ମୃତ୍ୟୁର ଶକ୍ତ ପ୍ରହାର: ବଜ୍ରପାତ ଘଟି ଲିଭିଗଲା ୩ଟି ଜୀବନ, ୪ ଜଣ ଆହତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପ୍ରକୃତିର ତାଣ୍ଡବ ଆଗରେ ମଣିଷ କିଛି କରିପାରେ ନାହିଁ । ଅନେକ ସମୟରେ ବନ୍ୟା, ବାତ୍ୟା, ବଜ୍ରପାତ ଘଟି ବହୁ ଧନଜୀବନ ହାନୀ ହୋଇଥାଏ । ଏଭଳି ବିପତ୍ତି ବେଳେ ଭାଗ୍ୟକୁ ଆଦରି ପଡ଼ି ରହିବା ଛଡ଼ା ମଣିଷ ପାଖରେ ଅନ୍ୟ କିଛି ଚାରା ନଥାଏ । ତେବେ ଏହା ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ବଜ୍ରପାତରେ ୩ ଜଣଙ୍କର ଅକାଳରେ ମୃତ୍ୟୁ ଘଟିଛି ।

ସୂଚନା ମୁତାବକ, ଢେଙ୍କାନାଳ ଜିଲ୍ଲାରୁ ଆସିଛି ଏଭଳି ଏକ ଦୁଃଖଦ ଘଟଣା । ଗଁଦିଆ ଅଞ୍ଚଳରେ ବଜ୍ରପାତ କାରଣରୁ ୩ ଜଣଙ୍କର ଜୀବନ ଚାଲିଯାଇଛି । ଏଥିସହିତ ୪ ଜଣ ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ସଦର ବ୍ଲକ ଅନ୍ତର୍ଗତ ନଢ଼ଣପୁର ଗ୍ରାମରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଗଁଦିଆ ବ୍ଲକ ଅନ୍ତର୍ଗତ ଦେଓଗାଁର ଜଣଙ୍କର ମୃତ୍ୟୁ ଘଟିବା ସହିତ ୪ ଜଣ ଆହତ ହୋଇଛନ୍ତି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଦୁଃଖର ଲହରୀ ଖେଳିଯାଇଛି ।

ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ଗତ ୧୩ ତାରିଖରେ ବଜ୍ରପାତରେ ବାଲେଶ୍ୱରେରେ ୫୦ଟି ମାଙ୍କଡ଼ ପ୍ରାଣ ହରାଇଥିଲେ । ସେହିପରି ମେ ମାସ ୩୧ ତାରିଖରେ ବଜ୍ରପାତରେ ୨୦ଟି ଗାଈଙ୍କର ମୃତ୍ୟୁ ଘଟିଥିଲା । ଗଞ୍ଜାମ ଜିଲ୍ଲାରେ ଝଡ଼ବର୍ଷାରୁ ରକ୍ଷା ପାଇବା ପାଇଁ ଗୃହପାଳିତ ପଶୁମାନେ ଗଛମୂଳେ ଆଶ୍ରୟ ନେଇଥିବା ସମୟରେ ଅଚାନକ ମୃତ୍ୟୁ ମାଡ଼ିଆସିଥିଲା । ତା’ ପୂର୍ବର ୨୮ ତାରିଖରେ କୋରାପୁଟ ଜିଲ୍ଲାର ପଟ୍ଟାଙ୍ଗୀ ବ୍ଲକ ଅଞ୍ଚଳରେ ବଜ୍ରପାତରେ ୨୧ଟି ଗୋରୁ ସହିତ ୩ଟି ଛେଳି ପ୍ରାଣ ହରାଇଥିଲେ ।