fbpx

ବରିଷ୍ଠ ବିଜେଡି ନେତା ତଥା ଓଡ଼ିଶା ପଣ୍ୟାଗାର ନିଗମ ଅଧ୍ୟକ୍ଷଙ୍କ ପରଲୋକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ଦୁଃଖଦ ଖବର । ବିଜେଡିର ଜଣେ ବରିଷ୍ଠ ନେତାଙ୍କର ପରଲୋକ ଘଟିଛି । ଓଡ଼ିଶା ପଣ୍ୟାଗାର ନିଗମର ଅଧ୍ୟକ୍ଷ ମହେନ୍ଦ୍ର କୁମାର ବଢ଼େଇ ଆଉ ନାହାନ୍ତି । ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମହେନ୍ଦ୍ର ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ମହେନ୍ଦ୍ରଙ୍କୁ ୫୨ ବର୍ଷ ହୋଇଥିଲା ।

ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ଭାବେ କାର୍ଯ୍ୟ କରୁଥିବା ମହେନ୍ଦ୍ର ପରବର୍ତ୍ତୀ ସମୟରେ ରାଜନୀତିରେ ପାଦ ଥାପିଥିଲେ । ମହେନ୍ଦ୍ରଙ୍କ ବିୟୋଗରେ ରାଜନୀତି ସହ ଜଡ଼ିତ ଅନେକ ବିଶିଷ୍ଟ ବ୍ୟକ୍ତିବିଶେଷ ଗଭୀର ଦୁଃଖ ପ୍ରକାଶ କରିଛନ୍ତ । ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ ଓ ୫ଟି ସଚିବ ଭି.କେ ପାଣ୍ଡିଆନଙ୍କ ସହିତ ବିଜେଡିର ଅନେକ କର୍ମକର୍ତ୍ତା ମହେନ୍ଦ୍ରଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି ।

ହୃଦଘାତଜନିତ ସମସ୍ୟା କାରଣରୁ ମହେନ୍ଦ୍ରଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଗତ ୭ ତାରିଖ ରାତି ୧୦ଟା ସମୟରେ ସେ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ଗତକାଲି ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା । ଏହାପରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ପରିଲକ୍ଷିତ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ସ୍ୱାସ୍ଥ୍ୟାବସ୍ଥା ପୁଣି ବିଗିଡ଼ିବାରେ ଲାଗିଥିଲା । ଶେଷରେ ସେ ଅନ୍ତିମ ନିଃଶ୍ୱାସ ତ୍ୟାଗ କରିଥିଲେ ।

ମହେନ୍ଦ୍ର ବରଗଡ଼ ଜିଲ୍ଲା ମେଲଛାମୁଣ୍ଡା ଥାନା ଅନ୍ତର୍ଗତ ଟାଲ ଗାଁର ନିବାସୀ ଅଟନ୍ତି । ସେ ଗତବର୍ଷ ନଭେମ୍ବର ମାସରେ ଚାକିରି ଛାଡ଼ି ବିଜେଡିରେ ସାମିଲ ହୋଇଥିଲେ । ପଦ୍ମପୁର ଉପନିର୍ବାଚନ ସମୟରେ ମହେନ୍ଦ୍ର ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କ ପାଇଁ ପ୍ରଚାର କରିଥିଲେ । ଆଗାମୀ ନିର୍ବାଚନ ପାଇଁ ମହେନ୍ଦ୍ର ଜଣେ ବଡ଼ ଦାବିଦାର ରହିଥିବା ବେଳେ ତାଙ୍କର ଅକସ୍ମାତ ବିୟୋଗରେ ପଦ୍ମପୁର ଅଞ୍ଚଳବାସୀ ଜଣେ ଟାଣୁଆ ନେତାଙ୍କୁ ହରାଇଛନ୍ତି । ତାଙ୍କର ପରିବାରରେ ପତ୍ନୀ, ପୁଅ ଓ ଝିଅ ରହିଛନ୍ତି ।

Get real time updates directly on you device, subscribe now.