fbpx

(Video) ତ୍ରିପୁରା ରଥ ଦୁର୍ଘଟଣା: ୨ ଶିଶୁ ସମେତ ୬ ଜଣ ଜୀବନ୍ତ ଦଗ୍ଧ, ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ତ୍ରିପୁରା: ତ୍ରିପୁରାର ଉନାକୋଟୀ ଜିଲ୍ଲାରେ ମହାପ୍ରଭୁ ଜଗନ୍ନାଥଙ୍କ ବାହୁଡା ଯାତ୍ରା ସମୟରେ ଏକ ବଡ଼ ଦୁର୍ଘଟଣା ଘଟିଛି। ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବା ପରେ ରଥରେ ନିଆଁ ଲାଗି ୨ ଶିଶୁ ସମେତ ୬ ଜଣଙ୍କର ଯନ୍ତ୍ରଣାଦାୟକ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଅନ୍ୟ ୧୫ ଜଣ ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ଶ୍ରୀ ଜଗନ୍ନାଥଙ୍କର ରଥକୁ ଟାଣିବା ବେଳେ ଏହି ଦୁର୍ଘଟଣା ଘଟିଛି। ଏହି ସମୟରେ, ରଥର ଉପର ଭାଗରେ ଯାଇଥିବା high-tension ତାର ସହ ଲାଗି ସମଗ୍ର ରଥରେ ନିଆଁ ଲାଗିଯାଇଥିଲା। ରଥ ଟାଣୁଥିବା ଭକ୍ତଙ୍କ ମଧ୍ୟରୁ ୬ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଶ୍ରୀ ଜଗନ୍ନାଥଙ୍କ ‘ବାହୁଡା ଯାତ୍ରା’ ଉତ୍ସବରେ କୁମାରଘାଟ ଅଞ୍ଚଳରେ ରାତି ପ୍ରାୟ ୪.୩୦ ସମୟରେ ଏହି ଘଟଣା ଘଟିଥିବା ପୋଲିସ କହିଛି।

ପୋଲିସ କହିଛି ଯେ, ଏହି ଯାତ୍ରାରେ ହଜାର ହଜାର ଲୋକେ କାଠରେ ନିର୍ମିତ ରଥକୁ ଟାଣି ନେଉଥିବା ସମୟରେ ୧୩୩ କେଭି ଓଭରହେଡ କେବୁଲ ସଂସ୍ପର୍ଶରେ ଆସିଥିଲେ। ସମ୍ବାଦ ଏଜେନ୍ସି ପିଟିଆଇ କହିଛି ଯେ, ଘଟଣାସ୍ଥଳରେ ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୫ ଜଣ ଜଳିଯାଇ ଆହତ ହୋଇଛି। ଯେଉଁମାନେ ପ୍ରାଣ ହରାଇଛନ୍ତି ସେମାନଙ୍କ ମଧ୍ୟରେ ଦୁଇ ପିଲା ମଧ୍ୟ ଅନ୍ତର୍ଭୁକ୍ତ। ଏଥିସହ ଆହତମାନେ ନିକଟସ୍ଥ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଆହତଙ୍କ ଅବସ୍ଥା ଗୁରୁତର ବୋଲି କୁହାଯାଉଛି।

ପିଟିଆଇ ଦ୍ୱାରା ଟ୍ୱିଟ୍ କରାଯାଇଥିବା ଭିଡିଓରେ ଏହି ଦୁଃଖଦ ଘଟଣା ସମ୍ପୂର୍ଣ୍ଣ ଦୃଶ୍ୟମାନ ହେଉଛି। ଏହି ଭିଡିଓରେ ଜଳୁଥିବା ରଥ ସହିତ ମୃତଦେହ ରାସ୍ତାରେ ପଡ଼ିଥିବାର ଦେଖାଯାଉଛି। ଅଗ୍ନିଶମ କର୍ମଚାରୀ ଏବଂ ଉଦ୍ଧାରକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ।

ଲୋକଙ୍କ ମୃତ୍ୟୁକୁ ନେଇ ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ସାହା ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ‘କୁମାରଘାଟରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଅନେକ ଭକ୍ତ ପ୍ରାଣ ହରାଇଥିଲେ ଏବଂ ରଥ ଟାଣିବା ସମୟରେ ବିଦ୍ୟୁତ୍ ସଂଯୋଗ ଯୋଗୁଁ ଅନେକ ଆହତ ହୋଇଥିଲେ। ଏହି ଘଟଣା ଦ୍ୱାରା ମୁଁ ବହୁତ ଦୁଃଖିତ। ଶୋକସନ୍ତପ୍ତ ପରିବାର ପ୍ରତି ମୋର ଗଭୀର ସମବେଦନା। ଆହୁରି ମଧ୍ୟ, ମୁଁ ଆହତମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛି। ଏଭଳି ଦୁଃଖ ଏବଂ ଯନ୍ତ୍ରଣା ସମୟରେ ରାଜ୍ୟ ସରକାର ସେମାନଙ୍କ ସହ ଠିଆ ହୋଇଛନ୍ତି।

ଏହି ଅଘଟଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ସମବେଦନା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ର ଅଫିସିଆଲ୍ ହ୍ୟାଣ୍ଡେଲରୁ ଏକ ଟ୍ୱିଟ କରାଯାଇଛି “କୁମାରଘାଟରେ ବାହୁଡା ରଥ ଯାତ୍ରା ସମୟରେ ଘଟିଥିବା ଦୁର୍ଘଟଣା ଦୁଃଖ ଦାୟକ। ଯେଉଁମାନେ ଏହି ଦୁର୍ଘଟଣାରେ ନିଜ ପ୍ରିୟଜନଙ୍କୁ ହରାଇଛନ୍ତି ସେମାନଙ୍କ ପ୍ରତି ସମବେଦନା। ଆହତମାନେ ଶୀଘ୍ର ସୁସ୍ଥ ହୁଅନ୍ତୁ। ପ୍ରଭାବିତ ଲୋକଙ୍କୁ ସ୍ଥାନୀୟ ପ୍ରଶାସନ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଉଛି। ” ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ମଧ୍ୟ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଏବଂ ଦୁର୍ଘଟଣାରେ ପ୍ରତ୍ୟେକ ଆହତଙ୍କ ପାଇଁ ୫୦,୦୦୦ ଟଙ୍କା ଘୋଷଣା କରାଯାଇଛି।

Get real time updates directly on you device, subscribe now.