fbpx

ବୈବାହିକ ବିବାଦର କରୁଣ ପରିଣତି: ଗୋଟିଏ ପରିବାରର ୯ ଜଣ ସଦସ୍ୟଙ୍କୁ ଗୁଳିକରି ହତ୍ୟା

ନୂଆଦିଲ୍ଲୀ: ଗୋଟିଏ ପରିବାରର ୯ ଜଣ ସଦସ୍ୟଙ୍କୁ ଗୁଳି କରି ହତ୍ୟା କରାଯାଇଛି । ପାକିସ୍ତାନରୁ ଆସିଛି ଏଭଳି ଏକ ବଡ଼ ଖବର । ଉତ୍ତର-ପଶ୍ଚିମ ପାକିସ୍ତାନର ଖାଇବର ପାଖତୁଙ୍ଖୱା ରାଜ୍ୟରେ ଏଭଳି ଏକ ହୃଦୟ ବିଦାରକ ତଥା ଲୋମହର୍ଷଣକାରୀ ଘଟଣା ଘଟିଯାଇଛି । ମଲାକାଣ୍ଡ ଜିଲ୍ଲାର ବାଟଖେଳା ତହସିଲ ଅଞ୍ଚଳରେ ଘଟିଥିବା ଏହି ଘଟଣାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି ।

ଏହି ଗୁଳିକାଣ୍ଡର ମୃତକଙ୍କ ମଧ୍ୟରେ ୩ ଜଣ ମହିଳା, ୬ ଜଣ ପୁରୁଷ ରହିଥିବା ଜଣାପଡ଼ିଛି । ଅନ୍ୟପକ୍ଷରେ ଗୋଟିଏ ୧୨ ବର୍ଷର ପିଲା ଏହି ଗୁଳମାଡ଼ରୁ ଅଳ୍ପକେ ବର୍ତ୍ତିଯାଇଥିବା ଜଣାପଡ଼ିଛି । ଏକ ବିବାହ ଜନିତ ବିବାଦକୁ ନେଇ ଏହି ହତ୍ୟାକାଣ୍ଡ ସଂଘଟିତ ହୋଇଥିବା କୁହାଯାଉଛି । ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଦେଇଛି । ଏହି ଘଟଣା ବିଷୟରେ ଜାଣିବା ପରେ ଘଟଣାସ୍ଥଳରେ ପାରାମିଲିଟାରୀ ଫୋର୍ସ ପହଞ୍ଚିଥିଲେ । ଏହାପରେ ସମସ୍ତ ମୃତଦେହକୁ ଉଦ୍ଧାର କରାଯାଇ ବାଟଖେଳା ହସ୍ପିଟାଲକୁ ପୋଷ୍ଟ ମର୍ଟମ ପାଇଁ ପଠାଯାଇଥିଲା ।

ଏଭଳି ଏକ ବର୍ବରୋଚିତ ହତ୍ୟାକାଣ୍ଡର ଦୋଷୀଙ୍କ ଧରିବା ପାଇଁ ପୋଲିସ ପକ୍ଷରୁ ଜିଲ୍ଲାର ସମସ୍ତ ପ୍ରବେଶ ଓ ପ୍ରସ୍ଥାନ ପଥକୁ ବନ୍ଦ କରି ଦିଆଯାଇଛି । ସମସ୍ତ ଦୋଷୀଙ୍କୁ କଠୋର ଦଣ୍ଡ ବିଧାନ କରାଯିବ । ପୀଡ଼ିତଙ୍କ ପରିବାରକୁ ନ୍ୟାୟ ମିଳିବ ବୋଲି କାର୍ଯ୍ୟାନିର୍ବାହୀ ମୁଖ୍ୟମନ୍ତ୍ରୀ ମହମ୍ମଦ ଆଜମ ଖାନ କହିବା ସହିତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ପୋଲିସ ଏହି ମାମଲାରେ ୩ ଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.