ସାପଠାରୁ ବି ଭୟଙ୍କର ଏଭଳି ବନ୍ଧୁ, ସୁଯୋଗ ମିଳିଲେ କରିପାରନ୍ତି ବିଶ୍ୱାସଘାତକତା

ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରକୁ ନେଇ ବେଶ ପରିଚିତ। ଆଜି ବି ଲୋକେ ତାଙ୍କ ନୀତିରୁ ପ୍ରେରଣା ନେଇ ଜୀବନକୁ ସଫଳ କରିବାକୁ ପ୍ରୟାସ କରୁଛନ୍ତି। କାରଣ ଏପରି କରିବା ଦ୍ୱାରା ବ୍ୟକ୍ତି ନିରାଶା ଏବଂ ଦୁଃଖର ଜାଲରୁ ମୁକୁଳିପାରିଥାଏ। ଏହି କ୍ରମରେ ଚାଣକ୍ୟ ମନୁଷ୍ୟକୁ କିଛି ଲୋକଙ୍କଠାରୁ ଦୂରରେ ରହିବାକୁ ପରାମର୍ଶ ଦେଇଛନ୍ତି। କାରଣ ସେମାନେ ଶତ୍ରୁଠାରୁ ବି ଅଧିକ ଭୟଙ୍କର ହୋଇଥାନ୍ତି। ମହାପଣ୍ଡିତ ଚାଣକ୍ୟଙ୍କ ନୀତିଶାସ୍ତ୍ର ଆଜିବି ବେଶ ପ୍ରାସଙ୍ଗିକ। ଏଥିରେ ୧୭ଟି ଅଧ୍ୟାୟ ରହିଛି। ସେଥିରେ ଭିନ୍ନ ଭିନ୍ନ ନୀତି ବିଷୟରେ ବର୍ଣ୍ଣନା କରାଯାଇଛି। ଏହା ସମାଜର ମାର୍ଗଦର୍ଶନ କରିବା ସହ ଲୋକଙ୍କୁ ସୁଖୀ ଜୀବନ ପାଇଁ ପ୍ରେରଣା ଦେଇ ଆସୁଛି।

ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ବନ୍ଧୁର ପରିଭାଷା ବିଷୟରେ ବର୍ଣ୍ଣନା କରିଛନ୍ତି। ଯେଉଁ ବନ୍ଧୁ ସଠିକ୍‌ ରାସ୍ତା ଦେଖାଏନାହିଁ ସେ ଶତ୍ରୁଠାରୁ ବି ଭୟଙ୍କର ବୋଲି ଚାଣକ୍ୟ କହିଛନ୍ତି।

ଏକ ଶ୍ଳୋକରେ ଚାଣକ୍ୟ କହିଛନ୍ତି, ସର୍ବଦା ଲୋକମାନେ ନିଜର ବନ୍ଧୁଙ୍କ ଉପରେ ପରିବାରଠାରୁ ଅଧିକ ବିଶ୍ୱାସ କରିଥାନ୍ତି। ପରିବାରଲୋକେ ଯେତେ କୁହନ୍ତୁ ନା କାହିଁକି ସେ ବନ୍ଧୁଙ୍କ ସହ ରହିଥାନ୍ତି। ହେଲେ ଯଦି କାହାର ବନ୍ଧୁ ଠିକ୍‌ ରାସ୍ତା ଦେଖାଏ ନାହିଁ, ସେ ଶତ୍ରୁଠାରୁ କମ୍‌ ନୁହେଁ। ଭୁଲ କଲେ ବି ବନ୍ଧୁଟିଏ ରୋକୁ ନ ଥିଲେ ସେ ଅଣ୍ଟିରେ ସାପ ପୁରାଇବା ଭଳି ଅବସ୍ଥାଠାରୁ କମ୍‌ ନୁହେଁ। କାରଣ ସୁଯୋଗ ମିଳିଲେ ସେ ବିଶ୍ୱାସଘାତକତା କରିପାରନ୍ତି। ପଛରୁ ଛୁରୀ ଭୁସି ପାରନ୍ତି।

ପ୍ରକୃତ ବନ୍ଧୁ ସେହି, ଯିଏ ସବୁବେଳେ ଜଣଙ୍କୁ ଠିକ୍‌ ରାସ୍ତା ଦେଖାଏ। ଯଦି କିଛି ତୁମେ ଭୁଲ ବି କରୁଛ ତେବେ ତାକୁ ଜଣାଏ। ଏଭଳି ଲୋକଙ୍କ ପ୍ରତି ଜୀବନରେ ଗୁରୁତ୍ୱ ରଖନ୍ତୁ।

ହେଲେ ବିଶ୍ୱାସଘାତି ବନ୍ଧୁ ସମୟ ଆସିଲେ ହାତ ଛାଡ଼ିଦେଇଥାଏ। ଏଭଳି ବନ୍ଧୁଠାରୁ ସାବଧାନ ରୁହନ୍ତୁ ବୋଲି ଚାଣକ୍ୟ ପରାମର୍ଶ ଦେଇଛନ୍ତି। ମନୁଷ୍ୟକୁ ବନ୍ଧୁ ଚୟନ ବେଳେ ବିବେକର ଉପଯୋଗ କରିବା ଉଚିତ ବୋଲି ମଧ୍ୟ ସେ କହିଛନ୍ତି।

Get real time updates directly on you device, subscribe now.