ରାଜଧାନୀରେ ଡେଙ୍ଗୁ ବଢ଼ାଇଲାଣି ଚିନ୍ତା: ଡ୍ରୋନ୍ ସାହାଯ୍ୟରେ ମଶାମରା ଔଷଧ ସିଞ୍ଚନ କରିବ BMC

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ରାଜଧାନୀ ଭୁବନେଶ୍ୱରରେ ଡେଙ୍ଗୁ ଧୀରେଧୀରେ କାୟା ବିସ୍ତାର କରୁଛି । ଅଗଷ୍ଟ ମାସ ୧ରୁ ୧୦ ତାରିଖ ମଧ୍ୟରେ ୩୬୧ ଜଣ ଡେଙ୍ଗୁରେ ସଂକ୍ରମିତ ହୋଇଥିଲେ । ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବା ଫଳରେ କ୍ୟାପିଟାଲ ହସ୍ପିଟାଲରେ ବେଡର ଅଭାବ ପଡ଼ିଥିଲା । ଦୈନିକ ପାଖାପାଖି ୩ ଶହ ନମୂନା ପରୀକ୍ଷା କରାଯାଉଥିବା ବେଳେ ୪୦-୫୦ ପଜିଟିଭ୍ ବାହାରୁଥିଲା । ପରିସ୍ଥିତିକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଥିଲା ।

ତେବେ ରାଜ୍ୟରେ ଚିହ୍ନଟ ହେଉଥିବା ମୋଟ ଡେଙ୍ଗୁ ରୋଗୀଙ୍କ ମଧ୍ୟରୁ ୬୦ ପ୍ରତିଶତ ଭୁବନେଶ୍ୱରର ବୋଲି ଜଣାପଡ଼ିଛି । ରାଜଧାନୀର ପୁରୁଣା ଭୁବନେଶ୍ୱର, ନୟାପଲ୍ଲୀ, ପୋଖରୀପୁଟ, ଜାଗମରା, ଆଚାର୍ଯ୍ୟ ବିହାର ଆଦି ଅଞ୍ଚଳରେ ଅଧିକ ଡେଙ୍ଗୁ ରୋଗୀ ରହିଛନ୍ତି । କ୍ୟାପିଟାଲ ହସ୍ପିଟାଲରେ ଏବେ ଦୈନିକ ୩-୪ ଶହ ଲୋକଙ୍କୁ ଚିହ୍ନଟ କରାଯିବା ସହିତ ୧୦-୧୨ ଜଣଙ୍କୁ ଆଡମିଟ୍ କରାଯାଉଛି । ହସ୍ପିଟାଲରେ ଡେଙ୍ଗୁ ରୋଗୀଙ୍କ ପାଇଁ ୫୦ଟି ସ୍ପେଶାଲ ବେଡ୍ ରହିଥିବା ବେଳେ ୪୮ ଜଣ ଆଡମିଟ୍ ହୋଇ ଚିକିତ୍ସିତ ହେଉଛନ୍ତି । ତେଣୁ ଡେଙ୍ଗୁକୁ ନେଇ ସଚେତନ ହେବା ନିହାତି ଆବଶ୍ୟକ । ନଚେତ ଆଗକୁ ପରିସ୍ଥିତି ଅଣାୟତ ହୋଇପାରେ ବୋଲି ହସ୍ପିଟାଲ ଅଧିକ୍ଷକ କହିଛନ୍ତି ।

ଅନ୍ୟପକ୍ଷରେ ରାଜଧାନୀରୁ ଡେଙ୍ଗୁ ବଂଶ ସମାପ୍ତ କରିବା ପାଇଁ ଗତବର୍ଷ ଧରି ଚଳିତ ବର୍ଷ ଡ୍ରୋନ ସାହାଯ୍ୟରେ ମଶାମରା ଔଷଧ ସିଞ୍ଚନ କରିବାକୁ ଲକ୍ଷ୍ୟ ରଖିଛି ବିଏମସି । ଡେଙ୍ଗୁକୁ ନେଇ ଜନସାଧାରଣ ସତର୍କ ହେବା ସହିତ ଘର ଓ ପରିବେଶକୁ ପରିଷ୍କାର ରଖିବାକୁ ପରାମର୍ଶ ଦିଆଯାଇଛି ।