ ଅବୈଧ ବୋଲି କହିଛନ୍ତି ପାକିସ୍ତାନର ସୁପ୍ରିମକୋର୍ଟ । ଗୁରୁବାର ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ
ଗିରଫଦାରୀ ଉପରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରିବା ସହ ତାଙ୍କୁ ଜେଲରୁ ତୁରନ୍ତ ମୁକ୍ତି ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଜେଲରୁ ମୁକୁଳିଛନ୍ତି ଇମ୍ରାନ୍ । ତାଙ୍କୁ ଶୁକ୍ରବାର ହାଇକୋର୍ଟରେ ହାଜର ପାଇଁ ସୁପ୍ରିମକୋର୍ଟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଉମର ଅତା ବନ୍ଦିଆଲ, ଜଷ୍ଟିସ ମହମ୍ମଦ ଅଲ୍ଲୀ ମଜହର ଓ ଜଷ୍ଟିସ ଅତହର ମିନଲାଙ୍କୁ ନେଇ ଗଠିତ ଖଣ୍ଡପୀଠ ଇମ୍ରାନଙ୍କ ଗିରଫଦାରୀ ବିରୋଧରେ ଦାଖଲ ଆବେଦନ ଉପରେ ଶୁଣାଣି କରିବା ପରେ ତାଙ୍କୁ ମୁକ୍ତି ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଇମ୍ରାନଙ୍କ ସହ
ନ୍ୟାୟ ହୋଇନଥିବା ଖଣ୍ଡପୀଠ କହିଛନ୍ତି । କୋର୍ଟରୁ ମୁକୁଳିବା ପରେ ଇମ୍ରାନ ଅଭିଯୋଗ କରିଛନ୍ତି ଯେ ତାଙ୍କୁ କୋର୍ଟ ପରିସରରୁ ଅପହରଣ କରାଯିବା ପରେ ତାଙ୍କ ସହିତ ଦୁର୍ବ୍ୟବହାର କରାଯାଇଛି । ଏପରିକି ତାଙ୍କୁ ଲାଠିରେ ମାଡ଼ ମରାଯାଇଥିବା ସେ ଅଭିଯୋଗ କରିଛନ୍ତି । ତାଙ୍କ ଉପରେ ୧୪୫ଟି ମାମଲା ରୁଜୁ କରାଯାଇଛି ଓ ତାଙ୍କୁ ଆତଙ୍କବାଦୀ ଭଳି ବ୍ୟବହାର କରାଯାଇଥିବା ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ ପିଟିଆଇ ମୁଖ୍ୟ ଇମ୍ରାନ ଖାନଙ୍କୁ ଅଲ କାଦିର ଟ୍ରଷ୍ଟ ଦୁର୍ନୀତି ମାମଲାରେ ପାକିସ୍ତାନୀ ରେଞ୍ଜର୍ସ ଇସଲାମାବାଦ ହାଇକୋର୍ଟ ପରିସରରୁ ମଙ୍ଗଳବାର ଉଠାଇ ନେଇଥିଲେ । ମେ ୧ ତାରିଖରେ ଏନଏବି ତାଙ୍କ ବିରୋଧରେ ଆରେଷ୍ଟ ୱାରେଣ୍ଟ ଜାରି କରିଥିଲେ । କୋର୍ଟ ଇମ୍ରାନଙ୍କ
ଗିରଫଦାରୀକୁ ନେଇ ମଧ୍ୟ ଉଦବେଗ ପ୍ରକାଶ କରିଥିଲେ । ସୂଚନାଯୋଗ୍ୟ ଯେ ଇମ୍ରାନଙ୍କ ଗିରଫ ପରେ ତାଙ୍କ ସମର୍ଥକମାନେ ଦେଶର ଅନେକ ସହରରେ ହିଂସାତ୍ମକ ଆନ୍ଦୋଳନ କରିଥିଲେ । ଫଳରେ ଅନେକ ସହରରେ ୧୪୪ଧାରା ଜାରି ସହ ଇଣ୍ଟରନେଟ ସେବାକୁ ବନ୍ଦ ରଖାଯାଇଥିଲା ।

Get real time updates directly on you device, subscribe now.