fbpx

ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ସମାରୋହରେ ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ, ଚାଷୀଙ୍କୁ ନେଇ କହିଲେ ଏପରି

ଭୁବନେଶ୍ୱର: ଆଜି ଦେଶ ପାଳୁଛି ୭୭ତମ ସ୍ୱାଧୀନତା ଦିବସ । ଏହି ଅବସରରେ ରାଜ୍ୟସ୍ତରୀୟ ସ୍ଵାଧୀନତା ଦିବସ ପାଳିତ ହୋଇଛି। ଭୁବନେଶ୍ଵର ପ୍ରଦର୍ଶନୀ ପଡ଼ିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତୀୟ ପତାକା ଉତ୍ତୋଳନ କରି ରାଜ୍ୟବାସୀଙ୍କୁ ସମ୍ବୋଧନ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ପବିତ୍ର ଦିବସରେ ଆପଣମାନଙ୍କୁ ସମସ୍ତଙ୍କୁ ମୋର ଅଭିନନ୍ଦନ।

ଏହି ଅବସରରେ ଜାତିର ପିତା ମହାତ୍ମା ଗାନ୍ଧୀ, ପଣ୍ଡିତ ନେହେରୁ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୁସୂଦନ ଦାସ, ନବକୃଷ୍ଣ ଚୌଧୁରୀ, ଗୋପବନ୍ଧୁ ଚୌଧୁରୀ, ଶହୀଦ ଲକ୍ଷ୍ମଣ ନାଏକ, ଶହୀଦ ବିର୍ସା ମୁଣ୍ଡା, ବୀର ସୁରେନ୍ଦ୍ର ସାଏ, ବକ୍‌ସି ଜଗବନ୍ଧୁ, ମା ରମାଦେବୀ, ମାଳତୀ ଚୌଧୁରୀ, ଡଃ ହରେକୃଷ୍ଣ ମହତାବ, ବିଜୁ ପଟ୍ଟନାୟକ ଓ ପାର୍ବତୀ ଗିରିଙ୍କ ପରି ମହାନ୍ ସଂଗ୍ରାମୀମାନଙ୍କୁ ମୁଖ୍ୟମନ୍ତ୍ରୀ ମନେ ପକାଇଛନ୍ତି।

ମୁଖ୍ୟମନ୍ତ୍ରୀ ଦେଶର ଶାନ୍ତି ଓ ସୁରକ୍ଷା ପାଇଁ ଶହୀଦ ହୋଇଥିବା ଅମର ଜୱାନମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେ କହିଛନ୍ତି ଯେ, ଭାରତର ସ୍ୱାଧୀନତା ସଂଗ୍ରାମ ବିଶ୍ୱ ଇତିହାସରେ ଏକ ନୂଆ ଯୁଗ ଆରମ୍ଭ କରିଥିଲା। ଏ ସଂଗ୍ରାମ ସମସ୍ତଙ୍କ ପାଇଁ ପ୍ରେରଣା ଥିଲା। ଆଜି ଭାରତ ବିଶ୍ୱର ଏକ ପ୍ରମୁଖ ଶକ୍ତି ଭାବରେ ନିଜକୁ ପ୍ରତିଷ୍ଠା କରିପାରିଛି। ବିଭିନ୍ନ କ୍ଷେତ୍ରରେ ବିକାଶ ଆମର ଆତ୍ମବିଶ୍ୱାସ ବୃଦ୍ଧି କରିଛି। ଚନ୍ଦ୍ରଯାନ-୩ ସ୍ପେସ୍ ରିସର୍ଚ୍ଚ କ୍ଷେତ୍ରରେ ଭାରତର ଗୌରବ ବୃଦ୍ଧି କରିଛି।

