ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ବହୁଚର୍ଚ୍ଚିତ ସହକାରୀ ବନ ସଂରକ୍ଷକ (ଏସିଏଫ) ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାରେ ନୂଆ ଅପଡେଟ୍ ଆସିଛି । ଏହି ଘଟଣାରେ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡା, ପୂର୍ବତନ ଡିଏଫଓ ସଂଗ୍ରାମ ବେହେରା ଓ ରୋଷେୟା ମନ୍ମଥ କୁମ୍ଭଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା (ଏନବିଡବ୍ଲ୍ୟୁ) ଜାରି କରାଯାଇଛି ।
ଆସନ୍ତା ମାସ ୭ ତାରିଖ ସୁଦ୍ଧା ପାରଳାଖେମୁଣ୍ଡି ଏସଡିଜେଏମ କୋର୍ଟରେ ହାଜର ହେବାକୁ ଏହି ୩ ଜଣ ଅଭିଯୁକ୍ତଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ର ଏସଡିଜେଏମ କୋର୍ଟରେ କରିଥିବା ୱାନ ସିସି ମାମଲା ଆଧାରରେ କୋର୍ଟ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ମାମଲା ଖାରଜ ପାଇଁ ହୋଇଥିବା ଆବେଦନକୁ କୋର୍ଟ ଅଗ୍ରାହ୍ୟ କରିଦେଇଥିବା ଜଣାପଡ଼ିଛି ।
ଗତ ଏପ୍ରିଲ ମାସରେ ପାରଳାଖେମୁଣ୍ଡି ଏସଡିଜେଏମ୍ କୋର୍ଟ ବିଦ୍ୟାଭାରତୀ, ଡିଏଫଓ ଏବଂ ରୋଷେୟାଙ୍କୁ ସମନ ଜାରି କରିଥିଲେ । ନିମ୍ନ ଅଦାଲତଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ବିଦ୍ୟାଭାରତୀ ଓ ସଂଗ୍ରାମ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଦୁହେଁ ଅଲଗା ଅଲଗା ଭାବେ ଆବେଦନ କରିଥିଲେ । ଏହି ମାମଲାରେ ସୌମ୍ୟଙ୍କ ବାପା ଓ ରାଜ୍ୟ ସରକାରଙ୍କୁ ପକ୍ଷଭୁକ୍ତ କରାଯାଇଥିଲା ।
ସୂଚନାଯୋଗ୍ୟ ଯେ, ଏସିଏଫ ସୌମ୍ୟ ଗତ ୨୦୨୦ ମସିହା ଡିସେମ୍ବର ମାସ ୧ ତାରିଖରେ ବିଦ୍ୟାଭାରତୀଙ୍କୁ ବିବାହ କରିଥିଲେ । ମାତ୍ର ଜୁଲାଇ ୧୩ ତାରିଖରେ ସନ୍ଦେହଜନକ ଅବସ୍ଥାରେ ସୌମ୍ୟଙ୍କ ମୃତ୍ୟୁ ଘଟିଥିଲା । ନ୍ୟାୟ ନ ମିଳିବାରୁ ସୌମ୍ୟଙ୍କ ବାପା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।