ଓଡିଶା ଭାସ୍କର: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ଆୟୋଜିତ ହେବାକୁ ଥିବା ଇ.ଣ୍ଡି.ଆ ର ତୃତୀୟ ବୈଠକରେ ଅଂଶଗ୍ରହଣ କରିବ ଆମ୍ ଆଦମୀ ପାର୍ଟି । ଏନେଇ ନିଶ୍ଚିତ କରିଛନ୍ତି ଆପ ଦଳ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଆସନ୍ତା ୩୧ ଅଗଷ୍ଟ ଏବଂ ୧ ସେପ୍ଟେମ୍ବର ମୁମ୍ବାଇରେ ଅନୁଷ୍ଠିତ ହେବାକୁ ଯାଉଛି ଏହି ବୈଠକ । ଅନେକ ପ୍ରସଙ୍ଗରେ ଅରବିନ୍ଦ କେଜ୍ରିୱାଲ ଏବଂ କଂଗ୍ରେସ ମଧ୍ୟରେ ମତଭେଦ ଦେଖିବା ପରେ ସେ ଏହି ସଭାରେ ଯୋଗଦେବେ କି ନାହିଁ ସନ୍ଦେହ ସୃଷ୍ଟି ହୋଇଥିଲା। ହେଲେ ବର୍ତ୍ତମାନ ଏହା ସ୍ପଷ୍ଟ ହୋଇଛି ଯେ କେଜ୍ରିୱାଲ ଏହି ବୈଠକରେ ସାମିଲ ହେବେ । ତେବେ କଂଗ୍ରେସ ଓ କେଜ୍ରିୱାଲଙ୍କ ଭିତରେ ଥିବା ମତଭେଦର ସମାଧାନ ବାଟ ବାହାରିବ ନା ଦ୍ୱନ୍ଦ୍ୱ ଆହୁରି ବଢିବ ତାକୁ ନେଇ ଖୁବ ଚର୍ଚ୍ଚା ଦେଖାଦେଇଛି ।
ସୂଚନା ଥାଉକି, ବିଜେପି ବିରୋଧରେ ଲଢ଼ିବାକୁ ଏକାଠି ହୋଇଥିବା ବିରୋଧୀ ମେଣ୍ଟ ଦଳ ବା ଇ.ଣ୍ଡି.ଆର ତୃତୀୟ ବୈଠକ ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁସାରେ ମୁମ୍ବାଇରେ ଅନୁଷ୍ଠିତ ହେବ। ଏହି ବୈଠକ ୩୧ ଅଗଷ୍ଟ ଏବଂ ୧ ସେପ୍ଟେମ୍ବର ମୁମ୍ବାଇରେ ଅନୁଷ୍ଠିତ ହେବ ବୋଲି ସୂଚନା ଦିଆଯାଇଥିଲା ।
ବିହାରାରେ ବିରୋଧୀ ମେଣ୍ଟର ପ୍ରଥମ ବୈଠକ ହୋଇଥିବା ବେଳେ ଦ୍ୱିତୀୟ ବୈଠକ କର୍ଣ୍ଣାଟକାରେ ଅନୁଷ୍ଠିତ ହୋଇଥିଲା। ଚଳିତ ବର୍ଷ ଜୁଲାଇ ୧୭ ଓ ୧୮ ତାରିଖରେ ଦୁଇ ଦିନ ଧରି ୨୬ଟି ବିରୋଧୀ ଦଳର ନେତା ବେଙ୍ଗାଲୁରୁରେ ମାନସମନ୍ଥନ କରିଥିଲେ । ଏହି ସମୟରେ ଏହି ବିରୋଧୀ ମେଣ୍ଟର ନାଁ ଇଣ୍ଡିଆନ ନ୍ୟାଶନାଲ ଡେଭଲପମେଣ୍ଟାଲ ଇନକ୍ଲ୍ୟୁସିଭ ଆଲିଆନ୍ସ ବା ଇଣ୍ଡିଆ ରହିବ ବୋଲି ନିଷ୍ପତ୍ତି ହୋଇଥିଲା । ବେଙ୍ଗାଲୁରୁ ପରେ ମୁମ୍ବାଇରେ ଇଣ୍ଡିଆର ତୃତୀୟ ବୈଠକ ହେବ ବୋଲି ଘୋଷଣା କରାଯାଇଥିଲା । ୨୬ ରୁ ଅଧିକ ରାଜନୈତିକ ଦଳର ପ୍ରାୟ ୮୦ ନେତା ମୁମ୍ବାଇରେ ଅନୁଷ୍ଠିତ ଇଣ୍ଡିଆର ତୃତୀୟ ବୈଠକରେ ଯୋଗ ଦେବେ ବୋଲି ଆଶା କରାଯାଉଛି । ସମ୍ପ୍ରତିରେ ୨୬ ଟି ଦଳ ମିଳିତ ଗୋଷ୍ଠୀର ଅଂଶ ଏବଂ ଆଉ କିଛି ଦଳ ଦୁଇ ଦିନିଆ ବୈଠକରେ ଏହି ମିଳିତ ମଞ୍ଚରେ ଯୋଗଦେବାକୁ ଯାଉଛନ୍ତି । ଏହି ବୈଠକରେ ମିଳିତ ମଞ୍ଚର ଲୋଗୋ ଉନ୍ମୋଚିତ ହେବ ବୋଲି ଆଶା କରାଯାଉଛି ।