ଓଡ଼ିଶା ଆଜି ରୂପାନ୍ତର ଯୁଗରେ ପହଞ୍ଚିଛି। ଶିକ୍ଷା, ସ୍ୱାସ୍ଥ୍ୟ, ପର୍ଯ୍ୟଟନ, ଆଦି ବିକାଶର ସବୁ କ୍ଷେତ୍ରରେ 5-T ଉପକ୍ରମରେ ନୂଆ ଆଶା ସୃଷ୍ଟି କରିଛି। ରାଜ୍ୟର ସବୁ ଲୋକ- ଧନୀ, ଗରିବ, ମଧ୍ୟବିତ୍ତ, ସମସ୍ତେ ଏ ରୂପାନ୍ତରରେ ସାମିଲ ହୋଇଛନ୍ତି। ଓଡ଼ିଶାର ଅର୍ଥନୀତି ମଜବୁତ ହେଉଛି। ଗରିବୀ କମିଛି। ଓଡ଼ିଶାକୁ ଏବେ ଲକ୍ଷ ଲକ୍ଷ କୋଟି ଟଙ୍କାର ପୁଞ୍ଜି ଆସୁଛି। ଯୁବକମାନଙ୍କ ପାଇଁ ନିଯୁକ୍ତିର ବିପୁଳ ସୁଯୋଗ ଆସିଛି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ବ୍ୟାଙ୍କ୍ ନଥିବା ୪୩୭୩ ପଞ୍ଚାୟତରେ ରାଜ୍ୟ ସରକାର ବ୍ୟାଙ୍କିଂ ଆଉଟଲେଟ୍ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାଦ୍ବାରା ରାଜ୍ୟର ସବୁ ପଞ୍ଚାୟତର ଲୋକମାନେ ବ୍ୟାଙ୍କ ସେବା ପାଇପାରିବେ। ଏହାଦ୍ୱାରା ସବୁଠାରୁ ଅଧିକ ଉପକାର ପାଇବେ ବରିଷ୍ଠ ନାଗରିକ, ମା, ଏବଂ ଦିବ୍ୟାଙ୍ଗ ଭାଇ ଭଉଣୀମାନେ।

ମୁଖ୍ୟମନ୍ତ୍ରୀ ପୁଣି କହିଛନ୍ତି ଯେ, ନିକଟରେ ମଧୁବାବୁ ପେନ୍‌ସନ ଯୋଜନାରେ ୪ ଲକ୍ଷରୁ ଅଧିକ ଲୋକଙ୍କୁ ସାମିଲ କରାଯାଇଛି । ଆଜିଠାରୁ ନୂଆ ଉପଭୋକ୍ତାମାନେ ପେନ୍‌ସନ ପାଇବେ। ପ୍ରତି ଜୀବନ ମୂଲ୍ୟବାନ। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଏ ଦିଗରେ ସଫଳତାର ସହ ସେବା ଯୋଗାଉଛି। ଉତ୍ତମ ସ୍ବାସ୍ଥ୍ୟ ସେବା ନିଶ୍ଚିତ କରିଛି । BSKY ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବଡ ରୂପାନ୍ତର ଆଣିଛି। ମିଶନ ଶକ୍ତି ଆଜି ମାମାନଙ୍କ ରୂପାନ୍ତରୀକରଣରେ ଇଞ୍ଜିନ୍ ହୋଇଛି। ଗରିବ ଲୋକ, ଚାଷୀ, ମହିଳା, ଜନଜାତି, କଳାକାର, ଯୁବ ସମାଜର ସବୁ ବର୍ଗର ଲୋକଙ୍କୁ ସାଥିରେ ନେଇ ଓଡ଼ିଶା ଆଜି ଆଗକୁ ବଢୁଛି। ସମସ୍ତଙ୍କ ବିକାଶ ହିଁ ପ୍ରକୃତ ବିକାଶ।

ଚାଷୀ ଆମର ଗୌରବ। ଚାଷୀର ବିକାଶ ସବୁବେଳେ ଫୋକୋସ୍ ହୋଇ ରହିଛି। ଚାଷୀ ଭାଇର ଫସଲ ବୀମା ପ୍ରିମିୟମ ଦାୟିତ୍ଵ ଏବେ ରାଜ୍ଯ ସରକାର ନେଇଛନ୍ତି। ଯୁବ ସମାଜକୁ ରୋଜଗାରକ୍ଷମ କରିବା ପାଇଁ ଆମେ ପ୍ରତିବର୍ଷ ଏକ ଲକ୍ଷ ଯୁବକମାନଙ୍କୁ NUA ଯୋଜନାରେ ତାଲିମ ଦିଆଯିବ । ଜଗନ୍ନାଥ ସଂସ୍କୃତିର ସୁରକ୍ଷା ସହ ପ୍ରତି ଗାଁରେ ମର୍ଡର୍ଣ୍ଣ ଡିଜିଟାଲ ଇନସୁରାନ୍ସ ଭିତ୍ତିର ବିକାଶ ଆମର ଲକ୍ଷ୍ୟ। ଏଥିପାଇଁ ଆମେ ଚାରି ହଜାର କୋଟି ଟଙ୍କାର ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମ ଆରମ୍ଭ କରିଛୁ ।

Get real time updates directly on you device, subscribe now.