fbpx

କେନିଆରେ ଭୟଙ୍କର ସଡ଼କ ଦୁର୍ଘଟଣା: ଗୋଟିଏ ପରେ ଗୋଟିଏ ଗାଡି ଉପରେ ଚଢ଼ିଗଲା ଅନିୟନ୍ତ୍ରିତ ଟ୍ରକ୍, ୪୮ ମୃତ

ନୂଆଦିଲ୍ଲୀ: କେନିଆରେ ଶୁକ୍ରବାର ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୪୮ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଲୋକ ଆହତ ହୋଇଛନ୍ତି । ପଶ୍ଚିମ କେନିଆରେ ସନ୍ଧ୍ୟାରେ ଏହି ଭୟଙ୍କର ଦୁର୍ଘଟଣା ଘଟିଥିଲା । ପୋଲିସ କହିଛି ଯେ, ଯେଉଁଠାରେ ଦୁର୍ଘଟଣା ଘଟିଛି ସେହି ସ୍ଥାନ ବହୁତ ଜନଗହଳିପୂର୍ଣ୍ଣ ଅଞ୍ଚଳ । ସେଠାରେ ଏକ ଟ୍ରକ୍ ଅନିୟନ୍ତ୍ରିତ ହୋଇ ଅନ୍ୟ ଗାଡ଼ି ଏବଂ ପଥଚାରୀଙ୍କୁ ଦଳି ପକାଇଥିଲା ।

ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ତୁରନ୍ତ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ପୋଲିସ କହିଛି ଯେ, ଏପର୍ଯ୍ୟନ୍ତ ଆମେ ୪୮ ଟି ମୃତଦେହ ଉଦ୍ଧାର କରିଛୁ । ଟ୍ରକ ଭିତରେ ଜଣେ କି ୨ ଜଣ ଫସି ରହିଥିବା ଆଶଙ୍କା କରାଯାଉଛି । ଏହି ଘଟଣାର ଫୁଟେଜ ଏବଂ ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ସେୟାର କରାଯାଇଛି । ଏଥିରେ କ୍ଷତିଗ୍ରସ୍ତ ମିନିବସ୍ ଏବଂ ଓଲଟି ପଡିଥିବା ଟ୍ରକ୍ ସହିତ ଅନ୍ୟ ଗାଡ଼ିର ଖଣ୍ଡଗୁଡ଼ିକ ଦୃଶ୍ୟମାନ ହେଉଛି ।

କେରିଚୋ-ନାକୁରୁ ରାଜପଥରେ ଦୁର୍ଘଟଣା :-

ଉଦ୍ଧାରକାରୀମାନେ ଗାଡି ଭିତରେ ଲୋକ ଫସି ରହିଥିବା ସନ୍ଦେହ କରି ଖୋଜିବାରେ ଲାଗିଛନ୍ତି । ପୋଲିସ କହିଛି ଯେ, ଏହି ଦୁର୍ଘଟଣା କେରିଚୋ ଏବଂ ନାକୁରୁ ଟାଉନ ରାଜପଥରେ ଘଟିଛି । ଏହି ଘଟଣାରେ ୩୦ ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିିପାରେ ବୋଲି କୁହାଯାଉଛି ।

ଟ୍ରକଟି କେରିଚୋ ଆଡକୁ ଯାଉଥିଲା, ହଠାତ୍ ନିୟନ୍ତ୍ରଣ ହରାଇଲା :-
ସ୍ଥାନୀୟ ପୋଲିସ କମାଣ୍ଡର ଟମ ମୋବୋୟା ଓଡେରୋ କହିଛନ୍ତି ଯେ, କେରିଚୋ ଆଡକୁ ଯାଉଥିବା ଟ୍ରକ ହଠାତ୍ ନିୟନ୍ତ୍ରଣ ହରାଇଥିଲା । ଏହା ପରେ ସେ ଆଠଟି ଯାନ, ଅନେକ ମୋଟରସାଇକେଲ, ରାସ୍ତା ପାର୍ଶ୍ୱରେ ଠିଆ ହୋଇଥିବା ବ୍ୟକ୍ତି, ବିକ୍ରେତା ଏବଂ ଅନ୍ୟ ବ୍ୟବସାୟ ସହ ଜଡିତ ଲୋକଙ୍କ ଉପରେ ମାଡ଼ିଯାଇଥିଲା ।

Get real time updates directly on you device, subscribe now.