fbpx

ରାଜନୀତିର ଚକ୍ରବ୍ୟୁହରେ ଫସିଯାଇଛନ୍ତି ପରିବା ବିକାଳୀ ରାମେଶ୍ୱର, କେତେବେଳେ କଂଗ୍ରେସ ତ ପୁଣି କେତେବେଳେ ବିଜେପି ସହ ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ଗରିବ ପରିବା ବିକାଳୀ ରାମେଶ୍ୱରଙ୍କୁ ନେଇ ଏବେ ରାଜନୀତି ଜୋର ଧରିଛି । କିଛିିଦିନ ତଳେ କ୍ୟାମେରା ସାମ୍ନାରେ କାନ୍ଦୁଥିବା ଅବସ୍ଥାରେ ରାମେଶ୍ୱରଙ୍କ ଭିଡିଓ ସୋସିଆଲ ମିଡିଆରେ ବହୁ ଲୋକଙ୍କ ହୃଦୟ ତରଳାଇ ଦେଇଥିଲା । ଏବେ ରାମେଶ୍ୱର ପୁଣି ଏକ ନୂଆ ବିବାଦର କେନ୍ଦ୍ର ଭାବରେ ଉଭା ହୋଇଛନ୍ତି । ପ୍ରକୃତ ଘଟଣା ହେଉଛି କିଛିଦିନ ତଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ରାମେଶ୍ୱରଙ୍କ ସହ ଲଞ୍ଚ ସମୟରେ ତାଙ୍କ ଗରିବୀକୁ ପ୍ରଦର୍ଶନ କରିଥିଲେ । ଏବେ ରାମେଶ୍ୱରଙ୍କ ଏକ ନୂଆ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ସେ କହିଛନ୍ତି, ମୋଦୀ ସରକାରଙ୍କ ଠାରୁ ତାଙ୍କୁ ମାଗଣାରେ ସିଲିଣ୍ଡର ମିଳିଛି । ଏହି ଭିଡିଓକୁ ବିଜେପି ନେତା ଅମିତ ମାଲବ୍ୟ ଟ୍ୱିଟ୍ କରିଛନ୍ତି ।

ଏବେ ଭାଇରାଲ ହେଉଥିବା ଭିଡିଓରେ ପରିବା ବିକ୍ରେତା ରାମେଶ୍ୱର କହିଛନ୍ତି ତାଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉଜ୍ଜ୍ୱଳା ଯୋଜନା ଜରିଆରେ ମାଗଣାରେ ସିଲିଣ୍ଡର ମିଳିଛି । ଏହି ଭିଡିଓକୁ ବିଜେପି ନେତା ଅମିତ ମାଲବ୍ୟ ଟ୍ୱିଟ୍ କରିଛନ୍ତି । ଏହାର କ୍ୟାପସନରେ ମାଲବ୍ୟ ଲେଖିଛନ୍ତି, ରାମେଶ୍ୱରଙ୍କୁ ଉଜ୍ଜ୍ୱଳା ଯୋଜନାରେ ମୋଦୀ ସରକାରଙ୍କ ଠାରୁ ମାଗଣାରେ ଗ୍ୟାସ ସିଲିଣ୍ଡର ମିଳିଛି । କିନ୍ତୁ ଏସବୁ ମଧ୍ୟରେ କେବଳ ରାହୁଲ ଗାନ୍ଧୀ ନିଜର ରାଜନୈତିକ ଫାଇଦା ଉଠାଇବା ଲାଗି ତାଙ୍କ ଗରିବୀକୁ ପ୍ରଦର୍ଶନ କରିଛନ୍ତି ।
ପ୍ରକୃତରେ କିଛିଦିନ ତଳେ ପନିପରିବା ଦର ଆକାଶଛୁଆଁ ହୋଇଯାଇଥିଲା । ଏହି ସମୟରେ ରାମେଶ୍ୱର ନିଜ ସମସ୍ୟା କହିବାକୁ ଯାଇ ମିଡିଆର କ୍ୟାମେରା ସାମ୍ନାରେ କାନ୍ଦି ପକାଇଥିଲେ । ଭିଡିଓ ଭାଇରାଲ୍ ହେବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସହିତ କଂଗ୍ରେସର ଅନ୍ୟ ନେତାମାନେ ଏହି ଭିଡିଓକୁ ନିଜ ନିଜ ଆକାଉଣ୍ଟରୁ ସେୟାର କରିଥିଲେ । ରାହୁଲ ଗାନ୍ଧୀ ଆଜାଦପୁର ମଣ୍ଡି ଗସ୍ତ କରିବା ସହିତ ଦିଲ୍ଲୀରେ ନିଜ ଘରେ ରାମେଶ୍ୱରଙ୍କୁ ଡକାଇ ଭେଟିବା ସହିତ ତାଙ୍କ ପାଇଁ ଦ୍ୱିପ୍ରହରର ଭୋଜନର ଆୟୋଜନ କରିଥିଲେ ।

ଋାମେଶ୍ୱରଙ୍କୁ ଭେଟିବା ପରେ ରାହୁଲ ଗାନ୍ଧୀ ଟ୍ୱିଟ୍ କରିଥିଲେ, ‘ରାମେଶ୍ୱରଜୀ ଜଣେ ହୃଦୟବାନ ମଣିଷ । ତାଙ୍କ ମଧ୍ୟରେ ମୁଁ କୋଟି କୋଟି ଭାରତୀୟଙ୍କ ସରଳତାକୁ ଦେଖିପାରିଛି । ଯେଉଁମାନେ ବିପରୀତ ପରିସ୍ଥିତିରେ ବି ହସି ହସି ଆଗକୁ ବଢୁଛନ୍ତି ସେମାନେ ହେଉଛନ୍ତି ପ୍ରକୃତରେ ଭାରତର ଭାଗ୍ୟ ବିଧାତା ।’
ଏବେ ବିଜେପି ରାମେଶ୍ୱରଙ୍କ ଗରିବୀକୁ ନେଇ ରାହୁଲ ଗାନ୍ଧୀ ରାଜନୀତି କରୁଛନ୍ତି ବୋଲି କହି କଂଗ୍ରେସକୁ ଟାର୍ଗେଟ କରିଛି । ରାମେଶ୍ୱରଙ୍କର ଯେଉଁ ଭିଡିଓ ଭାଇରାଲ୍ ହେଉଛି ସେଥିରେ ସେ କହିଛନ୍ତି ତାଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ମାଗଣାରେ ସିଲିଣ୍ଡର ମିଳୁଛି ଓ ସରକାରୀ ସ୍କୁଲରେ ତାଙ୍କ ପିଲା ମାଗଣାରେ ପାଠ ପଢୁଛନ୍ତି । କିନ୍ତୁ ତାଙ୍କୁ ଭଡାଘର ଲାଗି ପାଣି ଓ ବିଜୁଳି ବିଲ୍ ଭରିବାକୁ ପଡୁଛି । ଗଣମାଧ୍ୟମର ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ଗରିବଙ୍କ ଲାଗି କରିଥିବା ଯୋଜନାରେ କିଛି ଲୋକଙ୍କୁ ତ ଫାଇଦା ମିଳିଛି କିନ୍ତୁ ତାଙ୍କୁ ସେପରି କିଛି ଫାଇଦା ମିଳିନାହିଁ ।

Get real time updates directly on you device, subscribe now.