ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ବଡ଼ ଧୂମଧାମରେ ପାଳିତ ହେଉଛି । ଏହି ଅବସରରେ ଦେଶ, ବିଦେଶର ଲକ୍ଷ ଲକ୍ଷ ଭକ୍ତଙ୍କର ସମାଗମ ହୋଇଛି । ଶ୍ରୀ ଜଗନ୍ନାଥଙ୍କ ନନ୍ଦିଘୋଷ, ଶ୍ରୀ ବଳଭଦ୍ରଙ୍କ ତାଳଧ୍ୱଜ ଓ ଦେବୀ ସୁଭ୍ରାଙ୍କ ଦର୍ପଦଳନରେ ରଥାରୂଢ଼ ଶ୍ରୀଜୀଉଙ୍କୁ ଦର୍ଶନ କରିବାକୁ ଭକ୍ତଙ୍କ ମଧ୍ୟରେ ଅପୂର୍ବ ଉତ୍ସାହ ଦେଖିବାକୁ ମିଳିଛି । ଆଜିର ପ୍ରଚଣ୍ଡ ଖରା ଭକ୍ତ ଆଉ ଭକ୍ତମାନଙ୍କ ମଧ୍ୟରେ ବାଧା ସୃଷ୍ଟି କରିପାରି ନାହିଁ ।
ଏହା ମଧ୍ୟରେ ଆଜି ଶ୍ରୀକ୍ଷେତ୍ରରେ ଏକ ବଡ଼ ଅଘଟଣ ଘଟିଥିଲା । ଶ୍ରୀ ବଳଭଦ୍ରଙ୍କ ତାଳଧ୍ୱଜ ରଥଟଣା ସମୟରେ ଭକ୍ତଙ୍କ ମଧ୍ୟରେ ଠେଲାପେଲା ଦେଖିବାକୁ ମିଳିଥିଲା । ଫଳରେ ଏକାଧିକ ଭକ୍ତ ଆହତ ହୋଇଥିଲେ । ଏହାପରେ ସମସ୍ତ ଆହତଙ୍କୁ ପୁରୀ ମେଡିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା । ମରିଚିକୋଟ ଛକରେ ଦେଖିବାକୁ ମିଳିଥିଲା ଏପରି ଏକ ଅଘଟଣ । ଆଜି ପୁରୀ ବ୍ୟତୀତ ରାଜ୍ୟ, ଦେଶ ଓ ବିଦେଶର ବିଭିନ୍ନ ସ୍ଥାନରେ ମଧ୍ୟ ମହାପ୍ରଭୁଙ୍କ ରଥକୁ ଭକ୍ତମାନେ ଟାଣୁଛନ୍ତି ।
ଏହା ମଧ୍ୟରେ ପୁଣି ଏକ ବଡ଼ ଖବର ସାମ୍ନାକୁ ଆସିଛି । ଗୁଜରାଟର ଅହମ୍ମଦାବାଦଠାରେ ରଥଟଣା ଚାଲିଥିବା ସମୟରେ ଅଚାନକ ଏକ ବିଲଡିଂ ଭୁଶୁଡ଼ି ପଡ଼ିଥିଲା । ଫଳରେ ଘଟଣାସ୍ଥଳରେ ୧୧ ଜଣ ଭକ୍ତ ଆହତ ହୋଇଥିଲେ । ବାଲକୋନୀରେ କିଛି ଶିଶୁ ଓ ମହିଳା ଛିଡ଼ା ହୋଇ ରଥଟଣା ଦେଖୁଥିବା ସମୟରେ ଅଚାନକ କାନ୍ଥ ଭୁଶୁଡ଼ି ପଡ଼ିବ ବୋଲି କେହି ବି ଭାବିନଥିଲେ । ଏହି ଦୁର୍ଘଟଣା ପରେ ଅନେକ ଲୋକଙ୍କ ମାଟି ତଳେ ଚାପି ହୋଇ ରହିଯାଇଥିଲେ । ଲୋକଙ୍କୁ ପ୍ରସାଦ ବଣ୍ଟା ଯାଉଥିବା ସମୟରେ ଏହି ଅଘଟଣ ଅପ୍ରତ୍ୟାଶିତ ଭାବେ ଘଟିଥିଲା । ଏହାପରେ ସଙ୍ଗେସଙ୍ଗେ ସମସ୍ତ ଆହତଙ୍କୁ ନିକଟସ୍ଥ ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।