fbpx

SCBରେ ଖୋଲିବ ରାଜ୍ୟର ପ୍ରଥମ ‘ବୋନ ବ୍ୟାଙ୍କ’: ଏଣିକି ରକ୍ତ ଭଳି ସହଜରେ ହାଡ଼ ମିଳିପାରିବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟକୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ଅଗ୍ରଣୀ କରାଇବା ଲକ୍ଷ୍ୟରେ ରାଜ୍ୟ ସରକାର ନୂଆ ନୂଆ ପଦକ୍ଷେପ ଗ୍ରହଣ କରୁଛନ୍ତି । ତେଣୁ ଏହି ଲକ୍ଷ୍ୟ ନେଇ କଟକର ଏସସିବିରେ ରାଜ୍ୟର ପ୍ରଥମ ‘ବୋନ୍ ବ୍ୟାଙ୍କ’ ଖୋଲିବ । ଏହାଫଳରେ ଏଣିକି ରକ୍ତ ଭଳି ହାଡ଼ ଅତି ସହଜରେ ମିଳିପାରିବେ । ଏଥିପାଇଁ ଅର୍ଥୋପେଡିକ ତଥା ଅସ୍ଥିଶଲ୍ୟ ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଥିବା ବେଳେ ମେଶିନ୍ ପାଇଁ ଟେଣ୍ଡର ଆହ୍ୱାନ କରାଯାଇଛି ।

ସାଧାରଣ ଭାବେ କୌଣସି ରୋଗୀର ଅସ୍ତ୍ରୋପଚାର ସମୟରେ ତା’ର ହାଡ଼କୁ ଫିଙ୍ଗି ଦିଆଯାଇଥାଏ । ଏଥିସହିତ ଦୁର୍ଘଟଣା ଓ ଅନ୍ୟ କାରଣ ପାଇଁ ବହୁ ସମୟରେ ହାଡ଼ ନଷ୍ଟ ହୋଇଥାଏ । ତେବେ ‘ବୋନ ବ୍ୟାଙ୍କ’ ପ୍ରତିଷ୍ଠା ହେବା ପରେ ଆଉ ହାଡ଼ ନଷ୍ଟ ହେବନି । ଏହି ହାଡ଼କୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସଂରକ୍ଷିତ କରି ରଖାଯାଇ ପରେ ଅନ୍ୟ ରୋଗୀଙ୍କ ଶରୀରରେ ପ୍ରତିରୋପଣ କରାଯାଇ ପାରିବ । ବର୍ତ୍ତମାନ ରାଜ୍ୟର କୌଣସି ମେଡିକାଲରେ ଏହି ‘ବୋନ ବ୍ୟାଙ୍କ’ ସୁବିଧା ନାହିଁ ।

ତେବେ ବୋନ ଟ୍ୟୁମର ଆକ୍ରାନ୍ତ ରୋଗୀଙ୍କ ଅପରେସନ କ୍ଷେତ୍ରରେ ଏହି ଅତି ଉପାଦେୟ ସାବ୍ୟସ୍ତ ହେବ । ୧୮ରୁ ୪୫ ବର୍ଷୀୟ ଲୋକଙ୍କ ହାଡ଼ ‘ବୋନ ବ୍ୟାଙ୍କ’ ପାଇଁ ଅତ୍ୟନ୍ତ ଜରୁରୀ ହେବ । ତେବେ ଏହି ‘ବୋନ ବ୍ୟାଙ୍କ’ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଅନୁମତି ମିଳିସାରିଛି । ଏଣିକି ସଡ଼କ ଦୁର୍ଘଟଣାର ଗୁରୁତର, ବୋନ୍ କ୍ୟାନସର ଆକ୍ରାନ୍ତଙ୍କଠାରେ ସଫଳତାର ସହିତ ଅସଲି ହାଡ଼ ପ୍ରତିରୋପଣ ହୋଇ ପାରିବ । ଲାଇଭ୍ ଡୋନରଙ୍କଠାରୁ ବା ମୃତଦେହରୁ ସଂଗୃହୀତ ହାଡ଼କୁ ମାଇନସ ୪୦ ଡିଗ୍ରୀରୁ ମାଇନସ ୮୦ ଡିଗ୍ରୀ ଥଣ୍ଡାରେ ସଂରକ୍ଷିତ କରି ରଖାଯିବ । ଷ୍ଟେରଲାଇଜ୍ ହେବା ପରେ ତାହାକୁ ବ୍ୟବହାର କରାଯାଇ ପାରିବ । ଗତ ୨୦୨୧ରେ ରାଜ୍ୟ ସରକାରଙ୍କୁ ଏଥିପାଇଁ ପ୍ରସ୍ତାବ ଦିଆଯାଇଥିଲା ।

Get real time updates directly on you device, subscribe now.