fbpx

Twitter Down? ୨୪ ଘଣ୍ଟାରୁ କମ୍ ସମୟ ମଧ୍ୟରେ ଦ୍ୱିତୀୟ ଥର ଆଉଟେଜ୍ ନେଇ ଅଭିଯୋଗ କଲେ ୟୁଜର୍ସ

ନୂଆଦିଲ୍ଲୀ: ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ଟ୍ୱିଟର ବା ‘ଏକ୍ସ’କୁ ନେଇ ଆସିଛି ପୁଣି ଏକ ବଡ଼ ଖବର । ପୁଣି ଥରେ ଟ୍ୱିଟରରେ ଡାଉନ୍ ସମସ୍ୟା ଦେଖାଦେଇଛି । ଗତ ୨୪ ଘଣ୍ଟାରୁ କମ୍ ସମୟ ମଧ୍ୟରେ ଏହି ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ଦ୍ୱିତୀୟ ଥର ଆଉଟେଜ୍ ସମସ୍ୟା ଦେଖାଦେଇଛି । ଭାରତୀୟ ସମୟ ପାଖାପାଖି ସନ୍ଧ୍ୟା ୭ଟା ସମୟରେ ‘ଏକ୍ସ’ କାର୍ଯ୍ୟ କରିବା ବନ୍ଦ କରିଦେଇଥିଲା । ଏନେଇ ୟୁଜର୍ସ ଅଭିଯୋଗ କରିଥିବା ଜଣାପଡ଼ିଛି ।

ଅନଲାଇନ୍ ଆଉଟେଜ୍ ରିପୋର୍ଟ ୱେବସାଇଟ୍ ଡାଉନଡିଟେକ୍ଟର ତରଫରୁ ଏନେଇ ସୂଚନା ଦିଆଯାଇଛି । ସୋମବାର ଦିନ ଆମେରିକାର ନ୍ୟୁୟର୍କ ସହର, ଚିକୋଗୋ ଓ ଲସ ଆଞ୍ଜେଲସ ପରି କିଛି ମୁଖ୍ୟ ସହରମାନଙ୍କରେ ଟ୍ୱିଟର ୟୁଜର୍ସ ଏଭଳି ସମସ୍ୟାର ସାମ୍ନା କରିଥିବା କୁହାଯାଇଛି । ଅପଲୋଡିଂ ମିଡ଼ିଆ ଓ ଭିୟୁଙ୍ଗ ‘ମାଇଁ ଫିଡ’ ସମସ୍ୟା ନେଇ ସେମାନେ ଅଭିଯୋଗ କରିଛନ୍ତି ।

ତେଣୁ ‘ଟ୍ୱିଟର କଣ ଡାଉନ ନା ଏହି ସମସ୍ୟା କେବଳ ମୋ ସହିତ ଘଟିଛି’ ବୋଲି ଜଣେ ଟ୍ୱିଟର ପ୍ରଶ୍ନ କରିଛନ୍ତି । ଭାରତର ଲୋକଙ୍କ ମଧ୍ୟରୁ ‘ମୋ ଟ୍ୱିଟର ଡାଉନ କି’ ବୋଲି ଜଣେ ୟୁଜର ପ୍ରଶ୍ନ କରିଛନ୍ତି । ତେବେ ଏହି ଆଉଟେଜ ସମସ୍ୟା ନେଇ ଏଲନ ମସ୍କଙ୍କ ମାଲିକାନାରେ ଥିବା ପ୍ଲାଟଫର୍ମ ‘ଏକ୍ସ’ ତରଫରୁ ଆନୁଷ୍ଠାନିକ ଭାବେ କିଛି ବୟାନ ଜାରି କରାଯାଇନାହିଁ । ଆଜି ୟୁକେ, ଚୀନ ଓ ୟୁରୋପର ୟୁଜର୍ସମାନେ ମଧ୍ୟ ସମାନ ସମସ୍ୟାର ସାମ୍ନା କରିଥିବା ଜଣାପଡ଼ିଛି । ପାଖାପାଖି ୪୯ ପ୍ରତିଶତ ସମସ୍ୟା ଆପରେ, ୪୧ ପ୍ରତିଶତ ସମସ୍ୟା ୱେବସାଇଟରେ ଓ ୧୦ ପ୍ରତିଶତ ସମସ୍ୟା ସର୍ଭର ସଂଯୋଗରେ ରହିଥିବା ନେଇ ରିପୋର୍ଟ କରାଯାଇଛି । ଡାଉନଡିଟେକ୍ସଟର ପକ୍ଷରୁ ଏହି ତଥ୍ୟ ସଂଗ୍ରହ କରାଯାଇଛି । ସୂଚନାଯୋଗ୍ୟ ଯେ, ଗତ ବର୍ଷ ବିଶ୍ୱର ଅନ୍ୟତମ ଅରବପତି ଏଲନ ମସ୍କ ଟ୍ୱିଟରକୁ ୪୪ ବିଲିୟନ ଡଲାରେ ଅଧିଗ୍ରହଣ କରିଥିଲେ ।

Get real time updates directly on you device, subscribe now.