ଗରିବୀର ହତ୍ୟା ପରିବର୍ତ୍ତେ ଗରିବଙ୍କୁ ହତ୍ୟା କରାଯାଉଛି, ଏପରି ସ୍ଥିତି ଆଗାମୀ ପିଢିକୁ ପ୍ରଭାବିତ କରିବ ବୋଲି କହିଲେ ରାଜ୍ୟପାଳ

କୋଲକାତା:ପଶ୍ଚିମବଙ୍ଗରେ ଶନିବାର ପଞ୍ଚାୟତ ନିର୍ବାଚନରେ ହୋଇଥିବା ବ୍ୟାପକ ହିଂସାକୁ ଲକ୍ଷ୍ୟ କରି ରାଜ୍ୟପାଳ ସିଭି ଆନନ୍ଦ ବୋଷ କହିଛନ୍ତି , ମୁଁ ବାସ୍ତବିକ କ୍ଷେତ୍ରରେ ଯାହା ଦେଖିଲି ତାହା ବହୁତ ଚିନ୍ତାଜନକ । ଘଟଣାସ୍ଥଳର ଚିତ୍ର ଦେଖିବା ପରେ ମୁଁ ବହୁତ ମର୍ମାହତ । ନିର୍ବାଚନରେ ବ୍ୟାପକ ହିଂସା, ହତ୍ୟା ଆଦି ଘଟଣା ମୋତେ ବିବ୍ରତ କରି ଦେଇଛି । ସେ କହିଛନ୍ତି ଯେଉଁଠି ଗରିବୀର ହତ୍ୟା ହେବା କଥା ସେଠି ଗରିବଙ୍କୁ ହତ୍ୟା କରାଯାଉଛି । ପଶ୍ଚିମବଙ୍ଗ ଯାହା ଚାହୁଁଛି ତାହାର ବିପରୀତ ହେଉଛି । ସମାଜରେ ଶାନ୍ତିର ଅଭାବ ଆଗାମୀ ପିଢିକୁ ପ୍ରଭାବିତ କରିବ ।

ସେ କହିଛନ୍ତି ରାଜନୀତି ହେଉ କିନ୍ତୁ ଏଥିରେ ହିଂସାର ସୂତ୍ରପାତ ନ ହେଉ । ରାଜ୍ୟପାଳ ଆହୁରି କହିଛନ୍ତି ମୋ ହିଂସା ଓ ଆପଣଙ୍କ ହିଂସା ଏଭଳି କୌଣସି ଜିନିଷ ନାହିଁ । ହିଂସା ତ ହିଂସା । ହିଂସା ପ୍ରଭାବିତ ଅଞ୍ଚଳ ଗସ୍ତ କରିବା ପରେ ରାଜ୍ୟପାଳ ଏପରି ମନ୍ତବ୍ୟ ରଖିଛନ୍ତି । ସେ ଆହୁରି କହିଛନ୍ତି ହିଂସାକାରୀ ହତ୍ୟା ଚାହୁଁଛନ୍ତି, ସେମାନେ ରାଜ୍ୟରେ ଖାଦ୍ୟାଭାବ ଘଟୁ ବୋଲି ଚାହୁଁଛନ୍ତି, ଗୁଳି ଗୋଳା ବାରୁଦ ଲାଗି ସେମାନେ ଭୋକିଲା ଅଛନ୍ତି । ଏପରି ସ୍ଥିତି ରାଜ୍ୟବାସୀଙ୍କ ଲାଗି ଆଦୌ ଶୁଭଙ୍କର ନୁହେଁ । ଆମେ ଯୁଦ୍ଧ ପରିବର୍ତ୍ତେ ଶାନ୍ତିକାମୀ ହେବା ଉଚିତ । ନିର୍ବାଚନ ହିଂସାରେ ଆହତ ହୋଇ ଉତ୍ତର ପ୍ରଗଣା ଜିଲ୍ଲାର ହସ୍ପିଟାଲରେ ଭର୍ତ୍ତି ହୋଇଥିବା କିଛି ଆହତଙ୍କୁ ଭେଟିବା ପରେ ରାଜ୍ୟପାଳ ରାଜ୍ୟ ନିର୍ବାଚନ ଆୟୁକ୍ତ ରାଜୀବ ସିହ୍ନାଙ୍କୁ ନିଜର ସାମ୍ବିଧାନିକ କର୍ତ୍ତବ୍ୟ ନିର୍ବାହ କରିବାକୁ କହିଛନ୍ତି ।

ରାଜ୍ୟପାଳ କହିଛନ୍ତି ଏକ ଗଣତନ୍ତ୍ର ଲାଗି ନିର୍ବାଚନ ସବୁଠାରୁ ପବିତ୍ର ଦିନ, ଯେଉଁଠି ଏକ ସାଧାରଣ ନାଗରିକଙ୍କୁ ଭୋଟ ଦେଇ ନିଜ ପ୍ରତିନିଧି ବାଛିବାକୁ କ୍ଷମତା ଦିଆଯାଇଥାଏ । ଯେ କୌଣସି ବି ନିର୍ବାଚନ ବିନା ହିଂସାରେ ହେବା ଉଚିତ ।
ଏଠାରେ ସୂଚାଇ ଦିଆଯାଇପାରେ କି ପଶ୍ଚିମବଙ୍ଗରେ ଶନିବାର ଆୟୋଜିତ ପଞ୍ଚାୟତ ନିର୍ବାଚନରେ ବିଭିନ୍ନ ସ୍ଥାନରେ ବ୍ୟାପକ ହିଂସାରେ ୧୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବହୁ ଲୋକ ଗୁରୁତର ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।