୧୪ ସରକାରୀ ଅଧିକାରୀଙ୍କ ଉପରେ ରାଜ୍ୟ ସରକାରଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ: ୪ ଜଣଙ୍କୁ ବାଧ୍ୟତାମୂଳକ ଅବସର, ୪ ଜଣଙ୍କୁ ସସପେଣ୍ଡ, ୬ ଜଣଙ୍କ ପେନସନ ବନ୍ଦ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୧୪ ଜଣ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ରାଜ୍ୟ ସରକାର । ଦୁର୍ନୀତି ଓ ଅପାରଗ କାରଣରୁ ଏହି ଅଧିକାରୀଙ୍କ ଉପରେ ଶକ୍ତ ପ୍ରହାର କରାଯାଇଛି । ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିବା ବେଳେ ୪ ଜଣଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ସେହିପରି ବାକି ୬ ଜଣଙ୍କ ପେନସନକୁ ସ୍ଥାୟୀଭାବେ ସ୍ଥଗିତ କରାଯାଇଛି।ଏହି ଅଧିକାରୀମାନଙ୍କ ମଧ୍ୟରେ ଜଣେ ସୁପରିନ୍ଟେଣ୍ଡିଂ ଇଞ୍ଜିନିୟର, ୨ ଜଣ ଆସିଷ୍ଟାଣ୍ଟ ଇଞ୍ଜିନିୟର, ଜଣେ ଡିଏସ୍ପି, ଜଣେ ସିଡିପିଓ, ଜଣେ ଫରେଷ୍ଟ ରେଞ୍ଜ ଅଫିସର, ଜଣେ ତହସିଲଦାର, ଜଣେ ବିଡିଓ, ଜଣେ ସିନିଅର ମ୍ୟାନେଜର, ଜଣେ ଟ୍ୟାକ୍ସ କଲେକ୍ଟର, ଜଣେ ସପ୍ଲାଇ ଇନ୍ସପେକ୍ଟର ଓ ୩ ଜଣ ଜୁନିଅର ଇଞ୍ଜିନିୟର ଅଛନ୍ତି।

ସେମାନେ ହେଲେ ନବକିଶୋର ସାମଲ, ସ୍ୱର୍ଣ୍ଣଭା ଦାସ, ଦାମୋଦର ମହାଲିକ, ପଞ୍ଚାନନ ବାରିକ , ମଳୟ କିଶୋର ନାୟକ, ପ୍ରକାଶ ଚନ୍ଦ୍ର ପାତ୍ର , ମନୋଜ କୁମାର ବେଉରା, ଜୟନ୍ତ ନାରାୟଣ ପଣ୍ଡା, ଦୁଷ୍ମନ୍ତ କୁମାର ନାୟକ, ସୋମନାଥ ପଣ୍ଡା , କୁଞ୍ଜବିହାରୀ ମହାପାତ୍ର, କ୍ଷୀରୋଦ ଚନ୍ଦ୍ର ରାଉତ, ଦିଲ୍ଲୀପ କୁମାର ଦିଗଲ । ଏହି ୧୪ ଜଣଙ୍କୁ ମିଶାଇ ବର୍ତ୍ତମାନ ସୁଦ୍ଧା ୧୮୭ ଜଣ ଦୁର୍ନୀତିଗ୍ରସ୍ତ ବା ଅପାରଗ ଅଧିକାରୀଙ୍କୁ ଚାକିରିରୁ ବହିଷ୍କାର ବା ବାଧ୍ୟତାମୂଳକ ଅବସର ଦିଆଯାଇଛି କିମ୍ବା ପେନ୍ସନକୁ ସ୍ଥାୟୀ ଭାବେ ସ୍ଥଗିତ ରଖାଯାଇଛି।