fbpx

କ୍ଷୀର ଲିଟର ପିଛା ୩ ଟଙ୍କା ବଢ଼ିଲା: ଟମାଟୋ ପରେ କନ୍ଦାଇବ କ୍ଷୀର, ଅଗଷ୍ଟ ପହିଲାରୁ ବର୍ଦ୍ଧିତ ଦର ହେବ ଲାଗୁ

ନୂଆଦିଲ୍ଲୀ: ସାରା ଦେଶରେ ଏବେ ଟମାଟୋର ମହଙ୍ଗା ମାଡ଼କୁ ନେଇ ଜନସାଧାରଣ କଲବଲ ହେଉଛନ୍ତି । ଦେଶର ଅଧିକାଂଶ ରାଜ୍ୟରେ ଟମାଟୋ କେଜି ୧୦୦ ଟପିଥିବା ବେଳେ ଅନେକ ସ୍ଥାନରେ ୨୦୦ରୁ ୩୦୦ ଟଙ୍କା ମଧ୍ୟରେ ମଧ୍ୟ ବିକ୍ରି ହେଉଛି । ଜନତାଙ୍କୁ ଶସ୍ତାରେ ଟମାଟୋ ଯୋଗାଇଦେବା ପାଇଁ କେନ୍ଦ୍ର ସରକାର ନିକଟରେ ନିଷ୍ପତ୍ତି ନେଇଥିଲେ । ତେବେ ଏହା ମଧ୍ୟରେ ପୁଣି ଏକ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ମହଙ୍ଗା ହୋଇଯାଇଛି ।

ସୂଚନା ମୁତାବକ, କର୍ଣ୍ଣାଟକ ସରକାର ନନ୍ଦିନୀ କ୍ଷୀରର ମୂଲ୍ୟ ଲିଟର ପିଛା ୩ ଟଙ୍କା ବଢ଼ାଇଛନ୍ତି । ଆସନ୍ତା ମାସ ପହିଲାରୁ ଏହି ବର୍ଦ୍ଧିତ ଦର ଲାଗୁ ହେବ । କ୍ଷୀର ଲିଟର ୫ ଟଙ୍କା ବଢ଼ାଇବା ପାଇଁ କର୍ଣ୍ଣାଟକ ମିଲକ ଫେଡେରେସନ (କେଏମଏମ) ପକ୍ଷରୁ ପ୍ରସ୍ତାବ ଆଗତ କରାଯାଇଥିଲା । ମାତ୍ର ରାଜ୍ୟ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଶେଷରେ ୩ ଟଙ୍କା ଦର ବୃଦ୍ଧି କରିଥିଲେ । ଆଜି ମୁଖ୍ୟମନ୍ତ୍ରୀ ଓ କେଏମଏମ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବୈଠକରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇଥିଲା ।

ରାଜ୍ୟ ଗୃହ ବିଭାଗର କାର୍ଯ୍ୟାଳୟ କୃଷ୍ଣାରେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ କେଏମଏମ ପରିଚାଳନା ବୋର୍ଡ ଓ କ୍ଷୀର ସଂଘ ମଧ୍ୟରେ ଆଲୋଚନା ହୋଇଥିଲା । ଆଲୋଚନା ପରେ ସର୍ବସର୍ମ୍ମତି କ୍ରମେ କ୍ଷୀର ଲିଟର ପିଛା ୩ ଟଙ୍କା ବୃଦ୍ଧି ନେଇ ଚୂଡ଼ାନ୍ତ ନିଷ୍ପତ୍ତି ହୋଇଥିଲା । ଏହି ବୈଠକରେ ପଶୁପାଳନ ବିଭାଗ ମନ୍ତ୍ରୀ କେ. ଭେଙ୍କଟେଶ, କେଏମଏମ ଅଧ୍ୟକ୍ଷ ଭୀମା ନାଇକ, ଅନ୍ୟ ସଦସ୍ୟ ଓ ଅଧିକାରୀମାନେ ଉପସ୍ଥିତ ଥିଲେ । ଏହି ଦର ବୃଦ୍ଧି ପରେ ଗ୍ରାହକଙ୍କ ମୁଣ୍ଡରେ ପଡ଼ିଛି ଚଡ଼କ । କ୍ଷୀର ମୂଲ୍ୟ ବୃଦ୍ଧି ହେବା ଫଳରେ ଆଗକୁ ଚା’, ପନିର, ଦହି, ଛେନା ପରି ଅନ୍ୟ ଦୁଗ୍ଧ ଜାତୀୟ ସାମଗ୍ରୀର ମୂଲ୍ୟ ବଢ଼ିପାରେ ।

Get real time updates directly on you device, subscribe now.