fbpx

ଭୁବନେଶ୍ୱର ଉପକଣ୍ଠରେ ଗଢ଼ି ଉଠିବ ‘The New City’: ୮୨୧ ଏକର ଜାଗାରେ ୫୦ ହଜାର ଫ୍ଲାଟ ନିର୍ମାଣ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଟ୍ରାଫିକ ଝାମେଲା ସହ ଜନଗହଳି ସମସ୍ୟାରୁ ମିଳିବ ମୁକ୍ତି । ସହରର ଉପକଣ୍ଠରେ ଗଢ଼ି ଉଠିବ ଆଉ ଏକ ନୂଆ ସହର । ୮୨୧ ଏକର ଜମିରେ ନିର୍ମାଣ ହେବାକୁ ଥିବା ଏହି ସହରରେ ଦେଢ଼ରୁ ୨ ଲକ୍ଷ ଲୋକଙ୍କ ରହିବା ପାଇଁ ବ୍ୟବସ୍ଥା କରାଯିବ । ଏହାବ୍ୟତୀତ ବିଭିନ୍ନ ଅତ୍ୟାଧୁନିକ ସୁବିଧା ସହ ୧୫ ମହଲା ଆପାର୍ଟମେଣ୍ଟ ମଧ୍ୟ ଖୋଲିବା ନେଇ ପ୍ରସ୍ତୁତ ହେଉଛନ୍ତି ସରକାର । ଭୁବନେଶ୍ୱରକୁ ଏକ ନୂଆ ରୂପ ଦେବା ସହ ଉପକଣ୍ଠରେ ‘ଦ ନ୍ୟୁ ସିଟି’ ନିର୍ମାଣ କରିବା ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ୧ ହଜାର କୋଟି ଟଙ୍କ ମଞ୍ଜୁର କରିବେ ବୋଲି ଜାଣିବାକୁ ମିଳିଛି ।

ସୂଚନା ଅନୁସାରେ, ପଞ୍ଚଦଶ ଅର୍ଥ କମିଶନଙ୍କ ସୁପାରିଶ କ୍ରମେ ଦେଶର ୮ଟି ରାଜ୍ୟରେ ‘ନିଉ ସିଟି’ ନିର୍ମାଣ କରିବା ପାଇଁ ଯୋଜନା କରୁଛନ୍ତି କେନ୍ଦ୍ର ସରକାର । ଏଥିପାଇଁ ପ୍ରତ୍ୟେକ ରାଜ୍ୟକୁ ୧୦୦୦ କୋଟି ଟଙ୍କା ଦେବାର ଯୋଜନା ରହିଥିବା ବେଳେ ଜମି ସହିତ ଅନ୍ୟାନ୍ୟ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର । ତେବେ ନିଉ ସିଟିର ଏହି ଯୋଜନାର ଦୌଡ଼ରେ ରାଜଧାନୀ ଭୁବନେଶ୍ୱର ମଧ୍ୟ ସାମିଲ ରହିଛି । ୮ଟି ନିଉ ସିଟି ପାଇଁ କେନ୍ଦ୍ର ସରକାର ବିଭିନ୍ନ ରାଜ୍ୟ ନିକଟରୁ ପ୍ରସ୍ତାବ ଗ୍ରହଣ କରିଥିଲେ, ଯେଉଁଥିରେ ଓଡ଼ିଶା ଭୁବନେଶ୍ୱରକୁ ନେଇ ପ୍ରସ୍ତାବ ରଖିଛି । ଏହାପରେ କେନ୍ଦ୍ର ସରକାରଙ୍କ ଗୃହ ଏବଂ ନଗର ଉନ୍ନୟନ ମନ୍ତ୍ରାଳୟର ଏକ ଟିମ୍ ଓଡ଼ିଶା ଗସ୍ତରେ ଆସି ପ୍ରକଳ୍ପ ପାଇଁ ଜାଗା ପରିଦର୍ଶନ କରିସାରିଛି । ତେବେ ଏଥିପାଇଁ ୨୨ଟି ସହର ପ୍ରସ୍ତାବ ଦେଇଥିବା ବେଳେ ଏଥିମଧ୍ୟରୁ ୮ଟି ସହରକୁ ଚୟନ କରାଯିବ । ତେଣୁ ୮ଟି ସହର ମଧ୍ୟରେ ଭୁବନେଶ୍ୱର ସ୍ଥାନ ପାଇବା ନେଇ ଖୁବ ଆଶା ରହିଛି ।

ତେବେ ଓଡ଼ିଶା ଏଥିପାଇଁ ଚୟନ ହେଲେ କେନ୍ଦ୍ର ସରକାରଙ୍କ ୧ ହଜାର କୋଟି ସହ ରାଜ୍ୟ ସରକାର ମଦ୍ୟ ଜମି ସହିତ ୧ ହଜାର କୋଟି ଟଙ୍କା ଏସଭିପିକୁ ପ୍ରଦାନ କରିବେ । ତେବେ ପିପିପି ମୋଡରେ ରାଜ୍ୟ ସରକାରଙ୍କ ସହିତ ସାମିଲ ହେବା ପରେ ଆରମ୍ଭ ହେବ ନିଉ ସିଟି ନିର୍ମାଣ କାର୍ଯ୍ୟ ।

ତେବେ ଏହି ଯୋଜନାରେ ୧୫-୧୮ ମହଲା ବିଶିଷ୍ଟ ବହୁତଳ କୋଠା ନିର୍ମାଣ ହେବ, ଯେଉଁଥିରେ ପ୍ରାୟ ଦେଢ଼ରୁ ୨ ଲକ୍ଷ ଲୋକ ରହିପାରିବେ । ଏହାସହିତ ସହରର ଚାରି ପାଖରେ ପରିବେଶ ଅନୁକୂଳ ନିର୍ମାଣ ସହିତ ସବୁଜିମାକୁ ମଧ୍ୟ ଗୁରୁତ୍ୱ ଦିଆଯିବ ।

Get real time updates directly on you device, subscribe now.