fbpx

IPLରେ କମାଲ କଲା ଓଡ଼ିଆ ପୁଅ: ଚେନ୍ନାଇ ପହଞ୍ଚିଲା ଫାଇନାଲରେ, ଶୁଭ୍ରାଂଶୁ ଦର୍ଶକଙ୍କ ହୃଦୟରେ

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ର ପ୍ରଥମ ଯୋଗ୍ୟତା ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ ପ୍ରତିପକ୍ଷ ଗୁଜରାଟ ଟାଇଟନ୍ସକୁ ୧୫ ରନରେ ପରାସ୍ତ କରିଛି । ଏହି ବିଜୟ ଫଳରେ ମହେନ୍ଦ୍ର ସିଂହ ଧୋନୀଙ୍କ ନେତତ୍ୱାଧୀନ ଚେନ୍ନାଇ ୧୦ମ ଥର ପାଇଁ ଫାଇନାଲରେ ପହଞ୍ଚିବାରେ ସକ୍ଷମ ହୋଇଛି । ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ୭ ୱିକେଟରେ ୧୭୨ ରନ୍ ସଂଗ୍ରହ କରିଥିଲା । ଜବାବରେ ଗୁଜରାଟ ନିର୍ଦ୍ଧାରିତ ୨୦ ଓଭରରେ ୧୫୭ ରନରେ ଅଟକି ଯାଇଥିଲା ।

ତେବେ ଏହି ହାଇଭୋଲଟେଜ୍ ମ୍ୟାଚରେ ଧୋନୀ ମ୍ୟାଚ ଜିତିଥିଲେ, ମାତ୍ର ଦିଲ୍ ଜିତିଥିଲେ ଓଡ଼ିଆ ପୁଅ ଶୁଭ୍ରାଂଶୁ ସେନାପତି । ଶୁଭ୍ରାଂଶୁ ଗତକାଲିର ମ୍ୟାଚରେ ଚେନ୍ନାଇ ପାଇଁ ଜଣେ ବଦଳ ଖେଳାଳି ଭାବେ ଖେଳିଥିଲେ । ତେବେ ଏହି ବଦଳ ଖେଳାଳି ସତେ ଯେମିତି ସମସ୍ତଙ୍କର ମନୋଭାବକୁ ବଦଳାଇବାରେ ସକ୍ଷମ ହୋଇଥିଲେ । ଚେନ୍ନାଇ ଫାଇନାଲ ଆଡ଼କୁ ଅଗ୍ରସର ହେଉଥିବା ବେଳେ ଓଡ଼ିଆ ପୁଅର ଏହି ସିଧା ଥ୍ରୋ ସତେ ଯେମିତି ସିଧା ଯାଇ ଦର୍ଶକଙ୍କ ହୃଦୟରେ ବାଜିଥିଲା ।

୨୭ ବର୍ଷୀୟ ଶୁଭ୍ରାଂଶୁ ପୂର୍ବରୁ ପଡ଼ିଆରେ ଫିଲ୍ଡିଂ କ୍ଷେତ୍ରରେ ପ୍ରଭାବୀ ପ୍ରଦର୍ଶନ କରିଥିଲେ । ଗତ ୨୦୨ରେ ଚେନ୍ନାଇ ଶୁଭ୍ରାଂଶୁଙ୍କୁ କିଣିଥିବା ବେଳେ ସେ ଏହା ମଧ୍ୟରେ ଗୋଟିଏ ବି ମ୍ୟାଚ ଖେଳିବାକୁ ସୁଯୋଗ ପାଇ ନାହାନ୍ତି । ୧୮ତମ ଓଭରର ଚତୁର୍ଥ ବଲକୁ ଗୁଜରାଟର ଦର୍ଶନ ନଲକଣ୍ଡେ ମିଡ ଅଫକୁ ମାରିଥିଲେ । ଏହାପରେ ନଲକଣ୍ଡେ ୧ ରନ୍ ନେବାକୁ ପ୍ରୟାସ କରିଥିଲେ । ତେବେ ଏହି ସମୟରେ ତ୍ୱରିତ ବେଗରେ ଶୁଭ୍ରାଂଶୁ ବଲକୁ ସିଧା ଥ୍ରୋ କରି ନଲକଣ୍ଡେକୁ ଆଉଟ୍ କରିଦେଇଥିଲେ । ଶୁଭ୍ରାଂଶୁଙ୍କ ଏହି ଥ୍ରୋ’କୁ ପଡ଼ିଆରେ ଥିବା ସମସ୍ତ ଦର୍ଶକ ମନରୁ ପାଶୋରି ପାରିନଥିଲେ । ଯେତିକି ସୁଯୋଗ ମିଳୁଛି ସେହି ଅନୁଯାୟୀ ନିଜର ପ୍ରଦର୍ଶନ ଦେବାରେ ଆଦୌ ଅବହେଳା କରୁନାହାନ୍ତି ଶୁଭ୍ରାଂଶୁ ।

Get real time updates directly on you device, subscribe now.