fbpx

ଆସନ୍ତା ଡିସେମ୍ବର ୩୧ ପର୍ଯ୍ୟନ୍ତ ବଢ଼ିଲା ‘ମୋ ଖତ’ର ସୁବିଧା: ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର: ରାଜ୍ୟ ସରକାର ଚାଷ ଜମିରେ ଜୈବିକ କମ୍ପୋଷ୍ଟ ‘ମୋ ଖତ’ ବ୍ୟବହାର ବଢ଼ାଇବା ପାଇଁ କିଲୋଗ୍ରାମ ପିଛା ୧୦ ଟଙ୍କା ରିହାତି ସୁବିଧା ଦେଇଛନ୍ତି । ଏହି ରିହାତି ସୁବିଧା ଆସନ୍ତା ଡିସେମ୍ବର ମାସ ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ବୋଲି ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଜଙ୍ଗଲ ଓ ପରିବେଶ, କୃଷି, ପଞ୍ଚାୟତିରାଜ ଏବଂ ପାନୀୟ ଜଳ, ସଂଖ୍ୟାଲଘୁ ଏବଂ ପଛୁଆ ଶ୍ରେଣୀ କଲ୍ୟାଣ ବିଭାଗ ଗୁଡ଼ିକ ସହିତ ହସ୍ତତନ୍ତ ବିଭାଗର ସମସ୍ତ ଉପଭୋକ୍ତାମାନେ ‘ମୋ ଖତ’ ରିହାତି ସୁବିଧା ପାଇପାରିବେ ।

ଅନ୍ୟପଟେ ଆଜିର ଅଧିବେଶନରେ ଗୃହରେ କୃଷି, ଗଣଶିକ୍ଷା, ଉଚ୍ଚଶିକ୍ଷା, ପ୍ରାଣୀସମ୍ପଦ ଓ ଯୋଗାଣ ବିଭାଗକୁ ନେଇ ବିଭିନ୍ନ ପ୍ରଶ୍ନକୁ ନେଇ ଆଲୋଚନା ହୋଇଛି । କୃଷି ସମ୍ବନ୍ଧୀୟ ଏକ ପ୍ରଶ୍ନର ଉତ୍ତର ଦେଇ ବିଭାଗୀୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି, ରାଜ୍ୟରେ ଡାଲି ଜାତୀୟ ଶସ୍ୟକୁ ସରକାର ଅଧିକ ଗୁରୁତ୍ୱ ଦେଉଛନ୍ତି । ୨୦୨୩-୨୪ ଆର୍ଥିକ ବର୍ଷରେ ୪ ଲକ୍ଷ ହେକ୍ଟର ଜମିରେ ଡାଲି ଜାତୀୟ ଚାଷ ଲାଗି ଯୋଜନା କରାଯାଉଛି । ସେ କହିଛନ୍ତି, ଚଳିତବର୍ଷ ରାଜ୍ୟରେ ରେକର୍ଡ ପରିମାଣର ଚାଉଳ ଉତ୍ପାଦନ ହୋଇଛି ।

ସେ କହିଛନ୍ତି, ଚାଷ ବିବିଧିକରଣ ଜରିଆରେ ଡାଲି ପରି ଶସ୍ୟ ଚାଷ ଉପରେ ଗୁରୁତ୍ୱ ଦିଆଯାଉଛି । ଏଥିପାଇଁ ୩୦ଟି ଜିଲ୍ଳାରେ ଡାଲି ଚାଷୀମାନଙ୍କୁ ପ୍ରୋତ୍ସାହନ ଦିଆଯାଉଛି । ଡାଲି ଚାଷ ପାଇଁ ୫୦ ପ୍ରତିଶତ ରିହାତିରେ କୀଟନାଶକ ଯୋଗାଇ ଦିଆଯାଉଛି । ନୂତନ ବିହନ ଓ ପିଡିଆ ଯୋଗାଇ ଦିଆଯିବା ସହ ତୈଳବୀଜ ଚାଷ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଥିବା ଶ୍ରୀ ସ୍ୱାଇଁ କହିଛନ୍ତି ।

Get real time updates directly on you device, subscribe now.